ପ୍ରଦୂଷଣ ଯାଞ୍ଚ ଏକ ମାସ ପାଇଁ କୋହଳ, ଡ୍ରାଇଭିଂ ପରୀକ୍ଷା ପାଇଁ ୧୭ଟି ସ୍ଥାନରେ ବ୍ୟବସ୍ଥା

ଭୁବନେଶ୍ବର : ପ୍ରଦୂଷଣ ଯାଞ୍ଚ ଅବଧିକୁ ମାସେ ପାଇଁ ରାଜ୍ୟ ସରକାର କୋହଳ କରିଛନ୍ତି। ଆଜି ଏ ନେଇ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି, ନୂଆ ମୋଟର ଯାନ ଆଇନରେ ପ୍ରଦୂଷଣ ଯାଞ୍ଚ ପାଇଁ କଡ଼ାକଡ଼ି ବ୍ୟବସ୍ଥା ଅଛି। ଯେହେତୁ ସରକାରୀ ଗାଡ଼ିଠୁ ଆରମ୍ଭ କରି ବହୁ ଗାଡ଼ି ମାଲକିଙ୍କ ପାଖରେ ପ୍ରଦୂଷଣ ପ୍ରମାଣ ପତ୍ର ନାହିଁ; ସେଥିପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ନିୟମକୁ କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ପୁଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦିଆଯାଇଛି। ତେବେ ପ୍ରଦୂଷଣ ପରୀକ୍ଷା ପାଇଁ କେତୋଟି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇଛି ସେ ତଥ୍ୟ ଦେଇପାରିନାହାନ୍ତି ପରିବହନ ସଚିବ।

Deccan Chronicle

ପରିବହନ ସଚିବ କହିଥିଲେ, ମୋଟର ଯାନ ଆଇନର ଧାରା ୨୧୦(ବି) ଅନୁଯାୟୀ ଯଦି ଜଣେ ଯାଞ୍ଚ ଅଧିକାରୀ କୌଣସି ଗାଡ଼ି ମାଲିକଙ୍କ ଉପରେ ଜରିମାନା ଧାର୍ଯ୍ୟ କରିବାବେଳେ ତ୍ରୁଟି କରନ୍ତି ତା ହେଲେ ଆଦାୟ ହୋଇଥିବା ଜରିମାନା ଅର୍ଥର ଦୁଇଗୁଣ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଆଦାୟ କରାଯିବ। ଚାଲାଣ କଟାଯିବା ପରେ ଯଦି ଜଣେ ଗାଡ଼ି ମାଲିକ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରନ୍ତି, ତେବେ ଆଉ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ନାହିଁ। ଡ୍ରାଇଭିଂ ଲାଇସେନସ ପ୍ରଦାନ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଉଛି। ଏଣିକି ରାଜ୍ୟର ସବୁ ଜିଲ୍ଲାରେ ୧୭ଟି ସ୍ଥାନରେ ଆଧୁନିକ କମ୍ପ୍ୟୁଟର ଜ୍ଞାନ କୌଶଳ ଜରିଆରେ ଡ୍ରାଇଭିଂ ପରୀକ୍ଷା କରାଯିବ। ଏଥିପାଇଁ ୫ ଏକର ଲେଖାଏଁ ଜମିରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଚାଲିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏସବୁ ଡ୍ରାଇଭିଂ ପରୀକ୍ଷା କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ପରିବହନ ସଚିବ ଶ୍ରୀନିବାସ କହିଥିଲେ।

ସମ୍ବନ୍ଧିତ ଖବର