ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ସଂଶୋଧନକୁ ବିରୋଧ, ନିଷ୍ପତ୍ତି ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ କୁଳପତି

ଭୁବନେଶ୍ୱର : ତରବରିଆ ଭାବେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ସଂଶୋଧନ ବିରୋଧରେ ସ୍ବର ଶାଣିତ ହେବାରେ ଲାଗିଛି। ବିଜେପି, କଂଗ୍ରେସ କଡ଼ା ବିରୋଧ କରିଥିବା ବେଳେ ଏବେ ପୂର୍ବତନ କୁଳପତିମାନେ ବିଶ୍ବବିଦ୍ୟାଳୟର ମର୍ଯ୍ୟାଦା ବଞ୍ଚାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଦୁଇ ଦିନ ତଳେ ଅନ୍‌ଲାଇନ୍‌ ଆଲୋଚନାରେ ଭାଗ ନେଇ ପୂର୍ବତନ କୁଳପତି, ଅବସରପ୍ରାପ୍ତ ପ୍ରଫେସର, ବୁଦ୍ଧିଜୀବୀ, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ। ଆଉ ଆଜି ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ପୂର୍ବତନ କୁଳପତି ଓ ପ୍ରଫେସର୍‌ମାନଙ୍କ ଏକ ପ୍ରତିନିଧି ଦଳ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ସାକ୍ଷାତ କରି ବିଶ୍ବବିଦ୍ୟାଳୟର ମର୍ଯ୍ୟାଦା ବଞ୍ଚାଇବାକୁ ଅନୁରୋଧ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ବିନାୟକ ରଥ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ଶିବ ପ୍ରସାଦ ଅଧିକାରୀ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ଶିବ ପ୍ରସାଦ ରଥ, ଜେଏନ୍‌ୟୁର ପୂର୍ବତନ ପ୍ରଫେସର୍‌ ଅଜିତ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର୍‌ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀ ଆଜି ଅପରାହ୍‌ଣରେ କୁଳାଧିପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅଧ୍ୟାଦେଶ ଆଇନରେ ପରିଣତ ହେଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱତନ୍ତ୍ରତା ହ୍ରାସ ପାଇବା ସହ ଉଚ୍ଚଶିକ୍ଷାର ମାନ କମିବ। ରାଜ୍ୟ ସରକାରଙ୍କ ଏହି ଉଚ୍ଚଶିକ୍ଷା ବିରୋଧୀ ଆଇନକୁ ରାଜ୍ୟପାଳ ମଞ୍ଜୁରି ନଦେଇ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବିଧାନ ଅନୁସା‌‌ରେ, ଉଚ୍ଚଶିକ୍ଷା ବିଷୟରେ ଆଇନ ପ୍ରଣୟନର ଅଧିକାର କେବଳ କେନ୍ଦ୍ର ସରକାରଙ୍କର ରହିଛି। ଏହି ଅଧ୍ୟାଦେଶ ୟୁଜିସି ଆଇନର ପରିପନ୍ଥୀ ଓ ଅଦାଲତରେ ନାକଚ ହେବାର ସମ୍ଭାବନା ନିଶ୍ଚିତ। ନୂତନ ଶିକ୍ଷାନୀତି ଅନୁଯାୟୀ ସବୁ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ମହାବିଦ୍ୟାଳୟ ଭଳି କରିବା ଦୁଃଖର ବିଷୟ। ଦେଶର କୌଣସି ରାଜ୍ୟରେ ସିନେଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ନାହିଁ। ଓଡ଼ିଶାରେ ଏଭଳି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଣ୍ଡିକେଟ ଓ ଅଧ୍ୟାପକ ଚୟନରେ ଅମଲାତନ୍ତ୍ରର ହସ୍ତକ୍ଷେପକୁ ସେମାନେ ନିନ୍ଦା କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ରାଜ୍ୟପାଳ ପ୍ରତିନିଧି ଦଳର ମତାମତ ଜାଣିଲା ପରେ ଏହି ଅଧ୍ୟାଦେଶ ଆଇନ ପ୍ରଣୟନ ହେବା ପୂର୍ବରୁ ଗୁରୁତ୍ବର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

ଏହି କ୍ରମରେ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି, ଓଡ଼ିଶା ଶାଖା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନ୍‌ଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଅବସରପ୍ରାପ୍ତ ଶିକ୍ଷାବିତ୍‌, ଅଧ୍ୟାପକ, ବୁଦ୍ଧିଜୀବୀ ଅନ୍‌ଲାଇନରେ ଦସ୍ତଖତ କରି ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଛାତ୍ର, ଶିକ୍ଷକ, ଅଧ୍ୟାପକ, ଶିକ୍ଷାବିତ୍ ତଥା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିନିଧିକୁ ନେଇ ଯେଉଁ ସିନେଟ୍ ଥିଲା, ତାହାକୁ ଉଠାଇ ଦିଆଯାଇଛି। ସିଣ୍ଡିକେଟ୍‌ରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକ ମନୋନୀତ ସଭ୍ୟମାନଙ୍କୁ ଅବସ୍ଥାପିତ କରିବାର ବ୍ୟବସ୍ଥା ହୋଇଛି। କୁଳପତି ମନୋନୟନ କମିଟିରେ ସିଣ୍ଡିକେଟ୍‌ର ଜଣେ ପ୍ରତିନିଧିଙ୍କ ଉପସ୍ଥିତିକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ତାଙ୍କ ସ୍ଥାନରେ ସରକାରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ନିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ପରିଚାଳନା କ୍ଷେତ୍ରରେ ରାଜନୈତିକ ଓ ଅମଲାତାନ୍ତ୍ରିକ ହସ୍ତକ୍ଷେପ ବୃଦ୍ଧି କରିବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଆଇନକୁ ବାତିଲ କରାଯାଇ ସରକାରୀ ବ୍ୟବସ୍ଥା ଲାଗୁ ହେବା ଦ୍ବାରା ରାଜ୍ୟର ଏହି ପୁରାତନ ଶିକ୍ଷ‌ାନୁଷ୍ଠାନର ଉନ୍ନତି ବାଧାପ୍ରାପ୍ତ ହେବ।

ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଅସ୍ପଷ୍ଟ ସଂରକ୍ଷଣ ନୀତି ତଥା ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ ମଞ୍ଜୁରି କମିସନର(ୟୁଜିସି) ନିଯୁକ୍ତି ନିୟାମକ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ବ୍ୟାଘାତ ହୋଇଛି। ଅକୃତକାର୍ଯ୍ୟ ହେଉଥିବା ବହୁତ ପ୍ରାର୍ଥୀ କୋର୍ଟର ଆଶ୍ରୟ ନେଉଛନ୍ତି ଓ ସରକାରଙ୍କ ସ୍ପଷ୍ଟ ନୀତି ଅଭାବରୁ ବହୁ କ୍ଷେତ୍ରରେ କୋର୍ଟ ନିଯୁକ୍ତି ଫଳାଫଳକୁ ସ୍ଥଗିତ ରଖିଛନ୍ତି। ଏ କ୍ଷେତ୍ରରେ ଥିବା ମୂଳ ସମସ୍ୟାଗୁଡ଼ିକୁ ସମାଧାନ ନ କରି ବିଶ୍ୱବିଦ୍ୟାଳୟ କ୍ଷମତାକୁ ଅପହରଣ କରି ନିଆଯିବାର ଚିନ୍ତାର ବିଷୟ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସ୍ମାରକପତ୍ରରେ ଉ‌ଲ୍ଲେଖ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଥମେଟିକ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ରାଧାନାଥ ଇନଷ୍ଟିଚୁଟ ଅଫ୍‌ ଆଡଭାନ୍ସ ଷ୍ଟଡିଜ୍ ଇନ୍ ଏଜୁକେସନ୍‌ର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ମୋହନ ପାଣି, ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର ବିରେନ୍ଦ୍ର ନାୟକ, ଅବସରପ୍ରାପ୍ତ ବୈଜ୍ଞାନିକ ଆଶୁତୋଷ ପରିଡ଼ା, ରମେଶ ନାୟକ, ଅମରେନ୍ଦ୍ର ଦାସ, ପୂର୍ବତନ ବିଚାରପତି ବିଜୟ ରାଉତରାୟ ପ୍ରମୁଖ ଏଥିରେ ଦସ୍ତଖତ କରିଛନ୍ତି।

ସମ୍ବନ୍ଧିତ ଖବର