କୃଷିର ବିକାଶ ପାଇଁ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ କର୍ମଶାଳା

ଭୁବନେଶ୍ବର : ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି କୃଷିର ବିକାଶ ପାଇଁ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ କର୍ମଶାଳା କୃଷି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ଅଞ୍ଚଳରେ କୃଷି ଉତ୍ପାଦନ ଓ ପ୍ରୋତ୍ସାହନ କ୍ଲଷ୍ଟର ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଲେ, ୧୨ଟି ଜିଲ୍ଲାର ୪୦ଟି ପଛୁଆ ବ୍ଲକ୍‌ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଢିପ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ୧ଲକ୍ଷ କୃଷି ପରିବାରକୁ ଏଥିରେ ସାମିଲ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ଯୋଜନାରେ ୪ବର୍ଷରେ ୪୦୧.୬ କୋଟି ଟଙ୍କା ଖର୍ଚ କରାଯିବ। ତେବେ ଏଥିରେ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବଜାର ଉପଲବ୍ଧ କରିବା ଓ ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଜନସଂଖ୍ୟାର ବୃଦ୍ଧି ହେଉଥିବା ବେଳେ କମ୍ ଜମିରେ ଅଧିକରୁ ଅଧିକ ଉତ୍ପାଦନ ମୁଖ୍ୟ ଆହ୍ବାନ। ଅଧିକ ଉତ୍ପାଦନ ପାଇଁ ଚାଷୀମାନେ ରସାୟନିକ ସାର ଓ କୀଟନାଶକର ବ୍ୟବହାର କରୁଛନ୍ତି। ମାତ୍ର ଲୋକମାନେ ଏବେ ସ୍ବାସ୍ଥ୍ୟ ସଚେତନ‌ ହୋଇଗଲେଣି। ତେଣୁ ଜୈବିକ କୃଷିକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତେଣୁ କମ୍‌ ରସାୟନିକ ଓ କୀଟନାଶକର ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଉପରେ ଚାଷୀଙ୍କୁ ପ୍ରଶିକ୍ଷିତ କରିବା ସହ ଏହାର ବଜାର ସହିତ ସେମାନଙ୍କୁ ଯୋଡ଼ିବାର ଆବଶ୍ୟକତା ରହିଛି। ଆଦିବାସୀ ଅଞ୍ଚଳରେ ଥିବା ଚାଷୀମାନେ ପାରମ୍ପରିକ ଚାଷ ସହ ଜଡ଼ିତ ରହିଥିବାରୁ ସେମାନଙ୍କୁ ହଠାତ୍ ‌ପରିବର୍ତନ କରିବା ଅସମ୍ଭବ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। କେବଳ ପ୍ରଶିକ୍ଷଣ ନୁହେଁ, ଚାଷୀଙ୍କ ଦକ୍ଷତା ବିକାଶ ସହିତ ଅନ୍ୟ ଯେଉଁସବୁ ସ୍ଥାନରେ ଉନ୍ନତ ଚାଷ କରାଯାଉଛି ତାହାର ପରିଦର୍ଶନ କରିବା ଆବଶ୍ୟକ। ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନର ବ୍ୟବସ୍ଥା ରହିବା ମଧ୍ୟ ଜରୁରୀ। ଜୈବିକ କୃଷି ପାଇଁ ଜୈବିକ ସାରର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଶ୍ବେତ ବିପ୍ଲବକୁ ବଢ଼ାଇବାକୁ ହେବ ବୋଲି ଶ୍ରୀ ସାହୁ କହିଥିଲେ।

କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ, ଆଜି ପର୍ଯ୍ୟନ୍ତ କେବଳ ଧାନ ଚାଷ ଉପରେ ଗୁରୁତ୍ବ ଦିଆଯାଉଥିଲା। ମାତ୍ର ଏବେ ଧାନ ଚାଷ ବାଦ୍ ଅନ୍ୟାନ୍ୟ ଲାଭଦାୟକ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ହେବ। ଏହାସହ କୃଷି ଉତ୍ପାଦନ ଓ କୃଷକର ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ସେମାନଙ୍କ ଲାଭ କିଭଳି ବଢ଼ିବ ତାହାକୁ ଗୁରୁତ୍ବ ଦେବାର ସମୟ ଆସିଛି। ପଛୁଆ ବ୍ଲକ୍‌ଗୁଡ଼ିକରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି ଶ୍ରୀ ଗର୍ଗ କହିଲେ। କୃଷି ନିର୍ଦେଶକ ଏମ୍‌.ମୁଥୁକୁମାର କହିଲେ, ଜୈବିକ କୃଷି ପାଇଁ ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି। ଜାତୀୟସ୍ତରରେ ଚାଷୀମାନେ ନିଜ ଚାଷ ଜମିରେ ଯେତିକି ରସାୟକିନ ସାର ଓ କୀଟନାଶକର ବ୍ୟବହାର କରୁଛନ୍ତି, ଓଡ଼ିଶାରେ ତାହାର ଯଥେଷ୍ଟ କମ୍ ବ୍ୟବହାର ହେଉଛି। ଲୋକମାନଙ୍କ ସହଭାଗିତା ବଢ଼ିଲେ ରାଜ୍ୟରେ ଜୈବିକ କୃଷିର ବିକାଶ ହୋଇପାରିବ ବୋଲି ଶ୍ରୀ ମୁଥୁକୁମାର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ, ଓରମାସର ଯୁଗ୍ମ ସିଇଓ ସୁଜୟ କର, ବିଆରଏଲଏଫ୍‌ର ସିଇଓ ପ୍ରମଥେସ୍ ଅମ୍ବାସ୍ତା ଓ ‘ପ୍ରଦାନ’ର ସିଇଓ ସୁଧୀର ସାହାନୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ୧୭ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର