ପଖାଳ ମୋର ପ୍ରିୟ ଖାଦ୍ୟ: ଧର୍ମେନ୍ଦ୍ର

‘କନକ ନ୍ୟୁଜ୍‌’ର ୧୦ମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆଜିର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ପ୍ରିୟ ଖାଦ୍ୟ କ’ଣ ବୋଲି କନକ ନ୍ୟୁଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ସେ ପଖାଳ ଖାଇବାକୁ ଭଲ ପାଆନ୍ତି। ଓଡିଆ ଲୋକ, ତେଣୁ ପଖାଳ ପ୍ରତି ଦୁର୍ବଳତା ରହିଛି ବୋଲି କହିଥିଲେ। କିନ୍ତୁ ଉଚ୍ଚ ରକ୍ତ ଚାପ ଥିବାରୁ ଏବଂ ଡାଏବେଟିସ୍‌ର ଭୟ ଯୋଗୁ ଡାକ୍ତର ପଖାଳ ଖାଇବାକୁ ମନା କରିଥିଲେ ହେଁ ସେ ଏବେବି ଅନେକ ସମୟରେ ପଖାଳ ଖାଆନ୍ତି ବୋଲି କହିଥିଲେ।

ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ତାଙ୍କର ବ୍ୟସ୍ତବହୁଳ ରାଜନୈତିକ କାର୍ଯ୍ୟକ୍ରମ ଯୋଗୁ ସେ ପରିବାରକୁ ସମୟ ଦେଇପାରୁନଥିଲେ ହେଁ ତାଙ୍କୁ ପରିବାର ଲୋକଙ୍କର ସମର୍ଥନ ସର୍ବଦା ମିଳିଛି।

ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଏବଂ ତାଳଚେରରେ ଧର୍ମେନ୍ଦ୍ର ପ୍ରଧାନ ନୁହେଁ ମୁକୁ ହିସାବରେ ବହୁତ ପରିଚିତ। ନିଜେ ଫିଟ୍ ରହିବା ପାଇଁ ସେ ସକାଳୁ ୩୦ରୁ ୪୫ମିନିଟ ବ୍ୟାୟାମ କରନ୍ତି ଓ ଯୋଗ କରନ୍ତି। ଦିନକୁ ୧୦ ହଜାର ପାଦ ଚାଲିବାକୁ ପ୍ରୟାସ କରନ୍ତି।

ରାଜନୀତିରେ ତାଙ୍କର ମେଣ୍ଟର୍‌ କିଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ବିବେକାନନ୍ଦଙ୍କ ଦ୍ବାରା ସେ ପିଲାଦିନୁ ବହୁତ ପ୍ରଭାବିତ ହୋଇଥିଲେ। ଆରଏସ୍‌ଏସ୍‌, ଏବିଭିପିର ଆଦର୍ଶ, ଦୀନଦୟାଲ ଉପାଧ୍ୟାୟଙ୍କ ସାହିତ୍ୟ, ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟ ଉପଯୋଗୀ ନିଷ୍ପତ୍ତି ତାଙ୍କୁ ବେଶ୍ ପ୍ରଭାବିତ କରିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜୀବନଶୈଳୀକୁ ଦେଖି ସେ ବହୁତ ଶିଖିଛନ୍ତି ବୋଲି କହିଥିଲେ।

ସକାଳୁ ଉଠିଲେ ଆଗ ସମ୍ବାଦ ଇ-‌େପପର ପଢ଼ନ୍ତି। ସାମାଜିକ ଗଣମାଧ୍ୟମରେ ସେ ବହୁ ଅପ୍‌ ଟୁ ଡେଟ୍ ତଥ୍ୟ ପାଆନ୍ତି ବୋଲି କହିଥିଲେ। ସମୟ ମିଳିଲେ ଟିଭି ଦେଖନ୍ତି ବୋଲି କହିଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କୁ ଟ୍ରୋଲ୍‌ କଲେ ତାକୁ ସେ ଭୟ କରନ୍ତିନି ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମର ଟ୍ରୋଲ୍ ଚା’ ଦୋକାନର ଖଟି ଭଳି ବୋଲି କହିଛନ୍ତି। ଗୋଟିଏ ଦେଶ ଓ ଗୋଟିଏ ଭାଷାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଗୋଟିଏ ଭାଷା କଥା କେହି କହୁନାହାନ୍ତିି। କିଛି ଲୋକ ଓ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ଏହାକୁ ଅଯଥାରେ ଉଠାଉଛନ୍ତି।

ସେହିଭଳି ବିଜେପି ପାଇଁ ଓଡ଼ିଶାରେ ବଡ଼ ଚାଲେଞ୍ଜ କ’ଣ ବୋଲି ‌ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କର ଗୋଟିଏ ବିଭାଗ ‘ବିଜେଡି’ ଅଛି। କିଛି ଅଧିକାରୀ ଏଥିରେ ରହି କାର୍ଯ୍ୟ କରୁଛନ୍ତି। ଗତ ନିର୍ବାଚନରେ ଜିଲ୍ଲାପାଳ ସ୍ତରରେ କିଛି ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା କିଛି ପ୍ରଭାବଶାଳୀ ଲୋକଙ୍କ ସହ ମିଶି କାର୍ଯ୍ୟ କରିବାରୁ ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ଗଲା। ଆମେ ଆଗକୁ ଏନେଇ ପ୍ରସ୍ତୁତ ହେବୁ। ସେହିପରି କେବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ମୁଁ ତ ଚାହୁଁଛି ନିର୍ବାଚନ ଲଢ଼ିବାକୁ। ହେଲେ ଦଳ ନ ଚାହିଁବାରୁ ନିର୍ବାଚନ ଲଢ଼ିପାରିଲିନି। ଆଗକୁ ହୁଏତ ନିର୍ବାଚନ ଲଢ଼ି ନ ପାରେ। ଦଳ ଯାହା ଚାହିଁବ ତାହା କରିବି।

ସମ୍ବନ୍ଧିତ ଖବର