ଓଡ଼ିଶାରୁ କଶ୍ମୀର ଗଲେ ୭ କମ୍ପାନି ସିଆର୍‌ପିଏଫ୍‌ ଯବାନ

ଭୁବନେଶ୍ବର : ଜମ୍ମୁ-କଶ୍ମୀରରେ ଆସନ୍ନ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶାରୁ ୩ ଦଫାରେ ୭ କମ୍ପାନିର ପାଖାପାଖି ୭୫୦ଜଣ ସିଆରପିଏଫ୍‌ ଯବାନଙ୍କୁ କଶ୍ମୀର ନିଆଯାଇଛି। ଗତକାଲି ସକାଳେ ବାୟୁସେନାର ସ୍ବତନ୍ତ୍ର ବିମାନ(ସିବି-୮୦୦୯) ଯୋଗେ ୨୫୦ଜଣ ଯାଇଥିବା ବେଳେ ଅପରାହ୍‌ଣ ଗୋଟାଏ ଓ ୬ଟା ‌ବେଳେ ୨୫୦ ଲେଖାଏଁ ଯବାନ କଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି। ଦୁଇଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଏ ସଂପର୍କିତ ଚିଠି ଆସିବା ପରେ ଭୁବନେଶ୍ବର ସିଆରପିଏଫ୍‌ର ୧୨୦ ବାଟାଲିୟନରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଭିନ୍ନ ନକ୍ସଲ ଅଞ୍ଚଳରେ କାର୍ଯ୍ୟରତ ଯବାନ୍‌ମାନଙ୍କୁ ଅଣାଯିବା ସହ ଏଠାରେ ରହିଥିବା ପ୍ରଶିକ୍ଷଣପ୍ରାପ୍ତ ଯବାନମାନଙ୍କୁ ପ୍ରସ୍ତୁତ କରାଯାଇଥିଲା। ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ହେବା ପରେ ସମସ୍ତଙ୍କୁ ସିଆରପିଏଫ୍‌ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ଏକ ଐତିହାସିକ ପଦକ୍ଷେପରେ ନିଜକୁ ସାମିଲ କରି ସଫଳତାର ସହ ଫେରିବା ପାଇଁ ଯବାନ୍‌ମାନଙ୍କୁ ସିଆରପିଏଫ୍‌ ଆଇଜି ବିଥୁଲ କୁମାର ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ, ଯବାନମାନେ ପୁଣିଥରେ ଯିବାକୁ ମଧ୍ୟ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ଗତକାଲି ବିମାନବନ୍ଦର ପରିସରରେ ଏହି ସ୍ବତନ୍ତ୍ର ପୋଷାକ ପିନ୍ଧା ଯବାନମାନଙ୍କ ଭିଡ଼ ଜମିଥିଲା। ତିନୋଟି ଦଫାରେ ଯିବାକୁ ଥିଲେ ମଧ୍ୟ ଏକ ସମୟରେ ସମସ୍ତ ଯବାନ ଏୟାରପୋର୍ଟରେ ପହଞ୍ଚିଥିଲେ। କେତେକଙ୍କର ପରିଜନ ମଧ୍ୟ ବିମାନବନ୍ଦରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର