୬ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ରର ପ୍ରଭାବ ସେଭଳି ରହିବ ନାହିଁ। ତେବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ରହିଛି। ୬ କିମ୍ବା ୭ ତାରିଖ ବେଳକୁ ତାହା ଲଘୁଚାପ ବଳୟରେ ପରିଣତ ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଅଗଷ୍ଟ ୫ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୭ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୪ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୫ତାରିଖ ଯାଏଁ ବରଗଡ଼, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ତେବେ ଏହାର ୨୪ଘଣ୍ଟା ପର୍ଯ୍ୟନ୍ତ କୋହଲା ପାଗ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ୬ ତାରିଖଠାରୁ ପାଗ ବଦଳିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ୭ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ୫ ତାରିଖ ସକାଳ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗର ଉପରେ ରହିଥିବା ଗଭୀର ଅବପାତ ଦୁର୍ବଳ ହୋଇ ବଙ୍ଗୋପସାଗର ଆଡ଼କୁ ଗତି କରିବ। ବର୍ତ୍ତମାନ ଏହା ମିଆଁମାର ଓ ବାଂଲାଦେଶ ଦେଇ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି। ଏହା ଲଘୁଚାପର ରୂପ ନେଇ ଅଗଷ୍ଟ ୫ ତାରିଖ ରାତିରେ ବଙ୍ଗୋପସାଗର ଉପରେ ପହଞ୍ଚିବ। ସେହିପରି ଦକ୍ଷିଣ ଚାଇନା ଉପରେ ଥିବା ଆଉ ଏକ ଗଭୀର ଅବପାତ ଟ୍ରପିକାଲ ସାଇକ୍ଲୋନରେ ପରିଣତ ହୋଇଛି। ପ୍ରଭାବରେ ଆସନ୍ତା ୫ ତାରିଖରୁ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଦୁଇଟି ଲଘୁଚାପର ମିଶ୍ରଣ ହେବାର ଆଶଙ୍କା ଥିବାରୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଗତ ୧୨ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୪.୪ ମିମି ବର୍ଷା ହୋଇଛି। ମାଲକାନଗିରିରେ ୧୪, ବାରିପଦାରେ ୧୩, ଭୁବନେଶ୍ବରରେ ୬.୬, ବଲାଙ୍ଗୀରରେ ୬.୬ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର