ସାରା ରାଜ୍ୟ ପାଇଁ ଆସିଲା ଗୋଟିଏ ଘର ନୀତି

ଘରୋଇ ସଂସ୍ଥାକୁ ଅଧିକ ଫାଇଦା, ପିପିପି ଗୃହ ପ୍ରକଳ୍ପରେ ସରକାରଙ୍କର ୪୦%, ଘରୋଇ ସଂସ୍ଥାର ୬୦%

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତିରେ ରହୁଥିବା ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ଆବାସ ମିସନ୍ କରିଛନ୍ତି। ଏଥିରେ ପିପିପି ମୋଡରେ ‌ଘରୋଇ ସଂସ୍ଥା ସହ ଚୁକ୍ତି ହେଉଛି। ଘର ତୋଳୁଥିବା ସଂସ୍ଥା ୬୫% ଜମିରେ ସରକାରଙ୍କ ଚାହିଦା ଅନୁଯାୟୀ ଘର ନିର୍ମାଣ କରିବ ଏବଂ ୩୫% ନିଜ ପସନ୍ଦର କରିବ। ତାହାକୁ ବ୍ୟବସାୟିକ ହେଉ କି ଆବାସିକ ନିଜ ପସନ୍ଦ ଅନୁସାରେ ବ୍ୟବହାର କରିପାରିବ ବୋଲି ନିୟମ କରିଛନ୍ତି। ଏହାବାଦ୍ ଘର ନିର୍ମାଣ ପାଇଁ ସରକାର ବି କିଛି ଅର୍ଥ ଦେଉଛନ୍ତି। ହେଲେ ଏହି ଯୋଜନା କାମ କରୁନି। ରାଜ୍ୟ ସରକାର ସହରାଞ୍ଚଳରେ ଯେଉଁଭଳି ଘର କରିବାକୁ ଚାହୁଁଛନ୍ତି ସେହି ଟାର୍ଗେଟ୍ ହାସଲ କରିପାରୁନାହାନ୍ତି। ରାଜଧାନୀରେ ବି ଘରୋଇ ସଂସ୍ଥା ଏହିଭଳି ପିପିପି ମୋଡରେ ଘର କରିବାକୁ ଚାହୁଁନାହାନ୍ତି। ବାକି ଅଞ୍ଚଳ ଦୂର କଥା। ସେହିପରି ଅର୍ଥନୈତିକ ଦୁର୍ବଳ‌ ଶ୍ରେଣୀ ତଥା ନିମ୍ନ ଆୟକାରୀ ବର୍ଗ ଲୋକଙ୍କ ପାଇଁ ସରକାର ବହୁ ଯୋଜନା କରୁଥିଲେ ବି ଅର୍ଥ ବାଧକ ସାଜୁଥିବାରୁ ଗୃହ ପ୍ରକଳ୍ପ କରିପାରୁନାହାନ୍ତି। ତେଣୁ ରାଜ୍ୟ ସରକାର ଘର ନୀତି-୨୦୧୫ରେ ସଂଶୋଧନ ଆଣିଛନ୍ତି। ଏଥିରେ ନିଜ ପାଖରେ ୪୦% ଜମି ରଖିବେ, ଘରୋଇ ସଂସ୍ଥାକୁ ୬୦% ଜମି ଦେବେ। ଆଉ ଘର ନିର୍ମାଣ ପାଇଁ କିଛି ଅର୍ଥ ଦେବେନି। ଏହାଦ୍ବାରା ଘରୋଇ ସଂସ୍ଥାକୁ ଆକର୍ଷଣ କରିବା ସହ ସହରାଞ୍ଚଳରେ ଅଧିକ ଘର ନିର୍ମାଣ ହୋଇପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ମଧ୍ୟରେ ୬୫:୩୫ ଅନୁପାତ ଥିଲା। ୩୫% ଜମି ଘରୋଇ ସଂସ୍ଥାକୁ ମିଳୁଥିବାରୁ ଘରୋଇ ସଂସ୍ଥା ରାଜି ହେଉନଥିବା ଜାଣିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପିପିପି ଗୃହ ପ୍ରକଳ୍ପରେ ଘରୋଇ ସଂସ୍ଥାକୁ ଏତେ ଅଂଶ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ। ଏବେ ରାଜ୍ୟ ସରକାର ଜମିରେ ଘର ନିର୍ମାଣ ପାଇଁ ଯେତିକି ଅର୍ଥ ଲଗାଉଛନ୍ତି ତାହାକୁ ଲୋକଙ୍କୁ ଘର ବିକି ଆଦାୟ କରୁଛନ୍ତି। କିନ୍ତୁ ଆଗକୁ ରାଜ୍ୟ ସରକାର ଅର୍ଥ ଲଗାଇବେନି କେବଳ ଘର ବିକି ଟଙ୍କା ପାଇବେ। ଜମି ଦେବେ, ଘରୋଇ ସଂସ୍ଥା ଘର ନିର୍ମାଣ କରିବେ, ରାଜ୍ୟ ସରକାର ଘର ବିକିବେ। ଏବେ ଏଫ୍‌ଏଆର୍ ୭ କରାଯାଇଥିବାରୁ ପୂର୍ବାପେକ୍ଷା ଅଧିକ ଉଚ୍ଚା ଉଚ୍ଚା ଘର ହେବ। ଏହାଦ୍ବାରା ଘରୋଇ ସଂସ୍ଥା‌ ଅଧିକ ଲାଭାବାନ ହେବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ରାଜଧାନୀରେ ବିଡିଏ ବହୁ ଗୃହ ପ୍ରକଳ୍ପ କରିବାକୁ ଯୋଜନା କରିଛି। ଆଗାମୀ ଦିନରେ ବହୁ ବସ୍ତି ହଟାଇ ଗୃହ ପ୍ରକଳ୍ପ ହେବାର ଯୋଜନା ଅଛି। ଗତ କିଛି ବର୍ଷ ହେଲା ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରାଜ୍ୟ ସରକାର ଅଧିକ ଘର ନିର୍ମାଣ କରିପାରିନାହାନ୍ତି। ତେଣୁ ଅଧିକ ଘରୋଇ ସଂସ୍ଥାକୁ ନିୟୋଜିତ କରି ଘର ନିର୍ମାଣ କରିବାକୁ ଯୋଜନା ଅଛି। ସେହିପରି ଘରବାରି ବିକ୍ରୟ ପ୍ରକଳ୍ପରେ ୨୦% ଜମି ଇଡବ୍ଲୁଏସ୍‌ ଏବଂ ଏଲ୍‌ଆଇଜି ବର୍ଗଙ୍କ ପାଇଁ ସଂରକ୍ଷଣ ରଖିବା ବାଧ୍ୟତା ମୂଳକ ରଖାଯାଇଛି।

ସମ୍ବନ୍ଧିତ ଖବର