ନିଜକୁ ନିଜେ ଅପହରଣ ନାଟକର ପର୍ଦ୍ଦାଫାସ୍, ଯୁବକ ସମେତ ୩ ଗିରଫ

ଋଣ ପରିଶୋଧ ପାଇଁ ରଚିଥିଲେ ନାଟକ, ପରିବାରଠୁ ଟଙ୍କା ଠକେଇ ମସୁଧା ଫସର ଫାଟିଲା

ସମ୍ବଲପୁର: ନିଜକୁ ନିଜେ ଅପହରଣର ନାଟକ ରଚି ପୁଲିସ ହାତରେ ଧରାପଡ଼ିଛନ୍ତି ଜଣେ ବିବାହିତ ଯୁବକ। ନିଜର ଦୁଇ ବନ୍ଧୁଙ୍କ ଜରିଆରେ ତାଙ୍କ ପତ୍ନୀଙ୍କୁ ଫୋନ କରି ଦାବି କରିଥିଲେ ୫ ଲକ୍ଷ ଟଙ୍କା। ଶେଷରେ ସେ ନିଜ ଜାଲରେ ନିଜେ ଛନ୍ଦି ହୋଇପଡ଼ିଛନ୍ତି। ଏହି ଅପହରଣ ନାଟକର ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ଧରାପଡ଼ିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସହରର କ୍ଷେତରାଜପୁରରେ। ପୁଲିସ ମୁଖ୍ୟ ଅଭିଯୁକ୍ତ କ୍ଷେତରାଜପୁର ଥାନା ଅନ୍ତର୍ଗତ ତାଲଭଟ୍ଟା ପଡ଼ାର ଆଦର୍ଶ ଘୋଷ ଓରଫ ଗୋଲୁ (୨୫) ଏବଂ ତାଙ୍କର ଦୁଇ ସହଯୋଗୀ ପ୍ରବୀଣ ସା (୨୮) ଓ ଶ୍ୟାମ ଓରଫ ଅନୀଲ ଶର୍ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିଜର ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରିବାରୁ ବର୍ତ୍ତିବା ପାଇଁ ଏବଂ ପରିବାରଠାରୁ ୫ ଲକ୍ଷ ଟଙ୍କା ଠକି ନେବା ପାଇଁ ଆଦର୍ଶ ଏଭଳି ଷଡ଼ଯନ୍ତ୍ର କରି ଫସି ଯାଇଥିବା ଏସଡିପିଓ ଭବାନୀ ଉଦଗାତା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୩ ତାରିଖ ରାତି ୮.୩୦ରେ ଆଦର୍ଶଙ୍କ ସ୍ତ୍ରୀ ମାତୁଷି କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ ଯେ ୧ ତାରିଖ ସକାଳୁ ତାଙ୍କ ସ୍ବାମୀ କାହାକୁ କିଛି ନ ଜଣାଇ କୁଆଡ଼େ ଚାଲି ଯାଇଛନ୍ତି। ୩ ତାରିଖ ଅପରାହ୍ନ ୩ଟାରେ ସ୍ବାମୀଙ୍କ ମୋବାଇଲରୁ ଅଜଣା ବ୍ୟକ୍ତି ଫୋନ କରି ଆଦର୍ଶଙ୍କୁ ଅପହରଣ କରାଯାଇଥିବା କହିବା ସହ ତାଙ୍କୁ ମୁକୁଳାଇବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏ ନେଇ ସମ୍ବଲପୁର ଡିଆଇଜି ସଂଜୀବ ଆରୋରାଙ୍କ ନିର୍ଦେଶରେ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକଙ୍କ ନେତୃତ୍ବରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଥାକଥିତ ଅପହୃତ ଆଦର୍ଶ ଘୋଷ ଓରଫ ଗୋଲୁଙ୍କ ଅବସ୍ଥିତି ଜାଣିବା ପାଇଁ ମୋବାଇଲ ଟ୍ରାକିଂ କରାଯାଇଥିଲା। ଏହାପରେ ଆଦର୍ଶ ଓ ତାଙ୍କର ୨ ସହଯୋଗୀଙ୍କୁ ପୁଲିସ ଧରିଥିଲା। ପଚରାଉଚରା ପରେ ଆଦର୍ଶ ହିଁ ନିଜ ଅପହରଣ ନାଟକ ରଚିଥିବା ଜଣାପଡ଼ିଥିଲା।

ପୁଲିସ କହିବା ଅନୁସାରେ, ଆଦର୍ଶ ବାପା-ମାଙ୍କ ଏକମାତ୍ର ପୁଅ । ତାଙ୍କର ଏକ ରାସନ ଦୋକାନ ଥିବାବେଳେ ସେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହୋଇଥିଲେ। ଏପରିକି ତାଙ୍କ ଉପରେ ୯ରୁ୧୦ ଲକ୍ଷ ଟଙ୍କାର କରଜ ରହିଥିଲା। ଏହାକୁ ସୁଝିବା ଆଦର୍ଶଙ୍କ ପାଇଁ କଷ୍ଟକର ଥିଲା। ଏଥିପାଇଁ ସେ ନିଜ ଦୁଇ ବନ୍ଧୁ ପ୍ରବୀଣ ଓ ଅନୀଲଙ୍କ ସହଯୋଗରେ ଏଭଳି ଅପହରଣ ନାଟକ ରଚିଥିଲେ। ଯୋଜନା ଅନୁଯାୟୀ, ୧ ତାରିଖ ସକାଳ ୮.୩୦ରୁ ଆଦର୍ଶ କାହାକୁ ନ ଜଣାଇ ଘରୁ ବାହାରି ଯାଇଥିଲେ। ଅନୀଲ ଓଡି-୧୫-ବି-୧୯୬୧ ନମ୍ବର କାରରେ ଆଦର୍ଶଙ୍କ ଘର ପାଖରେ ପହଞ୍ଚିଥିଲା। ସେଠାରୁ ଉଭୟ କାର୍‌ରେ ଶ୍ୟାମ ମନ୍ଦିର ପାଖରେ ପହଞ୍ଚିଥିଲେ। ସେଠାରେ ପ୍ରବୀଣ ସେମାନଙ୍କୁ ଅପେକ୍ଷା କରିଥିଲା। ସେଠାରୁ ୩ ଜଣ କାର୍‌ରେ ୩ ଦିନ ଧରି ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହିତ ଏହି ଏହି ମିଥ୍ୟା ଅପହରଣ ନାଟକ ରଚିଥିଲେ। ଅଭିଯୁକ୍ତ ଆଦର୍ଶ ସଟ୍ଟାରେ ବହୁ ଟଙ୍କା ହାରିଥିବା ନିଜେ ସ୍ବୀକାର କରିଛି। ତେବେ, ସେ ଆଇପିଏଲ୍‌ରେ ସଟ୍ଟା ଲଗାଇଥିବା ନେଇ ସନ୍ଦେହ କରାଯାଉଥିଲେ ମଧ୍ୟ ଏହାକୁ ସେ ଅସ୍ବୀକାର କରିଛି।

ସମ୍ବନ୍ଧିତ ଖବର