କରୋନା ପ୍ରଭାବିତ ଇରାନରେ ଫସିଛନ୍ତି ଓଡ଼ିଆ ଯୁବକ

ଭୁବନେଶ୍ୱର: କରୋନାରେ ପ୍ରଭାବିତ ଇରାନରେ ଜଣେ ଓଡ଼ିଆ ଯୁବକ ଫସିଛନ୍ତି। ଓଡ଼ିଆ ଯୁବକଙ୍କ ନାମ ସୟଦ ମୁଫିଜୁର ରହମାନ। ତାଙ୍କୁ ଉଦ୍ଧାର କରାଯିବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ କଟକ ସହର, ବକ୍ସି ବଜାର ଅଞ୍ଚଳର ସୟଦ ମୁଫିଜୁର ରହମାନ ଇରାନର ଏକ ଘରୋଇ ନୌପରିବହନ କମ୍ପାନିରେ ଯୋଗଦେବା ପାଇଁ ଗତ ୨୦୧୯ ସେପ୍ଟେଟର ୨୮ରେ ମୁମ୍ବାଇରୁ ଇରାନ ଯାଇଥିଲେ। ମୁଫିଜୁର ବର୍ତ୍ତମାନ ସେଠାରେ ଏକ ଜାହାଜରେ କାର୍ଯ୍ୟରତ ଥିବାବେଳେ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରିପାରୁ ନାହାଁନ୍ତି କିମ୍ବା ତାଙ୍କର ଭଲମନ୍ଦ ଜାଣିପାରୁ ନାହନ୍ତି। କରୋନା ପ୍ରାଭାବିତ ଇରାନରେ ମୁଫିଜୁର ଫସିଥିବା ବେଳେ ପରିବାର ଲୋକ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି। ତୁରନ୍ତ ସହାୟତା ଯୋଗାଇଦେବା ସହ ତାଙ୍କୁ ଭାରତ ଫେରାଇ ଆଣିବାକୁ ପରିବାର ଲୋକ ନିବେଦନ କରିଛନ୍ତି।

ସୟଦ ମୁଫିଜୁର ପରିବାର ଲୋକଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ଇରାନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ମୁଫିଜୁରଙ୍କୁ ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର