କୋରାପୁଟିଆ ଆଳୁ ଚାଷୀଙ୍କୁ ଭଣ୍ଡେଇ‌ ଦେଲା ଓଏସଏସସି; ଖରିଫ ଆଳୁ ଚାଷ ପାଇଁ ମିଳିଲାନି ବିହନ

୫୦ ପ୍ରତିଶତ ଲାଗିଛି,ଚିନ୍ତାରେ ଚାଷୀ

କୋରାପୁଟ: ଖରିଫ ଋତୁ ଆଳୁ ଲଗାଯିବାର ସମୟ ପ୍ରାୟ ଶେଷ ହୋଇଛି। ଅଗଷ୍ଟ ମାସ ଶେଷ ହୋଇଥିବାବେଳେ ସେପ୍ଟମ୍ବର ପ୍ରଥମ ସପ୍ତାହ ଯାଏ ରଖାଯାଇଥିବାବେଳେ କୋରାପୁଟିଆ ଚାଷୀଙ୍କ ସହ ଖେଳ ଖେଳିଛନ୍ତି ରାଜ୍ୟ ସରକାରଙ୍କ ସିଡ୍‌ କର୍ପୋରେସନ। ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏକାଧିକବାର ବିହନ ପାଇଁ ଚିଠା ଯାଇଥିବାବେଳେ ଏହାକୁ ଭ୍ରୁକ୍ଷେପ କଲାନି ଓଡ଼ିଶା ଷ୍ଟ‌େଟ ସିଡ୍‌ କପୋରେସନ (ଓଏସଏସସି)ଲିମିଟେଡ୍‌। ଆଜି ବିହନ ଯିବ, କାଲି ବିହନ ଯିବ କହି କହି ଚାଲିବା ପରେ ଶେଷରେ ବିହନ ଆସିଲାନି। ଚାତକ ପରି ଅନେଇ ବସିବା ପରେ ବେଳ ସିନା ବୁଡି ଗଲା ହେଲେ ହୋଇ ପାରିଲାନି ବିହନ ଲଗା। ଯିଏ ଯେମିତି କରି କେଜି ୧୨୦ ଟଙ୍କା ‌ଦେଇ ଆଳୁ ବିହନ କିଣି ଲଗାଇଥିବାବେଳେ ଏବେ କୋରାପୁଟରେ ଟାର୍ଗେଟ ନ ପୂରଣ ହେବା ନେଇ ଶଙ୍କା ପ୍ରକାଶ ପାଇଛି।

ପ୍ରଥମେ ପଚା ବିହନ ଦେଇ ଠକିବା ପରେ ଏବେ ବିହନ ନ ହେବା ଓ ପରେ ବର୍ଷା ଦାଉ ସାଜିବା ଚାଷୀଙ୍କ ପାଇଁ କାଳ ସାଜିଛି। ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଆଳୁ ଲଗାଯିବାକୁ ଯୋଜନା କରିଥିଲା ଜିଲ୍ଲା ଉଦ୍ୟାନକୃଷି ବିଭାଗ। କିନ୍ତୁ ଓଏସଏସସି ପଚା ବିହନ ପଠାଇବାରୁ ଏହାକୁ କୋରାପୁଟରେ ଅଗ୍ରାହ୍ୟ କରି ଫେରାଇ ଦିଆଯାଇଥିଲା। ନିକଟରେ ୨୦୨୨୨୩ ଖରିଫ ଋତୁ ପାଇଁ କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅଧୀନ ହାଟପଦାରେ ଆସି ପହଞ୍ଚିଥିଲା ୪ ଟ୍ରକ ଆଳୁ ବିହନ। ଏହି ଆଳୁ ବିହନ ମଧ୍ୟରେ କେ.ଜ୍ୟୋତିକେଜିକେଜି୪ ଓ ଚିପସୋନା ବିହନ ରହିଥିଲା।

ତେବେ ଏହି ବିହନ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ୨୦୦ ହେକ୍ଟରସେମିଳିଗୁଡା ବ୍ଲକରେ ୨୦୦ ହେକ୍ଟରଲମତାପୁଟ ବ୍ଲକରେ ୧୦୦ ହେକ୍ଟର ଓ ବାକି ୧୧ଟି ବ୍ଲକରେ ୪୦୦ ହେକ୍ଟର ଜମିରେ ଚାଷ ହେବାକୁ ଯୋଜନା କରିଥିଲା ଉଦ୍ୟାନ କୃଷି ବିଭାଗ। ଦୁଇଟି ଟ୍ରକରେ ୪ ପ୍ରକାର ବିହନ ଖରାପ ରହିଥିବା ଅନ୍ୟ ଦୁଇଟି ଟ୍ରକରେ ମାନକୁ ନେଇ ଟ୍ୟାଗ ଲାଗି ନ ଥିବାରୁ ଏହାକୁ ଫେରାଇ ଦେଇଥିଲା। ଏବେ ଯାଏ ଜିଲ୍ଲାରେ ୪୦୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ବିହନ ଆସି ଚାଷୀଙ୍କୁ ବଣ୍ଟନ ହୋଇ ସାରିଥିବାବେଳେ ଆହୁରି ୪୦୦ ହେକ୍ଟର ଜମି ପାଇଁ ବିହନ ପହଞ୍ଚି ନ ଥିବାରୁ ଚାଷୀକୂଳ ଆଶା ଆଶଙ୍କାରେ ରହିଛନ୍ତି। ତେବେ ଓଏସଏସସି ପଞ୍ଜାବ, ଜଳନ୍ଦର ଓ ହରିୟାଣାରେ ବିହନ ମଗାଇବା ବଦଳରେ କାହିଁକି ଆନ୍ଧ୍ରର ବିଶାଖାପାଟଣାରୁ ବିହନ ମଗାଇଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଓଏସଏସସିର ତତ୍କାଳୀନ ଏମଡି କାହିଁକି ଆନ୍ଧ୍ର ପ୍ରୀତି ଦେଖାଇ କୋରାପୁଟିଆ ଆଳୁ ଚାଷୀଙ୍କ ଆଖିରେ ଲୁହ ଦେଲେ ତାହାକୁ ନେଇ ଶଙ୍କା ପ୍ରକାଶ ପାଇଛି। 

ପଞ୍ଜାବ, ଜଳନ୍ଦର ଓ ହରିୟାଣା ବଦଳରେ କାହିଁକି ଆନ୍ଧ୍ର ଆଳୁକୁ ଏହି ଏମଡି ଜଣକ ପସନ୍ଦ କଲେ ଓ ପରେ କୋରାପୁଟ ଉଦ୍ୟାନକୃଷି ବିଭାଗକୁ ଆଳୁ ବିହନ ଯୋଗାଇଲେ ନାହିଁ ତାହାକୁ ନେଇ ନାନା ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ଆଳୁ ଲଗାଣ କାର୍ଯ୍ୟ ହେବାକୁ ପାଗ ଅନୁକୂଳ ରହିଥିବାବେଳେ ଏବେ ଯାଏ ବିହନ ନ ପହଞ୍ଚିବା ଆଳୁ ଚାଷୀ ବାହାରୁ ଆଳୁ କିଣି ଲଗାଇଛନ୍ତି। ଏହି ଆଳୁ ସମ ପରି ଫଳପ୍ରଦ ହେବ କି ନାହିଁ ତାହାକୁ ନେଇ ସଂଶୟ ଦେଖା ଦେଇଛି। ଫଳରେ ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ଆଳୁ ଚାଷ ଓ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଉତ୍ପାଦନ ପୂର୍ବରୁ ଫେଲ ମାରିବ କି ଓଡ଼ିଶା ସରକାରଙ୍କ ଆଳୁ ମିଶନହଟହଟା ହେବେ ବି ୮୦୦ ହେକ୍ଟରରେ ପ୍ରସ୍ତାବିତ ୮୦୨୩ ହଜାର ଆଳୁ ଚାଷୀନିକଟରେ ୧୨,୦୦୦ କୁଇଣ୍ଟାଲ ନିମ୍ନ ମାନର ଆଳୁ ବିହନ ପଚି ଷଡି ଯିବା ପରେ ଖରିଫ ଋତୁରେ ଆଳୁ ଉତ୍ପାଦନ ହୋଇପାରିବ କି ନାହିଁ ତାହାକୁ ନେଇ ସଂଶୟ ପ୍ରକାଶ ପାଇଛି। ତେବେ ଖରିଫ ଋତୁ ପାଇଁ ଜୁଲାଇ ୩୦ ତାରିଖରେ ଆଳୁ ଲଗାଯିବାକୁ ଯୋଜନା ରହିଥିଲା। ଏହା ଅଗଷ୍ଟ ୨୦ ଯାଏ ହୋଇପାରିବ ବୋଲି କୁହାଯାଇଥିଲା କିନ୍ତୁ ଏହି ସମୟ ଅତିକ୍ରାନ୍ତ କରିଥିବା ବେଳେ ମଧ୍ୟ ବିହନ ନ ପହଞ୍ଚିଲେ ଠିକଣା ସମୟରେ ଆଳୁ ଉତ୍ପାଦନ ହୋଇପାରିବ ନାହିଁ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୮୦୨୩ ଜଣ ଚାଷୀ ରହିଛନ୍ତି। ୮୦୦ ହେକ୍ଟରରେ ଆଳୁ ଚାଷ ହେବାକୁ ଯୋଜନା ରହିଥିବା ଆଳୁ ବିହନ ଖରାପ ପଡିବା ଓ ଏହାକୁ ଉଦ୍ୟାନ କୃଷି ବିଭାଗ ଫେରାଇ ଦେଇଥିଲା। ଫଳରେ ଖରିଫ ଋତୁ ରେ ଚାଷ ହୋଇପାରିବ କି ନାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ କୋରାପୁଟ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳ କହିଛନ୍ତି ଯେ ଖରିଫ ଋତୁ ପାଇଁ ୮୦୦ ହେକ୍ଟର ଜମିରେ ଚାଷ କରାଯିବାକୁ ଯୋଜନା ହୋଇଥିବାବେଳେ ୫୦ ପ୍ରତିଶତ ବିହନ ଆସିବାରୁ ଚାଷୀଙ୍କୁ ଦିଆଯାଇଛି। ଏବେ ଯାଏ ୪୦୦ ହେକ୍ଟର ଜମିରେ ଚାଷ ହେବାକୁ ଚାଷୀଙ୍କୁ ବିହନ ପ୍ରଦାନ କରାଯାଇଥିବାବେଳେ ବହୁ ଚାଷୀଙ୍କୁ ଦିଆଯାଇ ପାରିନାହିଁ। ଏନେଇ ନିର୍ଦ୍ଦେଶାଳୟକୁ ଅବଗତି କରାଯାଇଛି ବୋଲି ସେ କହିଛନ୍ତି। 

ସମ୍ବନ୍ଧିତ ଖବର