ପ୍ରସିଦ୍ଧ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ ଆଖି ବୁଜିଛନ୍ତି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ, ରଘୁନାଥ ମହାପାତ୍ର ପୁରୀରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏମ୍‌ସରେ ଭର୍ତ୍ତି ହେବା ପରେ ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ ।

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛିୁ ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର