ପୌର ନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ସମେତ ଭୋଟ୍ ଦେଲେ ବହୁ ନେତା ଓ ଅଧିକାରୀ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ  ଭୁବନେଶ୍ବର ମହାନଗର ନିଗମ ( ବିଏମସି)ର ୫୩ ୱାର୍ଡରେ ଥିବା ପଲସପଲ୍ଲୀ ସ୍କୁଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍ ସେହିପରି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ମଧ୍ୟ ଭୋଟ ଦାନ କରିଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିଜ ଧର୍ମପତ୍ନୀଙ୍କ ସହ  ରାଜଧାନୀର ୬୦ ନମ୍ବର ୱାର୍ଡର ୬୨୦ନମ୍ବର ବୁଥରେ ମତଦାନ କରିଛନ୍ତି। ଏଣେ ଭୁବନେଶ୍ବରର ବିଜେଡି ମେୟର୍ ପ୍ରାର୍ଥୀ ସୁଲୋଚନା ଦାସ, କଂଗ୍ରେସ ମେୟର୍ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଓ ବିଜେପିର ମେୟର୍ ପ୍ରାର୍ଥୀ ସୁନୀତି ମୁଣ୍ଡ ବି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କଟକର ବିଜେଡି ମେୟର୍ ପ୍ରାର୍ଥୀ  ସୁବାସ ଚନ୍ଦ୍ର ସିଂହ, ବିଜେପିର ମେୟର୍ ପ୍ରାର୍ଥୀ ଶ୍ରୀତମ୍ ଦାସ ଓ କଂଗ୍ରେସ ମେୟର୍ ପ୍ରାର୍ଥୀ ଗିରିବାଳା ବେହେରା ବି ଇତିମଧ୍ୟରେ ଭୋଟ୍ ଦେଇସାରିଲେଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି,  ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ।

ପୌର ନିର୍ବାଚନ ଲାଗି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ଝିଅ ଏରୋଡ୍ରୋମ ୟୁ.ପି ସ୍କୁଲରେ ମତଦାନ ଦେଇଛନ୍ତି। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ୧୪ ନମ୍ବର ୱାର୍ଡ ନିଉ କଲୋନି ପ୍ରାଥମିକ ବିଦ୍ୟାଳୟରେ ନିଜ ମତଦାନ କରିଥିଲେ।

 

ସମ୍ବନ୍ଧିତ ଖବର