କୃଷି ଗବେଷଣା ପାଇଁ ହାତ ମିଳାଇଲେ ଓୟୁଏଟି-ଦିଲ୍ଲୀ ଆଇଆଇଟି

ଭୁବନେଶ୍ବର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶିକ୍ଷା, ଗବେଷଣାକୁ ସୁଦୃଢ଼ କରିବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଦିଲ୍ଲୀ ଆଇଆଇଟି ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଏହି ରାଜିନାମା ଦ୍ବାରା କୃଷି କ୍ଷେତ୍ରରେ ସେନ୍‌ସର ବ୍ୟବହାର, ପ୍ରିସିସିଅନ୍‌ ଫାର୍ମିଂ, ଜିଓସ୍ପସିଆଲ୍‌ ଜ୍ଞାନକୌଶଳ ବ୍ୟବହାର, ନାନୋଟେକ୍ନୋଲୋଜି ଓ ‌ଜୈବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଆଦି ବିଷୟରେ ଉଚ୍ଚତର ଗବେଷଣା ‌କରିବା ସୁବିଧାଜନକ ହୋଇପାରିବ। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୈଜ୍ଞାନିକମାନେ ଆଇଆଇଟିରେ ଥିବା ଗବେଷଣାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ। ଏଥିସହ ଗ୍ରାମାଞ୍ଚଳର କୃଷକଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନେ ଓୟୁଏଟି ସହ କାର୍ଯ୍ୟ କରିପାରିବେ। ଉଭୟ ଶିକ୍ଷାନୁଷ୍ଠାନର ଛ‌ାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଯୋଗୁଁ ଗବେଷଣାର ମାନ ଉନ୍ନତ ହୋଇପାରିବ। ଏହାବ୍ୟତୀତ ଉଭୟ ଶିକ୍ଷାନୁଷ୍ଠାନର ସାଧାରଣ ଆଭିମୁଖ୍ୟକୁ ସମର୍ଥନ କରୁଥିବା ନୂତନ ଗବେଷଣା ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯିବା ସମ୍ଭବ ହେବ। ଓୟୁଏଟି କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ଓ ଆଇଆଇଟି, ଦିଲ୍ଲୀର ନିର୍ଦେଶକ ଭି ରାମଗୋପାଳ ରାଓ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର