ଫିଜିଓଥେରାପି ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ସଂପର୍କିତ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କ ସହ ଉତ୍କଳ ବିଶ୍ବବିଦ୍ୟାଳୟ ଓ ୟୁଜିସିକୁ ନୋଟିସ୍

କଟକ : ଫିଜିଓଥେରାପି ସ୍ନାତକ ପାଠ୍ୟକ୍ରମ (ବ୍ୟା‌ଚଲର ଅଫ୍ ଫିଜିଓଥେରାପି)ର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପଞ୍ଚମ ସେମିଷ୍ଟର ପରୀକ୍ଷା ଅଗଷ୍ଟ ତୃତୀୟ ସପ୍ତାହରେ ଆୟୋଜନ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିଟି ତୃତୀୟ ବର୍ଷର ୧୨ ଜଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ରାଜ୍ୟ ଉଚ୍ଚଶିକ୍ଷା ସଚିବ, ସ୍ବାସ୍ଥ୍ୟ ସଚିବ, ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଉତ୍କଳ ବିଶ୍ବବିଦ୍ୟାଳୟ, କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ବିପିଟି ପାଠ୍ୟକ୍ରମ ଇଣ୍ଟର୍ଣ୍ଣସିପକୁ ମିଶାଇ ସାଢେ ଚାରି ବର୍ଷର ହୋଇଥିବାବେଳେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପଞ୍ଚମ ସେମିଷ୍ଟର ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ୨୦୨୦, ଜୁନ୍ ୨୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଞ୍ଚମ ସେମିଷ୍ଟର ପରୀକ୍ଷା ଅଗଷ୍ଟ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏପରି ବିଜ୍ଞପ୍ତିକୁ ବିରୋଧ କରି ଭୁବନେଶ୍ବରର ଏକ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୨୦୨୦, ଜୁନ୍ ୧୮ରେ ବିଜ୍ଞପ୍ତି ପ୍ରକାଶ କରି ୨୦୧୯-୨୦ ଶିକ୍ଷା ବର୍ଷରେ ଇଣ୍ଟରମେଡିଏଟ୍ ଇଭିନ୍ ସେମିଷ୍ଟର ଗୁଡିକ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା। ଇଣ୍ଡିଆନ୍ ନର୍ସିଂ କାଉନସିଲ ୨୦୨୦, ଜୁଲାଇ ୧୦ରେ ବିଜ୍ଞପ୍ତି ପ୍ରକାଶ କରି ସ୍ପଷ୍ଟ କରିଥିଲା ଯେ, ଯଦି ଏହି ଶିକ୍ଷାବର୍ଷରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଆୟୋଜନ ସମ୍ଭବ ନ ହୁଏ ତେବେ ଛାତ୍ରଛାତ୍ରୀଙ୍କୁ (ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବାଦ ଦେଇ) ଅନ୍ତରୀଣ ମୂଲ୍ୟାୟନ ଓ କଲେଜ ପରୀକ୍ଷାଫଳ ଆଧାରରେ ପରବର୍ତ୍ତୀ ବର୍ଷର ପାଠ୍ୟକ୍ରମକୁ ପଢିବାକୁ ଦିଆଯିବ। ୟୁଜିସି ମଧ୍ୟ ଏ ନେଇ ନିୟମାବଳୀ ଜାରି କରିଛି। ତେଣୁ ପରୀକ୍ଷା ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଦିତ୍ୟ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର