ମୃତକଙ୍କ ନାଁରେ ପିଡିଏସ୍‌ ହରିଲୁଟ୍‌ ଘଟଣା: ଏସିଏସ୍‌ଓଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌କୁ ତଦନ୍ତ ନିର୍ଦ୍ଦେଶ

ହରଭଙ୍ଗା: ବୌଦ୍ଧ ଜିଲ୍ଲା  ଲୁଣିବାହାଲ ପଞ୍ଚାୟତର ମଧୁସୂଦନପୁର ଗ୍ରାମରେ ୨୦୧୭ ମସିହାରୁ ମୃତ୍ୟୁ ହୋଇଥିବା ଅଶୋକ ପ୍ରଧାନଙ୍କ ନାଁରେ ଚଞ୍ଚକତା କରି ଯୋଗାଣ ସହାୟକ ଏବଂ ପିଇଓ ଦୀର୍ଘ ୫ବର୍ଷ ଧରି ପିଡିଏସ୍‌ ସାମଗ୍ରୀ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏ ଖବର ‘ସମ୍ବାଦ’ରେ ଗତ ୨୭ ତାରିଖରେ ପ୍ରକାଶ ପାଇବା ପରେ ବୌଦ୍ଧ ଉପଜିଲ୍ଲାପାଳ ସନତ ନାଏକ ହରଭଙ୍ଗା ବ୍ଲକ୍‌ର ଯୋଗାଣ ଅଧିକାରୀଙ୍କୁ ଏହାର ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ। ମାତ୍ର ନିର୍ଦ୍ଦେଶ ପାଇବାର ୭ଦିନ ପରେ ବି ତଦନ୍ତ ଶେଷ ହୋଇ ନଥିବାରୁ ତଦନ୍ତର ବିଶ୍ୱସନୀୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଦେଖାଦେଇଥିଲା।

ଏ ଖବର ପୁନଃ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନରେ ତତ୍ପରତା ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ବୌଦ୍ଧ ଏନ୍‌ଏସିର ଯୋଗାଣ ନିରୀକ୍ଷକ ଦୀପକ କହଁର, ବୌଦ୍ଧ ବ୍ଲକର ମାର୍କେଟିଂ ଇନ୍ସପେକ୍ଟର ବିପିନ ବିହାରୀ ମହାପାତ୍ର, ହରଭଙ୍ଗା ବ୍ଲକ୍‌ ଯୋଗାଣ ନିରୀକ୍ଷକ ନିବେଦିତା ଯାନୀଙ୍କୁ ନେଇ ଏକ ୪ଜଣିଆ ଟିମ୍‌କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ଦୁର୍ନୀତି ଓ ଅନିୟମିତତାର ତଦନ୍ତ ନସରୁଣୁ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଲୁଣିବାହାଲ ଗ୍ରାମର ଜାହ୍ନବୀ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଅଜାଣତରେ ତାଙ୍କ ନାମରେ ଥିବା ନଂ ୦୬୦୨୧୦ ୧୧୯୧୨ ରାସନକାର୍ଡ ପଞ୍ଜୀକୃତ କରାଯାଇ ପିଇଓ ଏବଂ ଯୋଗାଣ ସହାୟକ ଆଜକୁ ଦୀର୍ଘ ୭ବର୍ଷ ହେଲା ରାସନ ସାମଗ୍ରୀ ହଡ଼ପ କରିଆସୁଥିବା ନେଇ ସେ ସରପଞ୍ଚଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତାଙ୍କୁ ଉକ୍ତ ରାସନକାର୍ଡ ହସ୍ତାନ୍ତର କରିବା ସହ ହଡ଼ପ ହୋଇଥିବା ରାସନ ସାମଗ୍ରୀ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ସେହିପରି ଯୁବରାଜପୁର ଗ୍ରାମର ସରସ୍ୱତୀ ନାଏକ ତାଙ୍କ ନାଁରେ  ନଂ ୦୬୦୨୧୦୧୦୭୮୭ ଥିବା ଏକ ଅନ୍ତଦୋୟ କାର୍ଡ ପଞ୍ଜିକୃତ କରାଯାଇ ଦୀର୍ଘ ବର୍ଷ ହେଲା ମାସିକ ୩୫କେଜି ଚାଉଳ ହରିଲୁଟ କରାଯାଉଥିବା ଅଭିଯୋଗ କରି ସରପଞ୍ଚଙ୍କୁ ନ୍ୟାୟଭିକ୍ଷା କରିଥିବା ଜଣାପଡ଼ିଛି। ତେବେ ଏହା କେବଳ ଲୁଣିବାହଲ ପଞ୍ଚାୟତରେ ସୀମିତ ନୁହେଁ ଏହିଭଳି ଭାବେ ଅଧିକାଂଶ ପଞ୍ଚାୟତରେ ଲୋକଙ୍କ ନିରକ୍ଷରତା ଓ ଅଜ୍ଞତାର ସୁଯୋଗ ନେଇ ମଲା ହଜିଲା ଲୋକ ନାଁରେ ଶହଶହ କ୍ବିଣ୍ଟାଲ ପିଡିଏସ ସାମଗ୍ରୀ ହରିଲୁଟ ହେଉଥିବା ଚର୍ଚ୍ଚା ହେଉଛି। ଏହାର ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର