ଓଡ଼ିଶାରେ ଗାନ୍ଧୀ ଓ ଲେନିନ୍‌ ଏକାଠି

ଭୁବନେଶ୍ୱର: ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପିର କିଛି ସମର୍ଥକ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ରାଜରାସ୍ତାରେ ଗଡ଼େଇ ଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାରେ କିନ୍ତୁ  ବର୍ଷ ବର୍ଷ ଧରି ଲେନିନ୍‌ ଓ ଗାନ୍ଧୀଙ୍କ ପ୍ରତିମୂର୍ତି ଗୋଟିଏ ସ୍ଥାନରେ ଶୋଭା ପାଉଛି। ଏ ସଂପର୍କରେ ସୂଚନା ଦେଇ ବିଶିଷ୍ଟ ଗବେଷକ ଅନୀଲ ଧୀର୍‌ କହିଛନ୍ତି, ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟସ୍ଥ ଦାଣ୍ଡିଠାରେ ଲେନିନ୍‌ଙ୍କ ପାଖରେ ଗାନ୍ଧୀଙ୍କ ମୂର୍ତ୍ତି ରହିଛି। ୧୯୮୪ ମସିହାରେ ଏଠାରେ ଶାନ୍ତିର ପ୍ରତୀକ ଗାନ୍ଧୀ ଏବଂ ବିପ୍ଲବର ବହ୍ନି ଲେନିନ୍‌ଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ପାଖାପାଖି ସ୍ଥାପିତ ହୋଇଛି। ଏହି ବିରଳ ସଂଯୋଗ ମାନବୀୟ ଚେତନାର ଏକ ମହାନ ନିଦର୍ଶନ ବୋଲି ସେ କହିଛନ୍ତି। ବସ୍ତାର ଦାଣ୍ଡିଠାରେ ଗାନ୍ଧୀ ଏବଂ ଲେନିନ୍‌ଙ୍କ ପ୍ରତିମୂର୍ତ୍ତିି ସ୍ଥାପନର ଏକ କାହାଣୀ ରହିଛି। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କମ୍ୟୁନିଷ୍ଟ ପାର୍ଟିର ଗଡ଼ ବୋଲି କୁହାଯାଉଥିଲା। ଭାରତ ଓ ରୁଷିଆ ମଧ୍ୟରେ ଉତ୍ତମ ସମ୍ପର୍କ ଥିବା ସମୟରେ ରୁଷିଆର ବାଣିଜ୍ୟ ଦୂତ ଥରେ କୋଲକାତା ଆସିଥିଲେ। ସେତେବେଳେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ନେତୃତ୍ୱ ସେଠିକୁ ଯାଇ ତାଙ୍କୁ ଅନୁରୋଧ କରିଥିଲେ ଦାଣ୍ଡି ଗାଁରେ ଲେନିନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ। ଏହା ଶୁଣି ଭୁବନେଶ୍ୱରର କିଛି ନେତୃବୃନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ ଏହି କାର୍ଯ୍ୟକ୍ରମକୁ ବିଳମ୍ବିତ କରିବାରେ ଲାଗିଲେ ଓ ବାଧା ମଧ୍ୟ ଦେଇଥିଲେ। ଶେଷରେ ଏହି ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିଲେ। ନିଷ୍ପତ୍ତି ହେଲା ଯେ ରୁଷିଆର ବାଣିଜ୍ୟ ଦୂତ ଓଡ଼ିଶା ଆସି ଦୁଇଟି ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ, ଗୋଟିଏ ଗାନ୍ଧୀଙ୍କର ଏବଂ ଅନ୍ୟଟି ଲେନିନଙ୍କର।  ଆଗରୁ ନିର୍ମିତ ହୋଇଥିବା ଲେନିନ୍‌ଙ୍କ ମୂର୍ତ୍ତିର ସମାନ ଆକୃତିର ଗାନ୍ଧୀଙ୍କ ମୂର୍ତ୍ତି ତୁରନ୍ତ ନିର୍ମାଣ କରାଗଲା। ଗୋଟିଏ ଭଗ୍ନପ୍ରାୟ ସ୍କୁଲ ପରିସରରେ ଦୁହିଁଙ୍କ ମୂର୍ତ୍ତି ପାଖାପାଖି ସ୍ଥାପନ କରାଗଲା। ସେତେବେଳେ ପ୍ରବଳ ଉତ୍ସାହର ସହିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳିତ ହୋଇଥିଲା। ସେହି ଛକକୁ ଲେନିନ୍‌ ଛକ ବୋଲି କୁହାଗଲା। ପ୍ରତିମୂର୍ତ୍ତିରେ ଗାନ୍ଧୀ ଯେମିତିକି ଏକ ନିରନ୍ତର ଯାତ୍ରାରେ ବାହାରିଛନ୍ତି। ସେହି ଯାତ୍ରାର ଅନ୍ତ ନାହିଁ। ଗୋଟିଏ ହାତରେ ବାଟ ଚାଲିବାର ସହାୟକ ବାଡ଼ି, ଅନ୍ୟ ହାତରେ ବୋଧହୁଏ ଭଗବତ୍‌ ଗୀତା। ଦୂରନ୍ତ ଆଲୋକ ଆଡ଼କୁ ତାଙ୍କର ଯାତ୍ରା, ଯାହାକି ନିର୍ଦ୍ଦେଶ କରୁଛି ତାଙ୍କୁ ଶାନ୍ତି, ମୈତ୍ରୀ ଏବଂ ବନ୍ଧୁତା ପାଇଁ। ଲେନିନ୍‌ ତାଙ୍କ ଦକ୍ଷିଣ ହସ୍ତକୁ ଆଗକୁ ଉଠେଇଛନ୍ତି। ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ବାମ ହାତରେ ପିନ୍ଧିଥିବା କୋଟ୍‌ର ଯୋଡ଼କୁ ଧରିଛନ୍ତି। ତାଙ୍କର ଏହି ଠାଣି ଅତି ସାଧାରଣ ଏବଂ ଲୋକପ୍ରିୟ।

ଶ୍ରୀ ଧୀର କହିଛନ୍ତି ଯେ ଲେନିନ୍‌ ଏବଂ ଗାନ୍ଧି ଉଭୟେ ଆଧୁନିକ ଇତିହାସର ଜଣେ ଜଣେ ମହାନ ଜନନାୟକ। ସେମାନେ ଅତ୍ୟାଚାର ସହିଛନ୍ତି ଏବଂ ଅତ୍ୟାଚାର ବିରୋଧୀ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଦୁହେଁ ଗରିବ ଓ ଶୋଷିତଙ୍କ ପାଇଁ ସତ୍ୟକୁ ହିଁ ଅନୁସରଣ କରି ସଂଗ୍ରାମକରିଛନ୍ତି। ସେମାନେ ନିଜ ସମୟକୁ ଅତିକ୍ରମ କରିଥିବା କ୍ରାନ୍ତିକାରୀ। ଲେନିନ୍‌ ଏବଂ ଗାନ୍ଧୀ ଦୁହେଁ ସମଗ୍ର ମାନବ ସମାଜର ନେତୃତ୍ୱ ନେଇଛନ୍ତି। ଦୁହିଙ୍କ ଉତ୍ସର୍ଗ ଓ ତ୍ୟାଗର ପଟାନ୍ତର ନାହିଁ। ବ୍ୟକ୍ତିଗତ ଦୃଷ୍ଟିକୋଣରୁ ମଧ୍ୟ ଦୁହିଙ୍କ ମଧ୍ୟରେ ଅନେକ ସମାନତା ରହିଛି। ଉଭୟେ ବ୍ୟକ୍ତିଗତ ସୁଖଭୋଗ ପରିତ୍ୟାଗ ପୂର୍ବକ ସାଧୁତା ଓ ସରଳତାକୁ ମୂଳମନ୍ତ୍ର କରିଥିଲେ। ଲେନିନ୍‌ଙ୍କର ଦୃଢ଼ ମତ ଥିଲା ଯେ ଶୋଷକ ଗୋଷ୍ଠୀ ଶାସନ କ୍ଷମତାରେ ଥିବାରୁ  ଅନ୍ୟାୟ ଓ ଅତ୍ୟାଚାର   କରୁଛନ୍ତି। ବିଦ୍ରୋହ ଦ୍ୱାରା ସେହି ଶାସନ କ୍ଷମତା ପରିବର୍ତ୍ତନ କରାଯାଇପାରିଲେ ନୂତନ ସମାଜ ଗଠନ ହେବ। ଅତ୍ୟାଚାରର ଅନ୍ତ ହେବ। ସେଥିପାଇଁ ଲେନିନ୍‌ ଶ୍ରମିକବର୍ଗର ହାତକୁ ରାଷ୍ଟ୍ରର ଶାସନ କ୍ଷମତାର ଡୋର ଆଣିବାକୁ ପ୍ରାଣପଣେ ଉଦ୍ୟମ କରୁଥିଲେ।  ଅନ୍ୟପକ୍ଷରେ ଗାନ୍ଧୀଙ୍କ ଧାରା ଅଲଗା ଥିଲା। ସେ ବିଶ୍ୱାସ କରୁଥିଲେ ଯେ, ସମସ୍ୟାର ମୂଳ ରାଷ୍ଟ୍ରର କ୍ଷମତାରେ ନାହିଁ, ବରଂ ବ୍ୟକ୍ତିର ଚରିତ୍ରରେ ନିହିତ ରହିଛି। ଏଥିଯୋଗୁ ରାଷ୍ଟ୍ର ଦ୍ୱାରା ଉତ୍ପୀଡ଼ନ ସମ୍ଭବ ହେଉଛି। ଶାସକ ଅନ୍ୟାୟ କରୁଛି, କାରଣ ଶାସିତ ତାହାକୁ ଭୟ କରୁଛି। ଭୟ ପରିହାର କଲେ ସ୍ୱାଧୀନତା ଆସିବ ବୋଲି ସେ କହୁଥିଲେ। ସେ ସବୁବେଳେ ପ୍ରୟାସ କରୁଥିଲେ ବ୍ୟକ୍ତି ସ୍ତରରେ ପରିବର୍ତ୍ତନ ଆଣିବାକୁ। ଅସହଯୋଗ ଏବଂ ଅହିଂସା ମାର୍ଗରେ, ଗଠନମୂଳକ ଅର୍ଥନୀତି ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଏ ଦିଗରେ ଗାନ୍ଧୀ ସଫଳ ହୋଇଥିଲେ ବୋଲି ଶ୍ରୀ ଧୀର ମତ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର