‘ଶ୍ରୀକ୍ଷେତ୍ରକୁ ଭିକାରିମୁକ୍ତ ଅଭିଯାନ’ ବିଫଳ, ବଡ଼ଦାଣ୍ଡରେ ଏବେ ବି ମାଳମାଳ ଭିକାରି

ପୁରୀ : ଶ୍ରୀକ୍ଷେତ୍ର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରିବା ପାଇଁ ୧୫ ଦିନ ତଳେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଭାବେ ‘ନୀଳାଦ୍ରୀ ନିଳୟ’ ପ୍ରକଳ୍ପର ଶୁଭାରମ୍ଭ କରିଥିଲା। ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତୀକରଣ ଯୋଜନାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ଥିଲା ଭିକାରିଙ୍କୁ ପୁନର୍ବାସ ସହ ମୁଖ୍ୟସ୍ରୋତରେ ସାମିଲ୍‌ କରିବା। ଏହି ପ୍ରକଳ୍ପର ଘୋଷଣା କ୍ରମରେ ଗତ ୪ ତାରିଖରୁ ଭିକାରି ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଉଦ୍ଧାର ଭିକାରିମାନଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରଖାଗଲା। ଏହାର କିଛିଦିନ ଯାଇଛି କି ନାହିଁ, ପୁନର୍ବାର ଭିକାରିମାନେ ବଡ଼ଦାଣ୍ଡରେ ଧାଡ଼ି ଲଗାଇଲେଣି। ଏହି ଦୃଶ୍ୟ ଶ୍ରୀକ୍ଷେତ୍ର ପ୍ରତି ନକରାତ୍ମକ ଭାବନା ଜାତ କରୁଥିବାବେଳେ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତୀକରଣ ଯୋଜନାରେ ଆରମ୍ଭ ହୋଇଥିବା ‘ନୀଳାଦ୍ରୀ ନିଳୟ’ ଯୋଜନାକୁ ଉପହାସ କରିଛି।

ଭିକାରିମୁକ୍ତ ପାଇଁ ‘ନୀଳାଦ୍ରି ନିଳୟ’ ପ୍ରକଳ୍ପର ଘୋଷଣା ପରେ ଜିଲ୍ଲାପାଳ ଖୋଦ୍ ଏହାର ସମୀକ୍ଷା କରିଥିଲେ। ସେହି ଅନୁଯାୟୀ ନକ୍ସା ପ୍ରସ୍ତୁତ ହୋଇଥିଲା। ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଗୋଟି ‘ନୀଳାଦ୍ରି ନିଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ଗୃହରେ ୫୦ ଜଣ ଭିକାରିଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଥିଲା। ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ବି ହୋଇଥିଲା। ପ୍ରାୟ ୪୦୦ ଶାରୀରିକ ଅକ୍ଷମ, କୁଷ୍ଠରୋଗୀ, ମାନସିକ ବିକାର ଏବଂ ବୟସ୍କ ଭିକାରିଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ମାର୍ଚ୍ଚ ୩ରେ ଭିକାରି ଉଦ୍ଧାର ଅଭିଯାନ ଆରମ୍ଭ ହେଲା। ସିଂହଦ୍ବାରରୁ ଏହି ଅଭିଯାନ ଆରମ୍ଭ ହେଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏହି ଅଭିଯାନରେ ସାମିଲ୍‌ ହୋଇ ଭିକାରିଙ୍କୁ ଉଦ୍ଧାର କଲେ। ପ୍ରଥମ ଦିନରେ ୩୧ଜଣ ଭିକାରିଙ୍କୁ ଉଦ୍ଧାର କରାଗଲା। ଡେଲାଙ୍ଗସ୍ଥିତ ଆଭା ସ୍ବେଚ୍ଛାସେବୀ ଅନୁଷ୍ଠାନ, ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ୱେଲଫେୟାର ଅର୍ଗାନାଇଜେସନ୍‌ ସହ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏମାନଙ୍କ ରଖାଯାଇଥିଲା। ଏହି ଭିକାରିମାନଙ୍କୁ ମାସିକ ୩ ହଜାର ୪୦୦ ଟଙ୍କା ମିଳିବ ବୋଲି ବି ଘୋଷଣା କରାଯାଇଥିଲା। କିନ୍ତୁ ଏହି ଅଭିଯାନ ଲୋକ ଦେଖାଣିଆ ହୋଇ ରହିଯାଇଛି। ଏହି ଅଭିଯାନର କିଛିଦିନ ଯାଇଛି କି ନାହିଁ, ଭିକାରିମାନେ ପୁନର୍ବାର ବଡ଼ଦାଣ୍ଡରେ ବସି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଗତକାଲି ବହୁ ସଂଖ୍ୟାର‌ ଭିକାରି ବଡ଼ଦାଣ୍ଡରେ ବସି ଭିକ୍ଷାବୃତ୍ତି କରୁଥିଲେ। ଆଜି ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହା ‘କରୋନା’ ଭୂତାଣୁର ସଂକ୍ରମଣ ଆଶଙ୍କା ମଧ୍ୟ ଜାତ କରିଛି।

ସମ୍ବନ୍ଧିତ ଖବର