ପ୍ରେମଚନ୍ଦ୍ର ଚୌଧୁରୀ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ

ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କୁ ପୁନଃନିଯୁକ୍ତି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ତଥା ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ପୂର୍ବରୁ ଏହି ପଦବିରେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଅଜିତ କୁମାର ମିଶ୍ରଙ୍କୁ ସରକାର ପୁନଃନିଯୁକ୍ତି ଦେଇଛନ୍ତି। ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ନିଯୁକ୍ତି ମିଳିଛି। ଏକ ବର୍ଷ ପାଇଁ ସେ ଏହି ପଦବିରେ କାର୍ଯ୍ୟ କରିବେ।

ସୋମବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓର୍‌ମାସର ଯୁଗ୍ମ ସିଇଓ ବାଦଲ କୁମାର ମହାନ୍ତିଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେ ଓର୍‌ମାସ୍‌ର ଅତିରିକ୍ତ ସିଇଓ ଓ ଓଏଲ୍‌ଏମ୍‌ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏହା ବାଦ୍ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡାଙ୍କର ଦକ୍ଷତା ବିକାଶ ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ସେ ପୂର୍ବ ପରି ଜଳସମ୍ପଦ ବିଭାଗରେ କାର୍ଯ୍ୟ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର