ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର ହେଲ୍‌ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ

୩୩୩ ସୁପର ସ୍ପେସାଲିଟି ହସ୍ପିଟାଲରେ ଲୋକ ପାଉଛନ୍ତି ଚିକିତ୍ସା

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଖର୍ଚବହୁଳ ଘରୋଇ ହସ୍ପିଟାଲମାନଙ୍କରେ ଉନ୍ନତ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଯୋଜନାଟି ଅଧିକରୁ ଅଧିକ ଲୋକପ୍ରିୟ ହେଉଥିବାରୁ ବିଏସ୍‌କେୱାଇ ଅଧୀନ ରୋଗୀମାନଙ୍କ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ହେଲ୍‌ପ-ଡେସ୍କ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପରିଚାଳନା ପରିଷଦର ସମୀକ୍ଷା ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟ ଭିତରେ ଓ ରାଜ୍ୟ ବାହାର ଘରୋଇ ହସ୍ପିଟାଲମାନଙ୍କରୁ ଯୋଜନା ଅଧୀନ ଲୋକଙ୍କ ଚିକିତ୍ସା ବାବଦରେ ଆସୁଥିବା ବିଲ୍‌ର ପୈଠ ପ୍ରକ୍ରିୟା ତ୍ବରାନ୍ବିତ କରାଯାଉ। ବିଲ୍‌ ପୈଠ ପ୍ରକ୍ରିୟା ସୁଗମ ଓ ବାଧାମୁକ୍ତ ହେଲେ ଲୋକମାନେ ସହଜରେ ଚିକିତ୍ସା ପାଇପାରିବା ସହିତ ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଥିଲେ।

ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ତଥା ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାଳିନୀ ପଣ୍ଡିତ କହିଲେ, ରାଜ୍ୟର ମୋଟ ୯୬.୫ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଛି। ବର୍ତମାନ ସୁଦ୍ଧା ୯୮ ପ୍ରତିଶତ ପରିବାରଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ସରିଛି। ଅବଶିଷ୍ଟ ପରିବାରଙ୍କୁ ଅଭିଯାନ ଭିତ୍ତିରେ କାର୍ଡ ବଣ୍ଟନ କରାଯାଉଛି। କାର୍ଡ ପାଇଁ ନ ଥିବା ଯୋଗ୍ୟ ବିବେଚିତ ପରିବାର ସଦସ୍ୟମାନେ ମଧ୍ୟ ନିଜର ଖାଦ୍ୟ ସୁରକ୍ଷା କାର୍ଡ ଜରିଆରେ ଚିକିତ୍ସା ପାଇପାରୁଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨୮ ଓ ୧୫ଟି ବାହାର ରାଜ୍ୟରୁ ୬୫ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲକୁ ଯୋଜନାରେ ସାମିଲ କରାଯାଇଛି। ଏଥିରେ ମୁମ୍ବାଇ ଓ କୋଲକାତାସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ, ସିଏମ୍‌ସି ଭେଲୋର, ନାରାୟଣ ହୃଦୟାଳୟ ହସ୍ପିଟାଲ ଗ୍ରୁପ, ଶଙ୍କର-କ୍ୟାନସର ହସ୍ପିଟାଲ ଗ୍ରୁପ, ବିଶାଖାପାଟଣାସ୍ଥିତ ଆପୋଲୋ, କେୟାର, ସେଭେନ ହିଲ୍‌ସ, ମହାତ୍ମାଗାନ୍ଧୀ କ୍ୟାନସର ପ୍ରତିଷ୍ଠାନ ଓ ‌ଫର୍ଟିସ ହେଲ୍‌ଥ କେୟାର ସାମିଲ ରହିଛି।

ରାଜ୍ୟ ଭିତରେ ସମ୍, କିମ୍‌ସ, ଆପୋଲୋ, ହାଇଟେକ୍, ସଦଗୁରୁ, ସାଇ ଶାନ୍ତି, ଜୟପ୍ରକାଶ ହସ୍ପିଟାଲ, ପଣ୍ଡା କ୍ୟାନସର ସେଣ୍ଟର, ଭୋମିକା ହସ୍ପିଟାଲ, ସର୍ବେଶ୍ବର ମେମୋରିଆଲ ହସ୍ପିଟାଲ ପ୍ରଭୃତି ହସ୍ପିଟାଲରେ ଲୋକମାନେ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି। ଏହାସହ ସମସ୍ତ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଓ ଔଷଧ ଦିଆଯାଉଛି। ପ୍ରାୟ ୧୫୯୨ ଗ୍ରୁପ୍ ଅଧୀନ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇରେ ବ୍ୟବସ୍ଥା କରାଯାଇଛି। ମାସିକ ପ୍ରାୟ ୪୦ହଜାର ରୋଗୀ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଉଛନ୍ତି। ସେମାନଙ୍କ ଚିକିତ୍ସା ବାବଦକୁ ସରକାର ମାସିକ ହାରାହାରି ୯୦କୋଟି ଟଙ୍କା ହସ୍ପିଟାଲଙ୍କୁ ପୈଠ କରୁଛନ୍ତି। ୨୦୨୧/୨୨ ଆର୍ଥିକ ବର୍ଷରେ ସମୁଦାୟ ୧,୯୭,୩୫୫ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ପୈଠ କରିଛନ୍ତି।
ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାକେ ଶର୍ମା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାସ୍କାରଜ୍ୟୋତି ଶର୍ମା ଓ ବିଭାଗର ଅନ୍ୟ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର