ରଣେଶ୍ବର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ୨୬ରୁ

ସମ୍ବଲପୁର: ଦାନୀପାଲି ଠାରେ ନିର୍ମାଣ ହୋଇଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ। ୨୬ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ପାଳନ ହେବ ବୋଲି ଶନିବାର ରାମଚଣ୍ଡୀ ସେବା ସଦନର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର କୁଲତା ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ମାଘ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ୨୬ ତାରିଖ ଦିନ ମନ୍ଦିର ପ୍ରତିଷ୍ଠା ପାଇଁ ମହାନଦୀର ବାଲିବନ୍ଧା ଘାଟରୁ କଳସ ଶୋଭାଯାତ୍ରା ବାହାରିବ। ୨୭ ତାରିଖ ଦେବତା ଆବାହନ ଏବଂ ୨୮ରେ ଦେବତା ପ୍ରାଣ ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ୨୯ ତାରିଖରେ ମନ୍ଦିର ପ୍ରବେଶ ହେବ।

ସବୁଦିନ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ୧୦ ଜଣ ପରିବାର କର୍ତ୍ତା ଦାୟିତ୍ୱ ତୁଳାଇବେ। ରାମଚଣ୍ଡୀ ମୂର୍ତ୍ତି ମୁଗୁନି ପଥରରେ ସାଢେ ୪ ଫୁଟ ଉଚ୍ଚତାର ନିର୍ମାଣ ହୋଇଥିବା ବେଳେ କୁଲତା ଜାତିର ଗୋତ୍ର ମାନଙ୍କ ପ୍ରତିମୂର୍ତ୍ତି ସମେତ ସମୁଦାୟ ୬୪ ଟି ବିଗ୍ରହ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହାଯାଇଛି। ସମ୍ବଲପୁର କୁଲତା ସମାଜ ସଭାନେତ୍ରୀ ଯଶୋବନ୍ତୀ ନାୟକ, ସାଧାରଣ ସମ୍ପାଦକ ଦେବଦତ୍ତମ ପ୍ରଧାନ, ଉପ ସଭାପତି କୃପାସିନ୍ଧୁ ଖମାରୀ, ଭକ୍ତବନ୍ଧୁ ପ୍ରଧାନ, ଲଷ୍ମଣ ପ୍ରଧାନ, ଅଭିରାମ ଖମାରୀ, ହାରାଧନ ପ୍ରଧାନ, ସରୋଜ ପ୍ରଧାନ, ଜଟା ଭୂଷଣ ସାହୁ, ମଞ୍ଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର