ରାଜ୍ୟ ସରକାରଙ୍କ କୋଭିଡ୍ ହସ୍ପିଟାଲରେ ରହିପାରିବେନି ରୋଗୀଙ୍କ ସଂପର୍କୀୟ, ଘରକୁ ଯାଇପାରିବେନି କାର୍ଯ୍ୟରତ ଡାକ୍ତର-ନର୍ସ

ଭୁବନେଶ୍ୱର:  ଆଜି ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର  କୋଭିଡ-୧୯ ହସ୍ପିଟାଲ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ଉନ୍ନୟନ କମିସନର ସୁରେଶ ମହାପାତ୍ର। ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି କି ରାଜ୍ୟର ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ସ୍ବତନ୍ତ୍ର ଭାବେ ହୋଟେଲ୍ ଓ ହଷ୍ଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ସେମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଘରକୁ ଯାଇପାରିବେ ନାହିଁ। ସରକାରୀ ବ୍ୟବସ୍ଥାରେ ରହିବେ। ଏଥିସହ କିଛି ଦିନର କାର୍ଯ୍ୟ ପରେ ସେମାନେ ସଙ୍ଗରୋଧରେ ୧୪ ଦିନ ରହିବେ। ସେହିପରି ଚିକିତ୍ସା ଲାଗି  ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂପର୍କୀୟମାନେ ସେଠାକୁ ଯାଇପାରିବେନି ।

ରୋଗୀକୁ ଭଲ କରିବା ପାଇଁ ସରକାର, ଡାକ୍ତର ଓ ନର୍ସମାନେ ଚିନ୍ତା କରୁଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସଂପୃକ୍ତ ରୋଗୀଙ୍କୁ ଭଲ କରିବାର ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି, ଉନ୍ନୟନ କମିସନର ସୁରେଶ ମହାପାତ୍ର କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରତ୍ୟେକ ହସ୍ପିଟାଲର ଡାକ୍ତର, ନର୍ସ, ସର୍ଭିସ ପ୍ରୋଭାଇଡରଙ୍କ ସ୍ବାସ୍ଥ୍ୟ କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର । କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତଙ୍କୁ ସମସ୍ତଙ୍କୁ ମାସ୍କ ଦିଆଯାଉଛି, ସାନିଟାଇଜର ଦିଆଯାଉଛି। ସେମାନଙ୍କର ରହିବା ପାଇଁ ସବୁ ସ୍ଥାନରେ ହଷ୍ଟେଲ ବ୍ୟବସ୍ଥା କରାଯାଇଛି । ସେମାନେ ସେଠାରେ ରହି ଚିକିତ୍ସା କରିବେ ।

ସେ ଅପିଲ କରିଛନ୍ତି ଯେ, କରୋନା ସଂକ୍ରମିତ କିମ୍ବା ସଂଦିଗ୍ଧଙ୍କ  ପରିବାର ଲୋକେ ହସ୍ପିଟାଲ ଯାଆନ୍ତୁ ନାହିଁ । ସରକାର ଓ ଡାକ୍ତରଙ୍କ ଉପରେ ଭରସା ରଖନ୍ତୁ । କିଛି ଲୋକ ସୁସ୍ଥ ହୋଇ ଫେରିଗଲେଣି । ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ ଭଲ ହୋଇଯିବେ । ଅଧିକାଂଶ ରୋଗୀଙ୍କର ଅସୁବିଧା ହେବ ନାହି । ସରକାର ସବୁ ପ୍ରକାରର ସୁବିଧା ମାଗଣାରେ କରିଛନ୍ତି । ରାଜ୍ୟରେ ଯେହେତୁ କମ ରୋଗୀ ଅଛନ୍ତି, ତେଣୁ ସରକାର ରୋଗୀଙ୍କୁ ହସ୍ପିଟାଲରେ ରଖୁଛନ୍ତି । ସେମାନେ ଘରେ ରହିଲେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ହସ୍ପିଟାଲରେ ରହିବେ ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲ ନିର୍ମାଣ ଚାଲିଛି । ସେଥିରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୨୪ଟି କାର୍ଯ୍ୟକ୍ଷମ ହୋଇସାରିଛି । ବାକି ୧୧ଟି କୋଭିଡ-୧୯ ହସ୍ପିଟାଲ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ମୋଟ ୫ ହଜାର ୮ ଶହ ୨୧ଟି ଶଯ୍ୟା ପ୍ରସ୍ତୁତ ହେବ । ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ୩୯୫୧ ଶଯ୍ୟା ଓ ୨୯୩ଟି ଆଇସିୟୁ ପ୍ରସ୍ତୁତ ହୋଇ ସାରିଛି । ଅନ୍ୟ ୧୧ଟି କୋଭିଡ ହସ୍ପିଟାଲରେ ୧୮୭୦ ଶଯ୍ୟା ଓ ୭୩ଟି ଆଇସିୟୁ ରହିବ ।

ସମ୍ବନ୍ଧିତ ଖବର