ଅନ୍‌ଲାଇନ୍‌ରେ ଅବଢ଼ା ବ୍ୟବସ୍ଥା କରିବାକୁ ଜନସ୍ବାର୍ଥ ମାମଲା : ଅନ୍‌ଲାଇନ୍‌ରେ ମଦ ମିଳିଲା, ମହାପ୍ରସାଦ କେବେ?

ଭୁବନେଶ୍ୱର : କୋଭିଡ୍‌-୧୯ ମୁକାବିଲାରେ ସାମାଜିକ ଦୂରତା ରକ୍ଷା ମୁଖ୍ୟ ପ୍ରସଙ୍ଗ। ଏଥିପାଇଁ ବିଭିନ୍ନ ବ୍ୟବସ୍ଥା ଅନ୍‌ଲାଇନ୍‌ ହୋଇଛି। ଲୋକଙ୍କ ଘରେ ଜିନିଷ ପହଞ୍ଚୁଛି। ତେବେ ବଡ଼ କଥା ହେଉଛି ନିକଟ ଅତୀତରେ ସରକାର ଅନ୍‌ଲାଇନ୍‌ରେ ମଦ ବ୍ୟବସାୟ କରିବା ପାଇଁ ସ୍ବୀକୃତି ଦେଇଛନ୍ତି। ଏଭଳି ସ୍ଥିତିରେ ମହାପ୍ରସାଦ ଅନ୍‌ଲାଇନ୍‌‌‌‌ରେ କେବେ ମିଳିବ, ସେ ନେଇ ପ୍ରଶ୍ନ ଉଠିଛି। ସାମ୍ପ୍ରତିକ ପରିସ୍ଥିତିକୁ ଆଖି ଆଗରେ ରଖି ମହାପ୍ରଭୁଙ୍କ ଅନ୍‌ଲାଇନ୍‌ରେ ଉପଲବ୍ଧ କରିବା ପାଇଁ ସ୍ବୀକୃତି ଦେବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପୁରୀର ବିଭୁଦତ୍ତ ପଟ୍ଟନାୟକ ଏ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ମହାପ୍ରସାଦର ସ୍ବତନ୍ତ୍ରତା ସହ ଓଡ଼ିଶା ଓ ସମଗ୍ର ବିଶ୍ବର ଭାବପ୍ରବଣତା ଯୋଡ଼ି ହୋଇ ରହିଛି। ଶ୍ରୀମନ୍ଦିର ସହ ମହାପ୍ରସାଦର ସ୍ବତନ୍ତ୍ରତା ଅନେକକୁ ପୁରୀ ଟାଣି ଆଣୁଛି। ବିବାହ, ବ୍ରତ, ଶ୍ରାଦ୍ଧ, ଦଶାହ ପ୍ରଭୃତି କାର୍ଯ୍ୟରେ ମହାପ୍ରସାଦ ଲୋଡ଼ା ହୋଇଥାଏ। କିନ୍ତୁ କୋଭିଡ୍‌-୧୯ ମୁକାବିଲାରେ ଶ୍ରୀମନ୍ଦିର ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି। ଗତ ସାବିତ୍ରୀ ଦିନ କିଛି ଲୋକ ମହାପ୍ରସାଦ ପାଇବା ପାଇଁ ଯାଇ ପୁଲିସର ଲାଠି ପ୍ରହାର ଖାଇଥିଲେ। ଏଭଳି ସ୍ଥିତିରେ ଏହି ମହାପ୍ରସାଦର ହୋମ୍‌ ଡେଲିଭରିର ଆବଶ୍ୟକତା ରହିଛି। ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ଆଦେଶ ମୁତାବକ, ବିଭିନ୍ନ ରୋସ୍ତାରାଁ ଖାଦ୍ୟ ହୋମ୍‌ ଡେଲିଭରି କରୁଛନ୍ତି। ଏହି ଚିଠି ଆଧାରରେ ମହାପ୍ରସାଦ ହୋମ୍‌ ଡେଲିଭରି କରିବାରେ ସମସ୍ୟା ନାହିଁ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ପୂର୍ବରୁ ଏଭଳି ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନରେ ମାନସମନ୍ଥନ ହୋଇଥିଲା। କିନ୍ତୁ ଅନେକ କାରଣରୁ ଏହାକୁ ସ୍ବୀକୃତି ମିଳିନଥିଲା। ମହାପ୍ରସାଦ ସାଧାରଣ ଖାଦ୍ୟ ନୁହେଁ। ଏହାର ଅନେକ ମାହାତ୍ମ୍ୟ ରହିଛି। ଏହାକୁ ତଳେ ବସି ଖିଆଯାଏ। ଛିଡ଼ା ହୋଇ ଖିଆଯାଏ ନାହିଁ। ଯେଉଁ ସଂସ୍ଥା ଏହାକୁ ହୋମ୍‌ ଡେଲିଭରି କରିବ, ସେ ଅନ୍ୟ ଜିନିଷ ଯଥା ମାଛ, ମାଂସ ଓ ଅନ୍ୟାନ୍ୟ ଜିନିଷ ସହ ମିଶାଇ ପରିବହନ କରିବ। ଯାହା ଏହାର ମାହାତ୍ମ୍ୟକୁ ନଷ୍ଟ କରିବ। ଏଣୁ ଏହାକୁ ହୋମ୍‌ ଡେଲିଭରି ସ୍ବୀକୃତି ମିଳି ନଥିଲା। ଏବେ ପରିସ୍ଥିତି ଭିନ୍ନ ରହିଛି। ଏଣୁ ଏହା ଉପରେ ସକାରାତ୍ମକ ବିଚାର କରାଯାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର