ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ, ଅଚ୍ୟୁତ

ସମସ୍ତଙ୍କ ପାଇଁ ପ୍ରସ୍ତାବକ ହେଲେ ନବୀନ

ସମ୍ପତ୍ତି ତାଲିକାର ସତ୍ୟପାଠ ଦେଲେ ତିନି ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ନିର୍ବାଚନ ଅଧିକାରୀ ରାଜେଶ ପ୍ରଭାକର ପାଟିଲ୍‌ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ବିଜେଡିର ସଂଖ୍ୟା ଦୃଷ୍ଟିରୁ ଏହି ତିନି ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।

ଆସନ୍ତା ୧୨ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ୧୩ ତାରିଖରେ ଯାଞ୍ଚ ହେବ ଓ ୧୫ ତାରିଖରେ ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ଯେହେତୁ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉ ନାହାନ୍ତି, ତେଣୁ ନିର୍ବାଚନ ହେବାର ସମ୍ଭାବନା ନାହିଁ। ଯଦି ନିର୍ବାଚନ ନ ହୁଏ, ତେବେ ୧୫ ତାରିଖରେ ହିଁ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିପାରନ୍ତି।

ଆଜି ବିଜେଡି ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଥିବାରୁ ଅଧିକାଂଶ ମନ୍ତ୍ରୀ ଓ ଦଳୀୟ ବିଧାୟକମାନଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ୧୨ଟା ସୁଦ୍ଧା ସମସ୍ତେ ପହଞ୍ଚିଯାଇଥିଲେ। ତିନି ଜଣ ପ୍ରାର୍ଥୀ ବି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ। ପ୍ରାୟ ୧୨ଟା ୧୫ ବେଳକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାହା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତିନି ଜଣ ପ୍ରାର୍ଥୀ ପ୍ରଥମ ମହଲାକୁ ଯାଇ ଗୋଟିଏ ରୁମ୍‌ରେ ଦଳୀୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ବସିଥିଲେ। ମୁଖ୍ୟମନ୍ତ୍ରୀ ସିଧାସଳଖ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ଜଣଙ୍କ ପରେ ଜଣେ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଏହି ପ୍ରକ୍ରିୟା ଚାଲିଥିଲା। ପ୍ରତ୍ୟେକ ପ୍ରାର୍ଥୀ ଦୁଇ ସେଟ୍‌ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରଶାନ୍ତ ନନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଅଛନ୍ତି। ପ୍ରଥମ ସେଟ୍‌ରେ ତାଙ୍କ ପାଇଁ ଥିବା ଅନ୍ୟ ପ୍ରସ୍ତାବକମାନେ ହେଲେ ମନ୍ତ୍ରୀ ବିକ୍ରମ ଆରୁଖ, ବିଧାୟକ ବଳଭଦ୍ର ମାଝୀ, ମୁକ୍ତିକାନ୍ତ ମଣ୍ଡଳ, ପ୍ରିୟଦର୍ଶୀ ମିଶ୍ର, ରୋହିତ ପୂଜାରୀ, ବିଜୟ ନାୟକ, ଭାଦବ ହାଁସଦା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଜୀବନ ପ୍ରଦୀପ ଦାସ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଅଛନ୍ତି। ପ୍ରଥମ ସେଟ୍‌ରେ ଥିବା ଅନ୍ୟ ପ୍ରସ୍ତାବକମାନେ ହେଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୃସିଂହ ଚରଣ ସାହୁ, ବିଧାୟକ ସମୀର ରଞ୍ଜନ ଦାଶ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ସଞ୍ଜୀବ କୁମାର ସାହୁ, ଅନୁଭବ ପଟ୍ଟନାୟକ, ଆୟୁବ ଖାନ୍‌ ଓ ପୂର୍ଣ୍ଣଚନ୍ଦ୍ର ସେଠୀ।

ଅଚ୍ୟୁତ ସାମନ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଥିଲା ବେଳେ ଅନ୍ୟ ପ୍ରସ୍ତାବକମାନେ ହେଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରଣବ ପ୍ରକାଶ ଦାସ, ହୃଷିକେଶ ନାୟକ, ରାଜେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଉମାକାନ୍ତ ସାମନ୍ତରାୟ।

ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ଯାକ ବିଜେଡି ପ୍ରାର୍ଥୀ ଆଜି ସମ୍ପତ୍ତି ତାଲିକାର ସତ୍ୟପାଠ ବି ଦେଇଛନ୍ତି। ତିନି ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତି ଅଧିକ ରହିଛି। ତାଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କା। ତାଙ୍କ ପାଖରେ ଅସ୍ଥାବର ସମ୍ପତ୍ତି ଅଛି ପ୍ରାୟ ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୨ ଲକ୍ଷ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କା। ସୌମ୍ୟରଞ୍ଜନଙ୍କ ନାମରେ ୩ କୋଟି ଓ ତାଙ୍କ ପତ୍ନୀଙ୍କ ନାମରେ ୬୮ ଲକ୍ଷ ଟଙ୍କାର ଋଣ ବି ରହିଛି।

ପ୍ରଶାନ୍ତ ନନ୍ଦଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୫୦ ଲକ୍ଷ ଟଙ୍କା ହୋଇଥିଲା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୯ ଲକ୍ଷ ୨୦ ହଜାର ଟଙ୍କା। ତାଙ୍କ ପତ୍ନୀଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ୨ କୋଟି ୮ ଲକ୍ଷ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ୩୩ ହଜାର ଟଙ୍କା।

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା। ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ ଲକ୍ଷ ୧୨ ହଜାର ଟଙ୍କା।

ସତ୍ୟପାଠରେ ଦର୍ଶାଯାଇଥିବା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରଶାନ୍ତ ନନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୬୯ ମସିହାରେ ସ୍ନାତକୋତ୍ତର ଓ ୧୯୭୧ରେ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଛନ୍ତି। ସୌମ୍ୟରଞ୍ଜନ ପଟ୍ଟନାୟକ ୧୯୭୨ ମସିହାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି (ସ୍ୱର୍ଣ୍ଣପଦକ) ଓ ୧୯୭୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏହା ପରେ ଉଚ୍ଚଶିକ୍ଷା ପାଇଁ ୧୯୭୮ରୁ ୧୯୮୨ ମସିହା ପର୍ଯ୍ୟନ୍ତ ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେହିପରି ଅଚ୍ୟୁତ ସାମନ୍ତ କିଟ୍‌ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଇନ୍‌ ଫିଲୋସୋଫି ହାସଲ କରିଥିବା ନେଇ ସତ୍ୟପାଠରେ ଦର୍ଶାଇଛନ୍ତି।

ରାଜ୍ୟର ସ୍ୱାର୍ଥ ଅଗ୍ରାଧିକାର ପାଇବ : ପ୍ରଶାନ୍ତ ନନ୍ଦ 

ପ୍ରାର୍ଥିପତ୍ର ଦାଖଲ ପରେ ତାଙ୍କ ପ୍ରତିକ୍ରିୟାରେ ପ୍ରଶାନ୍ତ ନନ୍ଦ କହିଥିଲେ, ସାତ ଦିନ ତଳେ ସଭାପତି ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ଡାକି ସଂସଦରେ କେଉଁ ପ୍ରସଙ୍ଗ ରଖାଯିବା କଥା, ସେ ସମ୍ପର୍କରେ ବିସ୍ତତ ଆଲୋଚନା କରିଥିଲେ। ପୋଲାଭରମ୍‌, ମହାନଦୀ, ରେଳବାଇ ଜୋନ୍‌ ଓ କେନ୍ଦ୍ର ଅବହେଳା କଥା ଆଲୋଚନା ହୋଇଛି। ତାହା ହିଁ ଆମର ମୁଖ୍ୟ ବିଷୟବସ୍ତୁ ରହିବ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆମେ ଦାବି କରିଛୁ ଓ ଆଗକୁ ବି କରିବୁ। ରାଜ୍ୟସଭାରେ ଦଳୀୟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସ୍ୱାର୍ଥ ହିଁ ଅଗ୍ରାଧିକାର ପାଇବ।

ରାଜ୍ୟର ଦୀର୍ଘସୂତ୍ରୀ ବିକାଶ ହିଁ ପ୍ରାଥମିକତା ହେବ : ସୌମ୍ୟ 

ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଥଲେ, ଓଡ଼ିଶାର ଦୀର୍ଘସୂତ୍ରୀ ବିକାଶକୁ ଧ୍ୟାନରେ ରଖି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବି। ଦୀର୍ଘ ଦିନର ଖବରକାଗଜ ଲୋକ ହିସାବରେ, ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତି ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ମୋର ବିବେକ, ବୁଦ୍ଧି ଯାହା କହୁଛି, ସେହିି ଅନୁସାରେ ସ୍ୱର ଉତ୍ତୋଳନ କରିବି।

ସୋସିଆଲ୍‌ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଥିବା ନେଇ ପ୍ରଶ୍ନରେ ସୌମ୍ୟରଞ୍ଜନ କହିଥିଲେ, ନିନ୍ଦୁକମାନଙ୍କୁ ସବୁବେଳେ ପାଖରେ ରଖିବା ଆବଶ୍ୟକ। କାରଣ ଏମାନେ ବିନା ପାଣି ଓ ସାବୁନ୍‌ରେ ସ୍ୱଭାବକୁ ନିର୍ମଳ ରଖିବେ। ଯେଉଁମାନେ ସମାଲୋଚନା କରୁଛନ୍ତି, ତାଙ୍କୁ ମୁଁ ସ୍ୱାଗତ କରୁଛି। ତାଙ୍କର ସମାଲୋଚନା ମୋତେ ଅଧିକ ସଚେତନ କରିବ। ଅନେକ ସମୟରେ ବିନା କାରଣରେ ସମାଲୋଚନା କରାଯାଏ।  ଯଦି ଠିକ୍‌ କାରଣ ଥିବ, ତେବେ ସେହି ଅନୁଯାୟୀ ମୁଁ ନିଜକୁ ସୁଧାରିବାକୁ ଚେଷ୍ଟା କରିବି। ଏଥିରେ ବ୍ୟସ୍ତ ହେବାର ନାହିଁ।

ରାଜ୍ୟର ସ୍ୱାର୍ଥ ନେଇ ସବୁ ପ୍ରସଙ୍ଗ ଉଠାଇବୁ : ଅଚ୍ୟୁତ 

ଅଚ୍ୟୁତ ସାମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଯେତେବେଳେ ଯେଉଁ ପ୍ରସଙ୍ଗ ଆସିବ, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସେହି ପ୍ରସଙ୍ଗ ଉଠାଇବୁ। ଦଳ ଏ ନେଇ ଯେପରି ନିଷ୍ପତ୍ତି ନେବ, ସେହି ଅନୁଯାୟୀ ଆମେ ରାଜ୍ୟସଭାରେ ପ୍ରସଙ୍ଗ ଉତ୍‌ଥାପନ କରିବୁ।

ସମ୍ବନ୍ଧିତ ଖବର