ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୧୨ ଯାଏ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ମେଘୁଆ ପାଗ ଲାଗିରହିବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ଯେ ୧୧ ତାରିଖ ପୂର୍ବାହ୍ନ ସୁଦ୍ଧା ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ୧୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହୁଛି। ୧୩ ତାରିଖଠାରୁ ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ପଞ୍ଜାବ ସମେତ ସମ୍ପୂର୍ଣ୍ଣ ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କିଛି ଅଂଶ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉତ୍ତରପଶ୍ଚିମ ଭାରତର ବାକି ଅଞ୍ଚଳ, କେନ୍ଦ୍ରୀୟ ଭାରତର ଅଧିକାଂଶ ଅଞ୍ଚଳ ଓ ପୂର୍ବ ଭାରତର କେତେକ ଅଂଶରୁ ମୌସୁମୀ ପ୍ରତ୍ୟାବର୍ତନ କରିବ।

ସମ୍ବନ୍ଧିତ ଖବର