ଜଣେ ବ୍ୟକ୍ତି, ଦୁଇଟି ସରକାରୀ ଅନୁଷ୍ଠାନରେ ଶିକ୍ଷାଦାନ

ଢେଙ୍କାନାଳ ଅଙ୍ଗନବାଡ଼ି ତାଲିମ କେନ୍ଦ୍ର ଅଧ୍ୟକ୍ଷା, ରେଭେନ୍ସାରେ ଅତିଥି ଅଧ୍ୟାପିକା

କଟକ : ଜଣେ ବ୍ୟକ୍ତି, ହେଲେ ଦୁଇଟି ସରକାରୀ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାଦାନ କରୁଛନ୍ତି। ଏପରିକି ଦୁଇଟି ସ୍ଥାନରୁ ଦରମା ବା ପାରିଶ୍ରମିକ ବାବଦରେ ଟଙ୍କା ବି ନେଉଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ି ତାଲିମ କେନ୍ଦ୍ର, ଢେଙ୍କାନାଳର ଅଧ୍ୟକ୍ଷା ଭାବେ କାମ କରୁଥିବା ଡକ୍ଟର ସସ୍ମିତା ପଟ୍ଟନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗରେ ଅତିଥି ଅଧ୍ୟାପିକା ଭାବେ ଶିକ୍ଷାଦାନ କରୁଛନ୍ତି। ଜଣେ ବ୍ୟକ୍ତି ଦୁଇଟି ସରକାରୀ ସଂସ୍ଥାରେ କାମ କରି ଦରମା ନେଉଥିବା ବେଳେ ଏହାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ରେଭେନ୍ସା କୁଳସଚିବ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।

ସରକାରୀ ନିୟମ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ସରକାରୀ ସଂସ୍ଥାରେ କାମ କରିବା ସମୟରେ ଅନ୍ୟ କେଉଁଠି କାମ କରିପାରିବ ନାହିଁ। ମାତ୍ର ଅଙ୍ଗନବାଡ଼ି ‌ଟ୍ରେନିଂ ସେଣ୍ଟର, ଢେଙ୍କାନାଳରେ ଅଧ୍ୟକ୍ଷା ଭାବେ କାମ କରୁଥିବା ଡକ୍ଟର ସସ୍ମିତା ପଟ୍ଟନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାମ କରୁଛନ୍ତି। ଏପରିକି ‌ଦୁଇଟି ସଂସ୍ଥାରୁ ଦରମା ମଧ୍ୟ ନେଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ଅଙ୍ଗନବାଡ଼ି ତାଲିମ କେନ୍ଦ୍ରରେ ସସ୍ମିତା ବହୁ ବର୍ଷ ଧରି ଅଧ୍ୟକ୍ଷା ପଦବିରେ ଥିବାବେଳେ ୨୦୧୭ରୁ ରେଭେନ୍ସାରେ ଅତିଥି ଅଧ୍ୟାପିକା ଭାବେ କାମ କରି ଆସୁଛନ୍ତି। ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ସହ ଛାତ୍ରଛାତ୍ରୀଙ୍କ ଆଡମିସନ୍‌, ପରୀକ୍ଷା ପରିଚାଳନା, ଉତ୍ତରଖାତା ମୂଲ୍ୟାଙ୍କନ ପରି କାମ ବି କରୁଛନ୍ତି।

ଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରେ ତାଙ୍କ ନାମ, ଦୁଇଟି ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଠିକଣା ମଧ୍ୟ ରହିଛି। ରେଭେନ୍ସା ୱେବ୍‌ସାଇଟ୍‌ରେ ଯେଉଁ ନମ୍ବର ରହିଛି, ତାହା ‌ଢେଙ୍କାନାଳ ଅଙ୍ଗନବାଡି ଟ୍ରେନିଂ ସେଣ୍ଟରର ଜିନିଷ କିଣିବା ପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ମଧ୍ୟ ରହିଛି। ତାଲିମ କେନ୍ଦ୍ରର ସରକାରୀ କ୍ବାର୍ଟର୍ସରେ ଡକ୍ଟର ପଟ୍ଟନାୟକ ରହୁଛନ୍ତି। ଗୋଟିଏ ସରକାରୀ ଶିକ୍ଷା ଅନୁଷ୍ଠାନରେ ଅଧ୍ୟକ୍ଷା ଭାବେ କାମ କରି ଦରମା ନେଉଥିବା ବେଳେ ରେଭେନ୍ସାରୁ ଅତିଥି ଅଧ୍ୟାପିକା ରହି ପାରିଶ୍ରମିକ ନେବା ବିଷୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେପଟେ ଡକ୍ଟର ପଟ୍ଟନାୟକ ଢେଙ୍କାନାଳସ୍ଥିତ ତାଙ୍କ କାର୍ଯ୍ୟାଳୟ ଛାଡ଼ି କ୍ଲାସ୍‌ କରିବାକୁ କିପରି କଟକ ଆସୁଛନ୍ତି ଏହା ଉପରେ ତଦନ୍ତ କରିବା ପାଇଁ ଜଣେ ସାମାଜିକ କର୍ମୀ ରେଭେନ୍ସା କୁଳପତି ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଅସୀମା ସାହୁଙ୍କୁ ପଚାରିବାରେ, ଡକ୍ଟର ପଟ୍ଟନାୟକଙ୍କ ବିଷୟରେ ଆମ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ତଦନ୍ତ କରାଯିବ ଓ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର