ମଙ୍ଗଳ ବିଭାଗର ଅଜବ ନୀତି: ପିଅନଙ୍କୁ ୧୧, ମାଟ୍ରନଙ୍କୁ ୧୦ ହଜାର ଦରମା

ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ମନ୍ତ୍ରୀଙ୍କୁ ଦେଲେ ସ୍ମାରକପତ୍ର, ମିଳୁନାହାନ୍ତି ପ୍ରାର୍ଥୀ, ଜିଲ୍ଲାରେ ଖାଲି ପଡିଛି ୯୬ ମାଟ୍ରନ୍ ପଦବି

ରାୟଗଡ଼ା: ଅନ୍ତେବାସୀଙ୍କ ସୁରକ୍ଷାରେ କାଣିଚାଏ ଆଞ୍ଚ ଆସିଲେ ‌ଦଣ୍ଡ ପାଇବେ ମାଟ୍ରନ୍। କିଛି କ୍ଷେତ୍ରରେ ଚାକିରିରୁ ବିଦା ହେବାର ମଧ୍ୟ ନଜିର ରହିଛି। କିନ୍ତୁ ସରକାରୀ ସୁବିଧା ସୁଯୋଗରେ ମାଟ୍ରନଙ୍କ ଅପେକ୍ଷା ତଳସ୍ତରର କର୍ମଚାରୀଙ୍କୁ ଗୁରୁତ୍ବ ଦିଆଯାଉଛି। ମଙ୍ଗଳ ବିଭାଗର ଏପରି ଅଜବ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ମାଟ୍ରନ୍। ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ଦରମା ବୃଦ୍ଧି ସହ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ପରିଚାଳିତ ହେଉଛି ମଙ୍ଗଳ ବିଭାଗ ସ୍କୁଲ। ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ରାୟଗଡ଼ାରେ ସର୍ବାଧିକ ୬୦ ହଜାର ୯୮୨ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି। ସେଥି ମଧ୍ୟରୁ କେବଳ ଛାତ୍ରୀଙ୍କ ସଂଖ୍ୟା ୨୮ ହଜାର ୧୯୭। ଏହି ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ବ ସହ ତଦାରଖ ପାଇଁ ସରକାର ୨୪୪ଟି ଛାତ୍ରୀ ନିବାସରେ ୨୫୯ ମାଟ୍ରନଙ୍କୁ ନିଯୁକ୍ତି ଦେବା ପାଇଁ ୨୦୧୬ ମସିହାରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ୪୫ ବର୍ଷରୁ ଉର୍ଧ୍ବ ବୟସଗତ ଯୋଗ୍ୟତା ଏବଂ ଦରମା ମାତ୍ର ୭ ହଜାର ୫ ଶହ ଟଙ୍କା ପାଇଁ ଆଜି ସୁଦ୍ଧା ଏହି ପଦବି ପୂରଣ ହୋଇପାରୁନି।

ଗତ ୪ ବର୍ଷ ମଧ୍ୟରେ ୧୬୩ ମାଟ୍ରନ୍ ନିଯୁକ୍ତ ପାଇଥିବା ବେଳେ ୯୬ ପଦବି ଖାଲି ପଡିଛି। ଶହେ ଛାତ୍ରୀଙ୍କ ଦାୟିତ୍ବରେ ଜଣେ ମାଟ୍ରନ୍ ଏବଂ ପ୍ରତି ମାଟ୍ରନଙ୍କ ଅଧୀନରେ ଦୁଇଟି ପିଅନ କାର୍ଯ୍ୟ କରିବା ପାଇଁ ସରକାରୀ ନିର୍ଦେଶନାମା ରହିଛି। ହେଲେ ବିଭାଗର ଅଜବ ନୀତି ଯୋଗୁ ମାଟ୍ରନଙ୍କ ଅଧୀନରେ କାମ କରୁଥିବା ପିଅନ ମାସିକ ୧୧ ହଜାର ଦରମା ପାଉଥିବା ବେଳେ ମାଟ୍ରନ୍ ପାଉଛନ୍ତି ୭ ହଜାର ୫ ଶହ ଟଙ୍କା। ମାଟ୍ରନଙ୍କ ଦରମା ୧୮ ହଜାରକୁ ବୃଦ୍ଧି କରିବାକୁ  ଦାବି ହେବା ପରେ ସରକାର ଗତ ଫେବ୍ରୁଆରି ମାସରେ ୧୦ ହଜାରକୁ ବୃଦ୍ଧି କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାଟ୍ରନ୍।

ସ୍କୁଲରେ ୨୪ ଘଣ୍ଟା ରହି ଛାତ୍ରୀଙ୍କ ସୁରକ୍ଷାରେ ମାଟ୍ରନ୍ ନିୟୋଜିତ ହେଉଥିବା ବେଳେ ଏତେ କମ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି ବୋଲି କହିଛନ୍ତି ମାଟ୍ରନ୍। ଦରମା ବୃଦ୍ଧି ସହ ଚାକିରୀକୁ ସ୍ଥାୟୀ,  ଅନ୍ୟ ସରକାରୀ କର୍ମଚାରୀ ଭଳି ଇପିଏଫ୍, ଇଏସଆଇ ସୁବିଧା ପ୍ରଦାନ, ପରିବାର ଲୋକଙ୍କ ସହ ରହିବାକୁ କ୍ବାଟର୍ସ ପ୍ରଦାନ, କାର୍ଯ୍ୟରତ ଅବସ୍ଥ‌ାରେ ମୃତ୍ୟୁବରଣ କଲେ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଏବଂ ବାର୍ଷିକ ସ୍ବତନ୍ତ୍ର ୧୫ ଦିନିଆ ଛୁଟି ପ୍ରଦାନ କରିବାକୁ ମାଟ୍ରନ୍ ଦାବି କରିଛନ୍ତି। ଦାବି ପୂରଣ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ କିଛି କାର୍ଯ୍ୟରତ ମାଟ୍ରନ୍ ଚାକିରୀ ଛାଡ଼ି ଚାଲି ଗଲେଣି। ନିଯୁକ୍ତି ପ୍ରକ୍ରିୟାରେ ସରକାର ବୟସଗତ ଯୋଗ୍ୟତାକୁ ୩୫ରୁ ୪୫ ବର୍ଷ ରଖିଥିବାରୁ ଏହି ବୟସର ପ୍ରାର୍ଥୀମାନେ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବୟସ ସୀମା ୩୨ ବର୍ଷକୁ କମାଇବା ପାଇଁ ଗତ ସେପ୍ଟେମ୍ବର ୯ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଜିଲ୍ଲାପାଳଙ୍କ ଜରିଆରେ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି।

ନଭେମ୍ବର ମାସରୁ ସରକାର ସ୍କୁଲ୍ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହା ପୂର୍ବରୁ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମାଟ୍ରନ୍ ଚେତାବନୀ ଦେଇଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ସାରକାଙ୍କୁ ସାକ୍ଷାତ କରି ରାୟଗଡ଼ା ଲେଡ଼ି ମାଟ୍ରନ୍ ଆସୋସିଏସନ୍ ସଭାପତି ମମିତା ବିଶ୍ବାଳ, ସାଧାରଣ ସଂପାଦିକ ସୁଜାତା ମହାଙ୍କୁଡ଼, କୋଷାଧ୍ୟକ୍ଷ ଅମିତା ନାୟକ, ନଳିନୀପ୍ରଭା କୁଣ୍ଡୁ, ମୀନାକ୍ଷି କୁମାର ପ୍ରଧାନ, ଗୀତାରାଣୀ ଗୌଡ଼ ପ୍ରମୁଖ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର