କୃଷି ଭିତ୍ତିଭୂମି ସଜାଡ଼ିବାକୁ ‘ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ଓଡ଼ିଶା’ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ଆର୍‌ସିଇପି ଚୁକ୍ତିକୁ ବିରୋଧ

ଭୁବନେଶ୍ବର : କୃଷି ଉପରେ ଓଡ଼ିଶା ନିର୍ଭରଶୀଳ ଥିଲେ ହେଁ ରାଜ୍ୟରେ କୃଷିର ଭିତ୍ତିଭୂମି ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ବେପରୱା ମନୋଭାବ ଯୋଗୁଁ ଚାଷ ଉପରେ ନିର୍ଭର କରୁଥିବା ଚଷା ପରିବାର ମୁଣ୍ଡରେ ହାତ ଦେଲେଣି। ତେଣୁ ଏହାକୁ ଗୁରୁତ୍ବର ସହ ନେଇ ‘ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ଓଡ଼ିଶା’ ଆଜି ରାଜ୍ୟପାଳଙ୍କୁ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି।

ପ୍ରତି ପଞ୍ଚାୟତରେ ଧାନ ମଣ୍ଡି ସ୍ଥାପନ ସହ ଚାଲୁଥିବା ମଣ୍ଡିରେ ଅବ୍ୟବସ୍ଥା ଦୂର କରିବା, ଅନ୍ୟ ରାଜ୍ୟ ଭଳି ଧାନ ଦରରେ କିଛି ବୋନସ୍‌ ପ୍ରଦାନ ସହ ଚାଷୀକୁ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ୧୨ହଜାର କୃଷକଙ୍କୁ ଶସ୍ୟକଟା ମୂଲ୍ୟ ବାବଦରେ ୧୬୦ କୋଟି ଟଙ୍କାର ବୀମା ରାଶି ୪୫ଦିନ ମଧ୍ୟରେ ଫେରସ୍ତ କରିବା ଧାର୍ଯ୍ୟ ଥିବା ବେଳେ ୧୦ ମାସ ବିତିଯାଇଥିଲେ ସୁଦ୍ଧା ମିଳି ନଥିବାରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଚାଷୀଙ୍କୁ ଏ ବାବଦରେ ନ୍ୟାୟ ପ୍ରଦାନ, ରାଜ୍ୟରେ ଜଳସେଚନ ୩୦ ଭାଗରେ ସୀମିତ ଥିବାରୁ ଏଥିପ୍ରତି ଗୁରୁତ୍ବ ଦେଇ ପ୍ରତି ଜମିକୁ ଜଳସେଚନର ସୁବିଧା, ଆବଶ୍ୟକତାଠାରୁ ନଗଣ୍ୟ ସଂଖ୍ୟାରେ ଶୀତଳ ଭଣ୍ଡାର ଥିବାରୁ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ସ୍ଥାପନ, ସ୍ବାମୀନାଥନ କମିଟି ସୁପାରିସ ଲାଗୁ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଯୁବକଙ୍କୁ ଚାଷ ପ୍ରତି ଆକର୍ଷିତ କରିବା ପାଇଁ ଦୀର୍ଘମିଆଦି ଲାଭଜନକ ଯୋଜନା ପ୍ରଣୟନ, ଚାଷୀର ସାମାଜିକ ସୁରକ୍ଷା ଭତ୍ତା ଲାଗୁ, କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ, ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀର କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ କରିବା ଆଦି ୧୨ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯଇଥିଲା। ଆର୍‌ସିଇପି ଚୁକ୍ତିକୁ ବିରୋଧ କରିବା ସହ ଏହି ଚୁକ୍ତିରେ ସ୍ବାକ୍ଷର ନ କରିବା ପାଇଁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ମହାସଂଘର ରାଷ୍ଟ୍ରୀୟ ସମ୍ପାଦକ ସଚିନ୍‌ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶୁଭେନ୍ଦୁ ଏସ୍‌.ଏସ୍‌ ମଲ୍ଲିକ ଓ ସଂଗ୍ରାମ କିଶୋର ଏହି ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର