କ୍ରୀଡ଼ା‌ ଭିତ୍ତିଭୂମିରେ ଓଡ଼ିଶା ସବୁଠୁ ଆଗୁଆ: ଭିନିଲକ୍ରିଷ୍ଣା

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨

ଭୁବନେଶ୍ୱର: କ୍ରୀଡ଼ା ଜଗତରେ ଓଡ଼ିଶା ଏକ ବିପ୍ଳବ ଆଣିଛି, ସାରା ବିଶ୍ବରେ ଭଲ ନାଁ କରିଛି। ଅନ୍ୟ ରାଜ୍ୟ ତୁଳନାରେ ବି ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବହୁ ଆଗରେ ରହିଛି। କ୍ରୀଡ଼ାର ବିକାଶ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମିର ବିକାଶ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୨ ହଜାର କୋଟିରୁ ଅଧିକ ଅର୍ଥ ବିନିମୟରେ ପ୍ରୋଜେକ୍ଟ ଚାଲିଛି। ରାଉରକେଲାରେ ବିଶ୍ବର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ କରାଯାଉଛି। ଏଥିସହ ରାଜ୍ୟର ୨୬ଟି ସ୍ଥାନରେ ହକି ଗ୍ରାଉଣ୍ଡ ପାଇଁ ବ୍ୟବସ୍ଥା କରାଯାଉଛି। ରାଜ୍ୟ ସରକାର ତୃଣମୂଳସ୍ତରରେ ଖେଳକୁ ପ୍ରୋତ୍ସାହିତ କରୁଛନ୍ତି। ଉଦୀୟମାନ ଖେଳାଳିଙ୍କୁ ଗୁଣାତ୍ମକ କୋଚିଂ ଦିଆଯାଉଛି। ଫଳରେ ଓଡ଼ିଶା ବାହାରେ ଆମର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ତୃତୀୟ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ‘ଓଡ଼ିଶା ହେବ କି କ୍ରୀଡ଼ାର ରାଜଧାନୀ?’ ଶୀର୍ଷକ ଉପରେ ମତ ରଖି ଏହା କହିଛନ୍ତି କ୍ରୀଡ଼ା ସଚିବ ଆର୍. ଭିନିଲକ୍ରିଷ୍ଣା।

ଭିତ୍ତିଭୂମି, ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଅପରିହାର୍ଯ୍ୟ: ପ୍ରମୋଦ ଭଗତ

ଅନ୍ୟତମ ଅତିଥି ପଦ୍ମଶ୍ରୀ ପ୍ରମୋଦ ଭଗତ କହିଲେ, ମୁଁ ଖେଳ ଆରମ୍ଭ କରିବା ବେଳକୁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହୋଇ ନଥିଲା। ବହୁତ କଷ୍ଟ ସ୍ବୀକାର କରି ଖେଳିବାକୁ ପଡ଼ୁଥିଲା। କିନ୍ତୁ ଏବେ ସରକାର କ୍ରୀଡ଼ାକୁ ବିଶ୍ବସ୍ତରରେ ପହଞ୍ଚାଇଛନ୍ତି। କ୍ରୀଡ଼ାର ଉନ୍ନତି ପାଇଁ ତିନୋଟି ଜିନିଷ; ଭିତ୍ତିଭୂମିର ବିକାଶ, ପ୍ରଶିକ୍ଷଣ ଏବଂ ତାହା ସହ ପ୍ରତିଯୋଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଜାତୀୟସ୍ତରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କଠାରୁ ଯେତିକି ସ୍ନେହ, ସହଯୋଗ ମିଳିଛି, ତାହା ମୋତେ ପ୍ରେରଣା ଦେଇଛି। ଆଗକୁ ରାଜ୍ୟ ପାଇଁ ଅଧିକରୁ ଅଧିକ ଗୌରବ ଆଣିବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ କହିଥିଲେ। ଅଧିବେଶନକୁ ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର