ଆନ୍ଦୋଳନରୁ ଓହରିଲେ କ୍ଷତିଗ୍ରସ୍ତ ଜମାକାରୀ

ଅର୍ଥ ଫେରସ୍ତ‌ ନେଇ ଶ୍ବେତପତ୍ର ପ୍ରକାଶ କରିବେ ସରକାର

ଭୁବନେଶ୍ବର: ଚିଟଫଣ୍ଡ୍ କ୍ଷତିଗ୍ରସ୍ତମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେ‌େବ। ଏବେ ସୁଦ୍ଧା କେତେ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଛି ଓ କେତେ ଜଣଙ୍କୁ ଚିହ୍ନଟ କରାଯାଇଛି, ସେ ନେଇ ସରକାର ଏକ ଶ୍ବେତପତ୍ର ଜାରି କରିବେ। ଅ‌ାର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ପ୍ରତିନିଧିମାନେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ମଞ୍ଚ ପକ୍ଷରୁ ଜମାକାରୀମାନଙ୍କୁ ଅର୍ଥ ଫେରସ୍ତ ନେଇ କେତେକ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ପ୍ରସ୍ତାବ ଉପ‌େର ପଦକ୍ଷେପ ନେବାକୁ ସରକାର ସମୟ ନେଇଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ମଞ୍ଚ ଘୋଷଣା କରିଛି।ସନ୍ଧ୍ୟାରେ ମଞ୍ଚର ଉପଦେଷ୍ଟା ତଥା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସଚିବାଳୟ ଯାଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଚିଟ୍‌ପଣ୍ଡ କମିସନ୍‌ଙ୍କ ସୁପାରିସ ଆଧାରରେ ସରକାର ଟଙ୍କା ଫେରସ୍ତ କରିବା ଆରମ୍ଭ କରିଛନ୍ତି। କିନ୍ତୁ ବ୍ଲକ ସ୍ତରରେ କେତେ କ୍ଷତିଗ୍ରସ୍ତ ଜମାକାରୀ ଅଛନ୍ତି ସେମାନଙ୍କ ନିର୍ଭୁଲ ଚିହ୍ନଟ ଏଯାଏଁ ହୋଇପାରିନି। ସେମାନଙ୍କୁ ସାନି ଚିହ୍ନଟ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଆସନ୍ତା ୨୨ ତାରିଖରେ ଜିଲ୍ଲାପାଳ ବୈଠକରେ ଏ ନେଇ ଆଲୋଚନା କରିବାକୁ ଅର୍ଥ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚିଟଫଣ୍ଡ୍ କମିସନଙ୍କ ପାଖରେ କେତେ ଜମାକାରୀ ଅର୍ଥ ଫେରସ୍ତ ‌ପାଇବା ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ଭିତରୁ କେତେଜଣଙ୍କୁ ଟଙ୍କା ଫେରସ୍ତ କରାଗଲାଣି, ତାହା ଏ ପର୍ଯ୍ୟନ୍ତ ଲୋକେ ଜାଣିପାରିନାହାନ୍ତି। ଏଥିପାଇଁ ସରକାର ଏକ ଶ୍ବେତପତ୍ର ଜାରି କରିବାକୁ ଅର୍ଥ ବିଭାଗ ସହମତି ପ୍ରକାଶ କରିଥିବା ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ। ସେହିପରି ଚିଟଫଣ୍ଡ୍ କମିସନ୍‌ଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଜମାକାରୀମାନଙ୍କର ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି କି ଯାନ୍ତ୍ରିକ ବ୍ୟବସ୍ଥା ନାହିଁ। ଏଣୁ କମିସନଙ୍କୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଯାନ୍ତ୍ରିକ ସୁବିଧା ଯୋଗାଇଦେବାକୁ ମଧ୍ୟ ଦାବି କରାଯାଇଛି। ମଞ୍ଚର ଅନ୍ୟତମ ଉପଦେଷ୍ଟା ରବି ଦାସ ଓ ଆବାହକ ଜୟନ୍ତ ଦାସ କହିଲେ ଯେ ଅର୍ଥମନ୍ତ୍ରୀଙ୍କ ସହିତ ମଞ୍ଚର ଆଲୋଚନା ବେଳେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। କ୍ଷୁଦ୍ର ଓ ବୃହତ ସମସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ତହସିଲ ଜରିଆରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଚିଟ୍‌ଫଣ୍ଡ ତଦନ୍ତ ବେଳେ ଜବତ୍‌ ମୋଟରଗାଡ଼ି, ଜମିଜମା ଆଦିର ବଜାର ମୂଲ୍ୟ ନିର୍ଧାରଣ ପାଇଁ ଇ-ଟେଣ୍ଡର ପରିବର୍ତେ ଖବରକାଗଜରେ ଖୋଲା ବିଜ୍ଞାପନ ଜରିଆରେ ଖୋଲା ନିଲାମ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ଆଇନରେ ଅସଙ୍ଗତି ବା ତ୍ରୁଟିବିଚ୍ୟୁତି ଚିଟ୍‌ଫଣ୍ଡ କେଳେଙ୍କାରୀର ଅନ୍ୟତମ କାରଣ ହୋଇଥିବାରୁ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ଆସନ୍ତା ୨୨ ତାରିଖ ସୁଦ୍ଧା ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ନେବାକୁ ସମୟ ନେଇଛନ୍ତି ବୋଲି ମଞ୍ଚର ଆବାହକ ଶ୍ରୀ ଦାସ କହିଛନ୍ତି। ଏଥି ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ତେବେ ୨୩ ତାରିଖରେ ସରକାରଙ୍କ ସହିତ ପରବର୍ତୀ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଅର୍ଥମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସଦସ୍ୟ ମଧୁସୂଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ବିଭୁଦତ୍ତ ମିଶ୍ର, ଅମର କୁମାର ସାହୁ, ସୁଧାଂଶୁ ବେହେରା, ଚଣ୍ଡାଳ ପ୍ରଧାନ, ପ୍ରଦୀପ କୁମାର ମହାରଣା, ଅଖିଳ ମୋହନ ଲେଙ୍କା, ଉମେଶ ଚନ୍ଦ୍ର ନାୟକ, ଭଞ୍ଜକିଶୋର ପ୍ରଧାନ ଅଂଶଗ୍ରହଣ କରିଥିଲେ। ଏହାପୂର୍ବରୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଆଜି ରାଜଧାନୀରେ ଏକ ସମାବେଶର ଆୟୋଜନ କରାଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ‌ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଜମାକାରୀମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର