ଅର୍ଥମନ୍ତ୍ରୀ ଦେଖାଇଲେ ଗୋଲାପି ଚିତ୍ର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ ଯୋଜନା ଜରିଆରେ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଣୟନ ପାଇଁ ୧୨୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ‘ଆମ ଘରେ ଏଲ୍‌ଇଡି ଲାଇଟ୍‌’ ଯୋଜନାରେ ପ୍ରତି ଗରିବ ପରିବାରକୁ ୪ଟି ଏଲ୍‌ଇଡି ଲାଇଟ୍‌ ଦିଆଯିବ। ୬ ବର୍ଷରେ କୃଷି ବଜେଟ୍‌ ୧୩୪ ପ୍ରତିଶତ ବଢ଼ିଛି। ‘ବସୁଧା’ ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ ଏକ ହଜାର କୋଟି ଓ ସହରାଞ୍ଚଳ ଜଳଯୋଗାଣ ପାଇଁ ୩୫୦ କୋଟି ଟଙ୍କା ଅଟକଳ କରାଯାଇଛି। ୨୦୦୫-୦୬ ପର ଠାରୁ କ୍ରାମଗତ ଭାବେ ରାଜସ୍ୱ ବଳକା ସ୍ଥିତି ବଜାୟ ରଖାଯାଇଛି ଓ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି। ଋଣ ହାରର ପୋଷଣୀୟତା ନେଇ ସନ୍ଦେହ ନ ରହୁ। ରାଜସ୍ୱ ହିସାବରେ ସନ୍ତୁଳନ ଆଣିବା ପରେ ଆମେ ୯,୯୮୦ କୋଟି ଟଙ୍କାର ରାଜସ୍ୱ ବଳକା ହେବ ବୋଲି ଅନୁମାନ କରାଯାଉଛି, ଯାହା କି ସମଗ୍ର ରାଜ୍ୟ ଘରୋଇ ଉତ୍ପାଦନର ୨.୨୫ ପ୍ରତିଶତ ଅଟେ।

ଆଜି ବିଧାନସଭରେ ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାର ଉତ୍ତରରେ ରାଜ୍ୟର ବିକାଶ ଓ ଆର୍ଥିକ ସ୍ଥିତି ନେଇ ଏମିତି ଗୋଲାପି ଚିତ୍ର ଦେଖାଇଛନ୍ତି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ସେ କହିଲେ, ବଜେଟରେ କୃଷି, ଜଳସେଚନ, ସାମାଜିକ ସୁରକ୍ଷ, ଶିକ୍ଷା ଓ ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ପାନୀୟ ଜଳଯୋଗାଣ, ସମସ୍ତଙ୍କ ପାଇଁ ପକ୍କା ଘର, ଗ୍ରାମ୍ୟ ଉନ୍ନୟନ, ସମସ୍ତ ପଛୁଆ ବର୍ଗ ଓ ଅବହେଳିତଙ୍କ ସର୍ବାଙ୍ଗୀନ ଉନ୍ନତି, ଯୁବକ ଓ ମହିଳା ସଶକ୍ତୀକରଣ ଏବଂ ଆନୁଷଙ୍ଗିକ ଜୀବିକାଧାରଣର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୬୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ମୋଟ୍‌ ବଜେଟ୍‌ର ୫୦ ପ୍ରତିଶତରୁ ଅଧିକ। କୃଷି ବଜେଟ୍‌ ପାଇଁ ମୋଟ୍‌ ୧୬,୭୬୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରୁ ୧୦,୧୯୬ କୋଟି ଟଙ୍କା ଜଳସେଚନ ଭିତ୍ତିଭୂମି ଉନ୍ନୟନ ପାଇଁ ଉଦ୍ଦିଷ୍ଟ।

‘ଆମ ଗାଁ ଆମ ବିକାଶ’, ‘ଆମ ଘରେ ଏଲ୍‌ଇଡି ଲାଇଟ୍‌’, ‘ଗ୍ରିନ୍‌ ମହାନଦୀ ମିସନ୍‌’, ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ସମ୍ପର୍କରେ ଅର୍ଥ ମନ୍ତ୍ରୀ ଉଲ୍ଲେଖ କରିଥିଲେ। କୃଷିକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ, କୃଷି ବଜେଟ୍‌ରେ ୧୬,୭୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ଗତ ବର୍ଷ ତୁଳନାରେ ୧୨.୩ ପ୍ରତିଶତ ଅଧିକ। ଉନ୍ନତମାନର ବିହନ ଯୋଗାଣ ପାଇଁ ଗଠିତ ପାଣ୍ଠିକୁ ଚାଲୁ ରଖିବାକୁ ୧୦୦ କୋଟି ଟଙ୍କା ଏବଂ ଚାଷ ସମୟରେ ଚାଷୀକୁ ସାର ଯୋଗାଇ ଦେବା ପାଇଁ ସୃଷ୍ଟି କରାଯାଇଥିବା ୧୦୦ କୋଟି ଟଙ୍କାର ରିଭଲ୍‌ଭିଙ୍ଗ୍‌ ପାଣ୍ଠିକୁ ଚଳିତ ବର୍ଷ ଚାଲୁ ରଖାଯିବ। ଚାଷୀଙ୍କୁ ରିହାତି ସୁଧରେ କୃଷି ଋଣ ଯୋଗାଇ ଦେବାକୁ ୪୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟ୍‌ରେ ଜଳସେଚନକୁ ବି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।

ଅର୍ଥ ମନ୍ତ୍ରୀ ଆହୁରି କହିଥିଲେ, ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ବଜେଟ୍‌ରେ ସର୍ବାଧିକ ୧୯,୬୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦକ୍ଷତା ତାଲିମ୍‌ପ୍ରାପ୍ତ ଯୁବକଯୁବତୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ‘ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା’ ନାମକ ଏକ ଉଚ୍ଚାଭିଳାଷୀ ଯୋଜନା ଆରମ୍ଭ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି।

୨୦୧୯ ମସିହା ସୁଦ୍ଧା ସମସ୍ତ ପରିବାରକୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇ ମନ୍ତ୍ରୀ କହିଥିଲେ, ଏହାକୁ ଆଖି ଆଗରେ ରଖି ଏହି ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଓ ବିଜୁ ପକ୍କା ଘର ପାଇଁ ସଂଯୋଜନା ମାଧ୍ୟମରେ ୩,୫୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୪୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନିଯୁକ୍ତିକୁ ତ୍ୱରାନ୍ଵିତ କରାଯାଇଛି। ୨୦୧୩ ପରଠାରୁ ବର୍ତ୍ତମାନ ସୁଦ୍ଧା ୪୭ ହଜାର ପଦବି ପୂରଣ କରାଯାଇଛି। ନିଯୁକ୍ତି ବୟସସୀମା ୪୦ ବର୍ଷକୁ ବୃଦ୍ଧି ନେଇ ସମୀକ୍ଷା ହେବ।

ଆର୍ଥିକ ସ୍ଥିତି ଓ ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀ କହିଲେ, ୨୦୧୮-୧୯ରେ ପୁଞ୍ଜି ଖର୍ଚ୍ଚ ପାଇଁ ୨୪,୫୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୫.୫ ପ୍ରତିଶତ ଅଟେ। ଏହି ଆର୍ଥିକ ବର୍ଷରେ ରାଜସ୍ୱ ଖର୍ଚ୍ଚ ୯୦,୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟ ୧୫,୫୨୧ କୋଟି ଟଙ୍କା ହେବାର ଆକଳନ କରାଯାଇଛି, ଯାହା କି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ଅଟେ। ଆର୍ଥିକ ପରିଚାଳନାରେ ଦକ୍ଷତା ବୃଦ୍ଧି ଓ ଏହାକୁ ଫଳପ୍ରଦ କରିବା ପାଇଁ ଆମ ରାଜ୍ୟ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମଧ୍ୟରୁ କେତେକ ହେଲା, ଆଉଟ୍‌କମ୍‌ ବଜେଟ୍‌, ସମନ୍ଵିତ ଆର୍ଥିକ ପରିଚାଳନା, ଡିଜିଟାଲ୍‌ ଦେୟ, ପେନ୍‌ସନ୍‌ର ଅନ୍‌ଲାଇନ୍‌ ସଂଶୋଧନ ପାଇଁ ‘ଅର୍ପଣ’ ପୋର୍ଟାଲ୍‌ ଇତ୍ୟାଦି।

ସମ୍ବନ୍ଧିତ ଖବର