କୈଳାସଙ୍କ ପାଇଁ କଂଗ୍ରେସରେ ତେଜିଲା କନ୍ଦଳ

କୋରାପୁଟ : ବିରୋଧୀଙ୍କ ସହ ସଂଗଠିତ ହୋଇ ଲଢ଼ିବା ବଦଳରେ ପରସ୍ପର ବିରୋଧୀ ଲଢ଼େଇକୁ ନେଇ ତେଜିଲା କୋରାପୁଟ ଜିଲ୍ଲା କଂଗ୍ରେସର କନ୍ଦଳ।

ସୂଚନା ଅନୁଯାୟୀ, କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ସାଂସଦ। ତେବେ ବିରୋଧୀ ଦଳକୁ ଟାର୍ଗେଟ କରିବା ବଦଳରେ ଏଠାରେ ନିଜ ଦଳର ନେତାଙ୍କ ଉପରେ ବର୍ଷିଥିଲେ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। ଜିଲ୍ଲାର ଜଣେ ମାତ୍ର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ କାହିଁକି ଡକାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ କେଉଁ ଆଧାରରେ ମଞ୍ଚରେ ବସିବାକୁ ଦିଆଗଲା ବୋଲି କହିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ମଞ୍ଚରୁ ଉଠି ଆସି ତୁରନ୍ତ ପିସିସି ସଭାପତିଙ୍କୁ ଫୋନ କରି ଜଣାଇଥିଲେ। ତେବେ ପସିସି ସଭାପତିଙ୍କ ସହ ଶ୍ରୀମତୀ ବାହିନୀପତି କଣ କଥା ହେଲେ ସ୍ପଷ୍ଟ ହୋଇପାରି ନାହିଁ। ଗଣମାଧ୍ୟମ ସମ୍ମୁଖରେ ନିଜ ଅସନ୍ତୋଷ ଛାଡ଼ି କହିଥିଲେ, କୋରାପୁଟ ଜିଲ୍ଲା କଂଗ୍ରେସରେ କିଛି ଠିକ୍‌ ଚାଲିନାହିଁ। ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଛି। ଜିଲ୍ଲା ସଭାପତିଙ୍କ ବିରୋଧରେ ଗତ ଦିନରେ କୈଳାସ ଆଧାରହୀନ ଟିପ୍ପଣୀ ଦେଇଥିଲେ। ଏହା ଦଳ ବିରୋଧୀ କାର୍ଯ୍ୟ ହୋଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଦଳରେ ତାଙ୍କୁ ପ୍ରଶ୍ରୟ ଦିଆଯାଉଛି। ଯଦି ଏମିତି ଚାଲେ, ସେ ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ପିସିସି କାର୍ଯ୍ୟାଳୟକୁ ହଜାର ହଜାର କର୍ମୀଙ୍କୁ ନେଇ ପହଞ୍ଚିବେ। ସେହିଦିନ ହିଁ ଦଳରୁ ଇସ୍ତଫା ଦେଇଦେବେ ବୋଲି ଶ୍ରୀମତୀ ବାହିନୀପତି ଚେତାବନୀ ଦେଇଛନ୍ତି।

ଏ ନେଇ ସାଂସଦ ସପ୍ତଗିରି ଉଲାକାଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର