ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

ବାଲେଶ୍ବର: ବର୍ଷ ବର୍ଷ ଧରି ଗରିବ, ଅସହାୟ ଲୋକ ପାଉନାହାନ୍ତି ପିଡିଏସ୍‌ ସାମଗ୍ରୀ। କିନ୍ତୁ ୨୫୦ରୁ ଅଧିକ ମୃତବ୍ୟକ୍ତି ଏବଂ ବିବାହିତ ଝିଅଙ୍କ ନାଁ ହିତାଧିକାରୀ ତାଲିକାରୁ ବାଦ୍‌ ନକରି ସେମାନଙ୍କ ନାଁରେ ପିଡିଏସ୍‌ ସାମଗ୍ରୀ ଉଠା ଚାଲିଛି। ଏପରିକି ସରକାରୀ ଶିକ୍ଷକ, କର୍ମଚାରୀ, ମୃତ ସରପଞ୍ଚ ଏବଂ ନିଜ ପତ୍ନୀଙ୍କୁ ବେଆଇନ୍‌ ଭା‌େ‌ବ ହିତାଧିକାରୀ ତାଲିକାରେ ରଖି ବର୍ଷ ବର୍ଷ ଧରି ସେମାନଙ୍କୁ ପିଡିଏସ୍‌ ଯୋଗାଇ ଦିଆଯାଉଛି। ପିଡିଏସ୍‌ ସାମଗ୍ରୀ ବଣ୍ଟନ ଦାୟିତ୍ବରେ ଥିବା ଡିଲରଙ୍କ ବିରୋଧରେ ଏମିତି ସଙ୍ଗୀନ ଆସିଛି ବାଲେଶ୍ବର ଜିଲ୍ଲା ସଦର ବ୍ଲକ ପଦ୍ମପୁର ପଞ୍ଚାୟତରୁ।

ସୂଚନା ଅଧିକାର ବଳରେ ଏହି ତଥ୍ୟ ମିଳିଥିବା ବେଳେ ଆଜି ସଦର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ସାମଲ ବାଲେଶ୍ବର ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିଲେ। ଶ୍ରୀ ସାମଲଙ୍କ ଅଭିଯୋଗ ମୁତାବକ ସଦର ବ୍ଲକ ପଦ୍ମପୁର ପଞ୍ଚାୟତର ବଡ଼କିଆ, ବାଙ୍କେଶ୍ବର ଓ ମଝିକିଆ ଗ୍ରାମରେ ପିଡିଏସ୍‌ ସାମଗ୍ରୀ ବଣ୍ଟନର ଦାୟିତ୍ବ ନେଇଛନ୍ତି ରାଧାକାନ୍ତ ଦାସ। ଉକ୍ତ ତିନି ଗ୍ରାମରେ ୭୬୫ଟି ରାସନକାର୍ଡ ହିତାଧିକାରୀ ରହିଥିବା ବେଳେ ଅନ୍ତ୍ୟୋଦୟ କାର୍ଡଧାରୀ ଅଛନ୍ତି ୧୧୩ ଜଣ। ୨୦୧୭ ମସିହାରୁ ୨୦୨୨ ମସିହା ମଧ୍ୟରେ ରତ୍ନମଣି ବେହେରା, ଦାମୋଦର ପାତ୍ର, ବୁଦ୍ଧିଆ ଦଳେଇ, ଭାସ୍କର ପ୍ରଧାନ, ଶତ୍ରୁଘ୍ନ ଦାସ, ମଦନ ବାରିକ, ଭୋଳାନାଥ ବେହେରା, ଗଣେଶ ଚନ୍ଦ୍ର ବେହେରା ଏହିପରି ୬୫ରୁ ଅଧିକ ବ୍ୟକ୍ତିଙ୍କର ବିଭିନ୍ନ ସମୟରେ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପିଏଡିଏସ୍‌ ସାମଗ୍ରୀ ଦିଆଚାଲିଛି। ଏଥିସହ ୧୫୦ରୁ ଅଧିକ ଝିଅଙ୍କର ବିବାହ ହୋଇଯାଇଥିବା ବେଳେ ସେମାନଙ୍କ ନାଁ ମଧ୍ୟ ହିତାଧିକାରୀ ତାଲିକାରୁ ନକାଟି ପିଡିଏସ୍‌ ସାମଗ୍ରୀ ଉଠାଚାଲିଛି।

ଖାଲି ଏତିକି ନୁହେଁ ଏହି ଅଞ୍ଚଳର ଜଣେ ସରକାରୀ ହାଇସ୍କୁଲରେ ଶିକ୍ଷକ ଚାକିରି କରିଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ପିଡିଏସ୍‌ ହିତାଧିକାରୀ କରାଯାଇଛି। ପୂର୍ବତନ ସରପଞ୍ଚଙ୍କର କରୋନା ସମୟରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଏବେ ସରପଞ୍ଚ ଅଛନ୍ତି, ମୃତ ସରପଞ୍ଚ ମଧ୍ୟ ହିତାଧିକାରୀ ଭାବେ ପିଡିଏସ୍‌ ସାମଗ୍ରୀ ପାଉଛନ୍ତି। ଏପରିକି ନିଜେ ଡିଲର ରାଧାକାନ୍ତ ଦାସ ମଧ୍ୟ ନିଜ ପତ୍ନୀଙ୍କ ନାମରେ ଅନ୍ତ୍ୟୋଦୟ ଯୋଜନା କାର୍ଡ କରି ଏହି ଯୋଜନାରୁ ବ୍ୟାପକ ହରିଲୁଟ୍‌ କରୁଥିବା ଶ୍ରୀ ସାମଲ କହିଛନ୍ତି।

ଶ୍ରୀ ସାମଲଙ୍କର ଏହି ଅଭିଯୋଗ ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ। ଗତ ୪/୫ ବର୍ଷ ଭିତରେ ବଡ଼କିଆ, ବାଙ୍କେଶ୍ବର ଓ ମଝିକିଆ ଗ୍ରାମର ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ପାଖାପାଖି ୨୦ ହଜାର କୁଇଣ୍ଟାଲ ପିଡିଏସ୍‌ ସାମଗ୍ରୀ ହଡ଼ପ କରାଯାଇଛି ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହେବ। ଜିଲ୍ଲା ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବି କରିଛନ୍ତି। ସୂଚନା ଥାଉକି, ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ଆସିଥିଲେମଧ୍ୟ ଦୀର୍ଘ ୩୦ ବର୍ଷ ଧରି ଶ୍ରୀ ଦାସ ଉକ୍ତ ଅଞ୍ଚଳରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର