ଅନଲକ୍‌ ଆଡ଼କୁ ମୁହାଁଉଛି ଓଡ଼ିଶା

୫ ହଜାର ତଳକୁ ଦୈନିକ ସଂକ୍ରମଣ, ମୃତ୍ୟୁ ୫୦ ମୁହାଁ, ୧୩ ଜିଲ୍ଲାରେ ୫%ରୁ କମ୍ ସଂକ୍ରମଣ ହାର

ଭୁବନେଶ୍ବର : ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି। ୫୨ ଦିନ ପରେ ଦୈନିକ ସଂକ୍ରମଣ ୫ହଜାର ତଳକୁ ଖସି ଆସିଛି। ଏପ୍ରିଲ ୨୦ ତାରିଖରେ ରାଜ୍ୟରେ ୪୮୫୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ସଂକ୍ରମଣ କମି ନାହିଁ, ରାଜ୍ୟରେ ‌ସଂକ୍ରମଣ ହାର ମଧ୍ୟ ୭.୨୨ ପ୍ରତିଶତକୁ ଖସି ଆସିଛି। ଉଲ୍ଲେଖନୀୟ ବିଷୟ ହେଉଛି ଯେ ରାଜ୍ୟର ୧୩ଟି ଜିଲ୍ଲାରେ ୫ପ୍ରତିଶତ କିମ୍ବା ଏହାଠାର କମ୍ ସଂକ୍ରମଣ ହାର ଦେଖିବାକୁ ମିଳିଛି। ବଲାଙ୍ଗୀର, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଆଦି ଜିଲ୍ଲାରେ ୧ କିମ୍ବା ଏହାଠାରୁ କମ୍ ସଂକ୍ରମଣ ହାର ରହିଛି। ଏହା ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ଲକ୍‌ଡାଉନ୍‌ ଅବଧି ଆହୁରି ୫ଦିନ ରହିଥିବାରୁ ଏହା ଭିତରେ ସଂକ୍ରମଣ ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।

ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ କମ୍ ସଂକ୍ରମଣ ଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସଂକେତ ଦେଇଥିଲେ। ପୂର୍ବରୁ ୩ଟି ଜିଲ୍ଲାରେ ସଂକ୍ରମଣ ହ୍ରାସ ଯୋଗୁଁ ସେଠାରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏ ଦୃଷ୍ଟିରୁ ଆସନ୍ତା ୧୭ତାରିଖ ପରେ କମ୍ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ପ୍ରକ୍ରିୟାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି। ଏହାସହ ୮ଟି ଜିଲ୍ଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ତେଣୁ ଏସବୁ ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ନା ରାଜ୍ୟ ସରକାର ପୂର୍ବଭଳି କଟକଣା ଜାରି ରଖିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଗତ ଏପ୍ରିଲ ୫ ତାରିଖ‌ରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଜୁନ୍‌ ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଗତ ମେ’ ମାସ ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବେଳେ ୧ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ସଂକ୍ରମଣ ହାର ୨୨ପ୍ରତିଶତକୁ ଟପି ଯାଇଥିଲା। ସାଧାରଣ ଭାବେ ଲକ୍‌ଡାଉନ୍‌ର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳୁଥିବା ବିଶେଷଜ୍ଞମାନେ କହି ଆସୁଛନ୍ତି। ତେଣୁ ଚଳିତମାସ ପ୍ରଥମ ସପ୍ତାହରୁ ଧୀରେଧୀରେ ସଂକମ୍ରଣ ଖସିବାକୁ ଆରମ୍ଭ କରିଥିଲା। ତେବେ ଦୈନିକ ମୃତ୍ୟୁ ସଂଖ୍ୟା ଏବେ ବି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୪୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଛି, ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ପର୍ଯ୍ୟାୟକ୍ରମେ ଅନଲକ୍‌ କରିବା ସମସ୍ତଙ୍କ ପାଇଁ ଭଲ। ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପନ୍ଥା ଅବଲମ୍ବନ କରୁଛି। କିଛି କଟକଣା କୋହଳ ହେବ, କିଛି କଟକଣା ପୂର୍ବଭଳି ଜାରି ରହିବ। ଅନଲକ୍‌ ପାଇଁ ସରକାର ସବୁ ଦିଗରେ ବିଚାର କରୁଛନ୍ତି। ମାତ୍ର ଲୋକମାନେ ଯଦି ଏହାକୁ ଠିକ୍ ଭାବେ ବ୍ୟବହାର ନ କରିବେ, ତାହାର ବିପରୀତ ପ୍ରଭାବ ପଡ଼ିପାରେ। ସବୁ ଜିଲ୍ଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଉଛି। ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ କଟକଣା ବଳବତ୍ତର ରହିବ। ୫ ପ୍ରତିଶତ ତଳେ ଥିବା ଜିଲ୍ଲାରେ କଟକଣା କିଛି ମାତ୍ରାରେ କୋହଳ କରାଯିବ। କଟକ, ଅନୁଗୁଳ, ଖୋର୍ଧା ଓ ଯାଜପୁର ଭଳି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି। ମାତ୍ର ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର କମୁଛି। ମାତ୍ର ଅନଲକ୍ ନେଇ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ହିଁ ‌ନେବେ।

ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପଛରେ କାରଣ ଦର୍ଶାଇ ଡା. ମହାପାତ୍ର କହିଛନ୍ତି ଯେ ପୂର୍ବ କେସ ଲୋଡ୍‌ ଓ ଏବେ ବି କିଛି ଲୋକ ଗୁରୁତର ଅବସ୍ଥାରେ ଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ମାତ୍ର ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏବେ ୬୨ପ୍ରତିଶତ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟର୍‌ରେ ରହିଥିବା ସେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ରଙ୍କ କହିବା କଥା, ଆସନ୍ତା ୧୭ ତାରିଖ ବେଳକୁ ସଂକ୍ରମଣ ହାର ୫ ପ୍ରତିଶତକୁ ଖସି ଆସିବାର ସମ୍ଭାବନା ରହିଛି। ଯେଉଁ ଜିଲ୍ଲାରେ ସଂକ୍ରମଣ ୫ପ୍ରତିଶତରୁ କମ୍‌ ରହିଛି, ସେଠାରେ ସଂପୂର୍ଣ୍ଣ ଅନଲକ୍ ନ କରି ସାମାନ୍ୟ କୋହଳ କରାଯିବା ଜରୁରୀ। ନଚେତ୍ ପୁଣିଥରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୫୦୫, ଯାଜପୁର ୩୮୨, ବାଲେଶ୍ବର ୩୬୪, କେନ୍ଦ୍ରାପଡ଼ା ୨୮୭, ଅନୁଗୁଳ ୨୭୫, ପୁରୀ ୨୩୭, ଭଦ୍ରକ ୨୨୨, ମୟୂରଭଞ୍ଜ ୨୧୦, ଜଗତସିଂହପୁର ୧୮୦ ସୁନ୍ଦରଗଡ଼ ୧୫୭, ଢେଙ୍କାନାଳ ୧୫୦, ନୟାଗଡ଼ ୧୩୬ ଓ ଷ୍ଟେଟ୍‌ ପୁଲରୁ ୯୮ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩କୁ ବୃଦ୍ଧି ପାଇଛି।

ଅପରପକ୍ଷେ ୪୭ ମୃତ୍ୟୁ ଭିତରେ ଖୋର୍ଧାରେ ସର୍ବାଧିକ ୬ଜଣ, କଟକ ୫, ଅନୁଗୁଳ, ବରଗଡ଼ରେ ୪ ଲେଖାଏ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ରେ ୩ ଲେଖାଏଁ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ଲେଖାଏଁ, ବଲାଙ୍ଗୀର, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୭୫୭୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୮୯ହଜାର ୬୬କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୪,୯୩୭କୁ ଖସି ଆସିଛି। ରାଜ୍ୟ‌ରେ ଏବେ ୬ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର