ପ୍ରଦୂଷିତ ପାଣି ପିଇ ହଇଜାରେ ମୃତ୍ୟୁବରଣ କରିଥିବା ୪ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାଲାଗି ଓଡ଼ିଶା ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶ

ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ଅଧୀନ ସୁଦୂର ଆଦିବାସୀ ଅଧ୍ୟୁଷିତ ଅଘିରପଡ଼ା ଗାଁରେ ହଇଜା ଯୋଗୁଁ ପ୍ରାଣ ହରାଇଥିବା ଚାରିଜଣ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବା ଲାଗି ଜାତୀୟ ମାନବ ଅଧିକାର କମିସନ୍ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବାର ସପ୍ରମାଣ ରିପୋର୍ଟ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ ମଧ୍ୟ ତାଙ୍କୁ କୁହାଯାଇଛି।

ସୁପ୍ରିମ୍ କୋର୍ଟ ଓକିଲ ତଥା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍‌କୁ ଆଧାର କରି ଜାତୀୟ ମାନବ ଅଧିକାର କମିସନ୍ ଉପରୋକ୍ତ ଆଦେଶନାମା ଜାରି କରିଛନ୍ତି। ପିଟିସନ୍‌ରେ ତ୍ରିପାଠୀ ଦର୍ଶାଇ ଥିଲେ ଯେ, ସମ୍ପୃକ୍ତ ଗାଁରେ ମୌଳିକ ସୁବିଧା ଅଭାବରୁ ୨୦୧୬ ଜୁଲାଇ ୭ ତାରିଖ ଦିନ ହଇଜାରେ ସାତଜଣ ଲୋକ ପ୍ରାଣ ହରାଇଥିଲେ ଓ ଅନ୍ୟ ୨୬ ଜଣ ଆକ୍ରାନ୍ତ ହୋଇଥିଲେ। ଶୁଦ୍ଧ ପାନୀୟ ଜଳ ସୁବିଧା ନ ଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ପ୍ରଦୂଷିତ ଜଳ ବ୍ୟବହାର କରୁଥିଲେ। ହଇଜା ବ୍ୟାପିବା ସମୟରେ ଆବଶ୍ୟକ ସୁବିଧାର ଅଭାବ ଏବଂ ଡାକ୍ତରୀ ସହାୟତା ଯୋଗାଇବା‌ରେ ବିଳମ୍ବ ଯୋଗୁଁ ଗ୍ରାମବାସୀମାନେ ପ୍ରାଣ ହରଇଥିଲେ।

Image Courtesy of Ipleaders Blog

ଜାତୀୟ ମାନବ ଅଧିକାର କମିସନ୍‌ଙ୍କ ନୋଟିସ୍ ପାଇବା ପରେ ରାଜ୍ୟ କର୍ତ୍ତୃପକ୍ଷ ଈଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରାପିଡ୍ ରେସ୍‌ପନ୍ସ୍ ଟିମ୍ ଗାଁକୁ ଯାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ପରେ ରାଜ୍ୟ ଏପିଡେମିଓଲୋଜିଷ୍ଟ୍‌ଙ୍କ ସହ ଜଏଣ୍ଟ୍‌ ଡାଇରେକ୍ଟର୍ (ପିଏଚ୍) ହଇଜାର କାରଣ ଅନୁସନ୍ଧାନ କରି ଚୁଆରେ କ୍ଲୋରିନ୍‌ ପକାଇବା ସହ ‌ବୈଠକ ଡକାଇ ଚୁଆ ପାଣି ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଥିଲେ। ଏହାଛଡ଼ା, ଗ୍ରାମବାସୀଙ୍କୁ ପାଇପ୍‌ ଯୋଗେ ଟ୍ୟାଙ୍କ୍ ପାଣି ଯୋଗାଇ ଦେବାକୁ ଜିଲ୍ଲାପାଳ ମଧ୍ୟ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର