ଅପରାଧ ବୃଦ୍ଧି ନେଇ ବର୍ଷିଲେ ବିରୋଧୀ

ଦୋଷୀ ସାବ୍ୟସ୍ତରେ ବିଳମ୍ବ ନେଇ ଉଦ୍‌ବେଗ, ସବୁ ଜିଲ୍ଲାରେ ସାଇବର ଥାନା ପାଇଁ ଦାବି, ସ୍ବରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ଖରାପ ହେବାକୁ ବସିଲାଣି। ଏ ସରକାର ଦୁର୍ନୀତିଗ୍ରସ୍ତଙ୍କ ସହ ହାତ ମିଳାଇଛନ୍ତି। ଶାସକଦଳର ବଡ଼ ନେତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଆଇନର ଶାସନକୁ ଚାପି ଦିଆଯାଉଛି। ସାଇବର ଅପରାଧ ରୋକିବାକୁ ସବୁ ଜିଲ୍ଲାରେ ଥାନା ନାହିଁ କି ନାହାନ୍ତି ଆବଶ୍ୟକ କର୍ମଚାରୀ। ମହିଳା ଓ ଶିଶୁମାନଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। ଅଥଚ ପୁଲିସ ତଦନ୍ତ କରି ରିପୋର୍ଟ ଦେବାରେ ବିଳମ୍ବ ଯୋଗୁଁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରୁନି।

ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ରାଜ୍ୟରେ ପୁଲିସ ବ୍ୟବସ୍ଥାର ସବୁ ଅବ୍ୟବସ୍ଥାକୁ ଗୃହ ସାମ୍ନାକୁ ଆଣିଥିଲେ। ତେବେ ଖର୍ଚ୍ଚଦାବି ପାଇଁ ଭୋଟିଂ ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସୁଯୋଗ ନଦେବାରୁ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସୋମବାର ଗୃହରେ ଖର୍ଚ୍ଚଦାବି ଆେଲାଚନା ଆରମ୍ଭ କରି ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ବିକାଶ ରାସ୍ତାରେ ଅପରାଧ ବାଧକ ସାଜିଲେଣି। ନାୟକ ଚଳଚ୍ଚିତ୍ର ସୂଚାଇଛି କେତେ କମ ସମୟରେ ସରକାର ପରିବର୍ତନ କରିପାରନ୍ତି। ହେଲେ ଦୁଇ ଦଶନ୍ଧି ଧରି ସ୍ଥିର ସରକାର ପରେ ବି ରାଜ୍ୟ ଆଗେଇ ପାରୁନି। ଥାନାରେ ଲୋକ ନାହାନ୍ତି। ଅଧିକାଂଶ ରାଜ୍ୟରେ ଥାନାରେ ୩୦ ଜଣ କର୍ମଚାରୀ ଅଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୭ ରହିଛି। ୩ଟି ଗାଡି ରହିବା କଥା େଗାଟିଏ ଗାଡି, ତା ପୁଣି ଠେଲା। ତେଲ ଦେଉନାହାନ୍ତି। ସରକାର ଯଦି ଭିତ୍ତିଭୂମି େଯାଗାଇ ନ ଦେବେ, ତେବେ ଥାନା ଓ ପୁଲିସକୁ ନିନ୍ଦା କରି କଣ ଲାଭ ହେବ। ନକ୍ସଲ ଦମନ କଥା କହୁଛନ୍ତି। କଳାହାଣ୍ଡିରେ ବଜାରରୁ େଟକିେନଇ ଗଳା କାଟିଦେଲେ। ଯିଏ ସୂଚନାକାରୀ, ସେ ସେଠି ମରୁଛି। ଏହି ଅବସରରେ ଶ୍ରୀ ନାୟକ ନାମ ନ ନେଇ ପିପିଲି, ଇତିଶ୍ରୀ, ପାଇକମାଳ, ମାହାଙ୍ଗା ଆଦି ଘଟଣା ସଂପର୍କରେ ଗୃହର ସ୍ମରଣ କରାଇଥିଲେ। ସେହିଭଳି ସମ୍ବଲପୁରରେ ବିଜୟନୀ କିଭଳି ପୁଲିସ କାର୍ଯ୍ୟ କଲା, େସ କଥା ବି ଉଠାଇଥିଲେ।

ବିେରାଧୀ ଦଳ ନେତା କହିଥିଲେ, ବିଟ୍ରିସ ଆଇନରେ ପୂର୍ଣ୍ଣଛେଦ ପାଇଁ ୨୦୦୬ ମସିହାରେ ରାଜ୍ୟ ସରକାର ପୁଲିସ ଆଇନ ଆଣିଲେ। ତରବରିଆ ଭାବେ ଅନୁେମାଦନ ହେଲା, ବିରୋଧୀ ଦଳ ଅନୁପସ୍ଥିତିରେ। ରାଜ୍ୟପାଳ ଏଥିରେ ଆପତ୍ତି ଉଠାଇଛନ୍ତି। ଏହା ପରଠାରୁ ଏହି ବିଲ ଶୀତଳଭଣ୍ଡାରରେ ପକାଇ ଦିଆଯାଇଛି। ସେହିଭଳି ଭୁବନେଶ୍ବର ସମେତ ପ୍ରାୟ ସବୁ ରାସ୍ତାରେ ଛିନତାଇ ଏବେ ବଡ଼ ଘଟଣା େହଲାଣି। ସବୁ ସ୍ଥାନରେ ସିସିଟିଭି ଲଗାଇବାରେ ଅସୁବିଧା କଣ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗତବର୍ଷ ଠାରୁ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ଶ୍ବେତ ପତ୍ରରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳୁଛି। ପ୍ରକାଶିତ ଶ୍ବେତପତ୍ରରେ ପୂର୍ବବର୍ଷର ତୁଳନାତ୍ମକ ଅପରାଧ ମାମଲା ସଂକ୍ରାନ୍ତ ତଥ୍ୟ ଦିଆଯାଉନି। ଚଳିତଥର ମଧ୍ୟ ସେହି ସମାନ ଅବସ୍ଥା ୨୦୧୮ ଶ୍ବେତପତ୍ରରେ ଦେଖିବାକୁ ମିଳିଛି। ସରକାର ବୋଧହୁଏ ରାଜ୍ୟରେ ପ୍ରତିଦିନ ମହିଳା ଓ ଶିଶୁମାନଙ୍କ ଉପରେ ଘଟୁଥିବା ଅତ୍ୟାଚାର ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ଘୋଡ଼ାଇବା ପାଇଁ ଏପରି କରିଥାଇପାରନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ସେ କହିଥିଲେ ୨୦୧୬ ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ ତଥ୍ୟ ଅନୁଯାୟୀ ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ଉପରେ ଘଟିଥିବା ଅପରାଧରେ ମାତ୍ର ୬.୨% ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଶ୍ରୀ ମିଶ୍ର ଅଭିଯୋଗ କରି କହିଥିଲେ ଖଣି ଦୁର୍ନୀତି ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ହେଲା। ଖଣିମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ଦିନକୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ବାହାର ଓକିଲ ନିଯୁକ୍ତ କଲେ। ରାଜ୍ୟରେ କେତେ ଆଇଏଏସ ଓ ଆଇପିଏସ ଅଫିସର ଦୁର୍ନୀତିଗ୍ରସ୍ତ ବୋଲି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ରଖିଛନ୍ତି। ଦୁର୍ଭାଗ୍ୟର କଥା ଯେତେବେଳେ ଦୁର୍ନୀତି କିମ୍ବା ଦୁର୍ନୀତିଗ୍ରସ୍ତଙ୍କ ବିଷୟରେ ପ୍ରଶ୍ନ ପଚାରିଲେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ବଦଳରେ ଏପରି ତଥ୍ୟ ସଂଗ୍ରହ କରିବା କଥା କହି ଏଡ଼ାଇଦେଇ ଆସୁଛନ୍ତି। ପ୍ରାଚୀ ହୋଟେଲ ପାଇଁ ଜିଏ ବିଭାଗ ଦ୍ବାରା ଆବଣ୍ଟିତ ହୋଇଥିବା ୫ ଏକର ଜମି ବର୍ଷାଧିକ କାଳ ଅବ୍ୟବହୃତ ହୋଇ ପଡ଼ିରହିଛି। ନିୟମାନୁଯାୟୀ, ୫ ବର୍ଷ ଧରି ଜମି ଅବ୍ୟହୃତ ରହିଲେ ସରକାର ତାକୁ ଫେରାଇ ଆଣିବା କଥା। କିନ୍ତୁ ଏ କ୍ଷେତ୍ରରେ ଜମି ପାଇଥିବା ବ୍ୟକ୍ତି ଜଣେ ଶାସକ ଦଳର ପ୍ରଭାବଶାଳୀ ନେତା ହୋଇଥିବାରୁ ଆଇନକୁ କାର୍ଯ୍ୟକାରି କରାଯାଉନି। ସେହିପରି ଖଣି ଦୁର୍ନୀତିରେ ସିବିଆଇ ତଦନ୍ତ ପାଇଁ ଶାହା କମିସନ ସୁପାରିସ କରିଥିଲେ। ୨୦୧୩ ଅକ୍ଟୋବରରେ ଶାହା କମିସନ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦେଲେ। ରିପୋର୍ଟ ଦେବାର ୬ ମାସ ଭିତରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦେବା କଥା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପାଖେଇ ଆସିଥିବାରୁ ତତ୍କାଳୀନ ୟୁପିଏ ସରକାର ଆଉ କମିସନଙ୍କ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ େନଇପାରିନଥିଲେ।

ଶ୍ରୀ ମିଶ୍ର ସରକାରଙ୍କୁ କେତୋଟି ପ୍ରସ୍ତାବ ଦେଇ କହିଥିଲେ, ତଦନ୍ତକାରୀ ପୁଲିସ ଓ ଆଇନଶୃଙ୍ଖଳା ରକ୍ଷା କରୁଥିବା ପୁଲିସକୁ ଅଲଗା କରାଯାଉ। ସବୁ ପିପିଏସ ଓ ଏପିପିଏସ ନିଯୁକ୍ତିକୁ କ୍ୟାଡରଭୁକ୍ତ କରାଯାଉ। ସାଇବର ଥାନା ୪ଟି ପରିବର୍ତ୍ତେ ସବୁ ଜିଲ୍ଲାରେ କରାଯାଉ।

ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଅଭିଯୋଗ କରି କହିଥିଲେ ଓଡ଼ିଶା ଉପକୂଳ ଏବେ ଅସୁରକ୍ଷିତ ହୋଇଯାଇଛି। ଦିଲ୍ଲୀ, ମୁମ୍ବାଇରେ କଡ଼ାକଡ଼ି ଚେକିଂ ହେବା ଫଳରେ ଏବେ ଭଦ୍ରକର ଧାମରାରେ ଆରଡିଏକ୍ସ, ଚରସ ପରି ନିଶାଦ୍ରବ୍ୟ ଆସି ପହଞ୍ଚିଲାଣି। ଅଥଚ ଆଇନଶୃଙ୍ଖଳା ଠିକ ଅଛି ବୋଲି କହିବା ହାସ୍ୟାସ୍ପଦ। ବାଲେଶ୍ବରରେ ପୁଲିସକୁ ମହିଳା ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏଠି ପୁଲିସ ବି ଅସହାୟ ହେଲାଣି। ପୁଲିସର ଜୀବନକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ।

ଶାସକ ଦଳ ସଭ୍ୟ ପ୍ରତାପ ଦେବ ପାଲଟା ଅଭିଯୋଗ କରି କହିଥିଲେ, ବିଜେପି ଶାସିତ ରାଜ୍ୟରେ ଅପରଧୀକ କାର୍ଯ୍ୟକଳାପ ବଢ଼ୁଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ରାଜ୍ୟ ଦେଇଥିବା ୨୦୧୭ ଓ ୨୦୧୮ ଅପରାଧିକ ରେକର୍ଡ଼ ତଥ୍ୟ ଏନସିଆରବି େଵବସାଇଟରେ ଅପଲୋଡ଼ କରୁନାହାନ୍ତି। ସେଥିପାଇଁ ୨୦୧୬ ପରଠାରୁ ଅପରାଧୀକ ରେକର୍ଡ଼ ଉପଲବ୍ଧ ହେଉନାହିଁ। ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଅଛି। ପୁଲିସ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧୮ରୁ ଟଙ୍କା ଦେବା ବନ୍ଦ କରିଦେଇଛନ୍ତି। ସିସିଟିଏନଏସ ବ୍ୟବସ୍ଥା ପାଇଁ ୧୩୯ କୋଟି ଟଙ୍କାରୁ କେନ୍ଦ୍ରୀୟ ଅଂଶ ବାବଦରେ ଟଙ୍କାଟିଏ ବି ମିଳିନି। ସରକାରଙ୍କୁ ପ୍ରସ୍ତାବ ଦେଇ ସେ କହିଥିଲେ ଲୋକଙ୍କ ପାଖରେ ପୁଲିସ ପହଞ୍ଚିବା ପାଇଁ ସରକାରଙ୍କ ପ୍ରସ୍ତାବିତ ୧୧୨ ପୁଲିସ ଗାଡ଼ି ପାଇଁ ବଜେଟରେ ବ୍ୟବସ୍ଥା କରାଯାଉ। ପୁଲିସ ସ୍କୁଲରେ ପାଠ ପଢ଼ୁଥିବା ପୁଲିସ କର୍ମଚାରୀଙ୍କ ପିଲାଙ୍କ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥା କରାଯାଉ। ଆଇନଶୃଙ୍ଖଳା ଓ ତଦନ୍ତ ପୁଲିସକୁ ଅଲଗା ସବୁ ଥାନାରେ ନକରି ପାରିଲେ ଆଗ କମିସନରେଟ ପୁଲିସରେ ଆରମ୍ଭ କରିବାକୁ ଶ୍ରୀ ଦେବ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ଅମର ପ୍ରସାଦ ଶତପଥୀ, ପ୍ରୀତିରଞ୍ଜନ ଘଡ଼େଇ, ଲତିକା ପ୍ରଧାନ ଓ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର