ଡ୍ରାଇଭିଂ ଲାଇସେନ୍‌ସ ନବୀକରଣ ପାଇଁ ମିଳିବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର

ଜାନୁଆରି ୨୬ରୁ ଆରମ୍ଭ ହେବ ‌ସେବା, ୧୬୭ ପ୍ରାଧିକୃତ ଡାକ୍ତର ଦେବେ ପ୍ରମାଣପତ୍ର

କଟକ: ଜାନୁଆରି ୨୬ ତାରିଖରୁ ଡିଏଲ୍‌ (ଡ୍ରାଇଭିଂ ଲାଇସେନ୍ସ) ବା ଏଲ୍‌ଏଲ୍‌(ଲର୍ଣ୍ଣର ଲାଇସେନ୍ସ) ପାଇଁ ଆବେଦନ ଅଥବା ଲାଇସେନ୍ସ ନବୀକରଣ ପାଇଁ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ। ପ୍ରଚଳିତ ନିୟମ ଅନୁସାରେ, ଏବେ ଆବେଦନକାରୀମାନେ ଏକ କାଗଜ ଫର୍ମାଟ୍‌ରେ ଡାକ୍ତରୀ ପ୍ରମାଣପତ୍ର ଦେଉଛନ୍ତି। ଏହି ପ୍ରମାଣପତ୍ରକୁ ଅନ୍‌ଲାଇନ୍ ଆବେଦନ ସମୟରେ ସାରଥୀ ପୋର୍ଟାଲରେ ଅପଲୋଡ୍ କରାଯ‌ାଉଛି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସଠିକତା ରହୁନାହିଁ। ଅଧିକାଂଶ ସମୟରେ ନକଲି ଡାକ୍ତର ପ୍ରମାଣପତ୍ର ଅପ୍‌ଲୋଡ୍ ହେଉଥିବା ‌ଦେଖିବାକୁ ମିଳୁଛି। ଏଥିରେ ସଂସ୍କାର ଓ ସ୍ବଚ୍ଛତା ଆଣିବା ପାଇଁ ପରିବହନ ବିଭାଗ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥ‌ା କରିଛି।

ଏମ୍‌ସିଆଇ ଅଧୀନରେ ଏମବିବିଏସ୍ ଡିଗ୍ରିଧାରୀଙ୍କ ଦ୍ବାରା ଏହି ଅନ୍‌ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ରାଜ୍ୟ ପରିବହନ ବିଭାଗ ଏକ ନୂତନ ଅନ୍‌ଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ପ୍ରାୟ ୧୬୭ଜଣ ଏମ୍‌ବିବିଏସ୍‌ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ସେମାନେ ଅନ୍‌ଲାଇନ୍‌ରେ ସାରଥୀ ପୋର୍ଟାଲ୍ ମାଧ୍ୟମରେ ଡିଏଲ୍‌ ଓ ଏଲ୍‌ଏଲ୍‌ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବେ। ଡାକ୍ତରଙ୍କ ବିବରଣୀ ସାରଥୀ ୱେବ୍‌ପୋର୍ଟାଲରେ ଉପଲବ୍ଧ ରହିଛି। ଏଥିରେ ଡାକ୍ତରଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ରହିଛି। ଡ୍ରାଇଭିଂ ଲାଇସେନ୍ସ ପାଇବା ପ୍ରକ୍ରିୟାକୁ ସରଳ କରିବା ଓ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ମୋଟରଯାନ ଆଇନ ଫର୍ମ ୧-ଇରେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ଥିବ‌ା ବେଳେ ଏବେ ଏହାକୁ ଅନ୍‌ଲାଇନ୍‌ରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର