ବ୍ରହ୍ମପୁରରେ ଆଲୋଡ଼ନ: ପୁଣି ରାଗିଂ, କର୍ତ୍ତୃପକ୍ଷ ନିରବ

ବ୍ରହ୍ମପୁର : ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ସୀମା ଲଙ୍ଘିଛି। ଅଧିକାଂଶ କ୍ଷେତ୍ରରେ କର୍ତ୍ତୃପକ୍ଷ ନିରବ ରହିବା କିମ୍ବା ଘଟଣାକୁ ଚପାଇ ଦେଉଥିବା ଦେଖାଯାଉଛି। ଅସାମାଜିକ ଛାତ୍ର ଗୋଷ୍ଠୀ ନିର୍ଭୟରେ କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ନାନା ହଇରାଣ କରୁଛନ୍ତି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ପ୍ରତି ହୋଇଥିବା ରାଗିଂ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଶନିବାର ପୁଣି ସହରର ଆଉ ଏକ ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଶିକ୍ଷାନୁଷ୍ଠାନର ଜଣେ +୨ ପ୍ରଥମ ବର୍ଷ ଛାତ୍ରୀ ଶେଷବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି। ପୀଡ଼ିତା ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଯିବାକୁ ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଟଣାଟଣି କରିବା ନେଇ ସେ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକାନ୍ତ ନାୟକ ଛାତ୍ରୀ ଜଣକ ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି। ‌ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଣ୍ଟିରାଗିଂ କମିଟିକୁ ଅଭିଯୋଗପତ୍ରଟି ହସ୍ତାନ୍ତର କରାଯାଇଛି। ଯଦିଓ ଛାତ୍ରୀ ଜଣକ ମୌଖିକ ଭାବେ ରାଗିଂର ଶିକାର ହୋଇଥିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ତେବେ, କଲେଜ କର୍ତ୍ତୃପକ୍ଷ ଏହାକୁ ଗମ୍ଭୀରତାର ସହ ବିଚାରକୁ ନନେଇ କିଭଳି ନିରବ ରହିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ଏହି ଶିକ୍ଷାନୁଷ୍ଠାନରେ ଦୁଇ ମାସ ତଳେ ଏଭଳି ଏକ ରାଗିଂ ଘଟଣା ଘଟିଥିବା ସମ୍ପର୍କରେ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ତାଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଅନ୍ୟ ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ ଆଣ୍ଟିରାଗିଂ କମିଟି ସୁପାରିସ୍‌ କ୍ରମେ ୬ଜଣ ଛାତ୍ରଙ୍କୁ ଗତ ସେପ୍ଟେମ୍ବର ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। ତାପରେ ମଧ୍ୟ ‌ଉକ୍ତ ଛାତ୍ରମାନେ ସୁଧୁରି ନଥିଲେ। ତାଙ୍କ ସହ ଅନ୍ୟ ୩ଛାତ୍ର ବିଦ୍ୟାଳୟ ପରିସରରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଥିଲେ। ଫଳରେ ମୋଟ ୯ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ୍‌ ଥାନାକୁ ସୁପାରିସ୍ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସମ୍ବନ୍ଧିତ ଖବର