ସୁପ୍ରିମକୋର୍ଟରେ ରଥଯାତ୍ରାକୁ ଅନୁମତି ସପକ୍ଷରେ ଲଢ଼ିବେ ସାଵରୀମାଳା ଓକିଲ

ବୋୖଦ୍ଧାୟନ ଆଚାର୍ଯ୍ୟ

ପୁରୀ: ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ଲଢେଇ କରିବେ ସାଵରୀମାଳାର ଓକିଲ | ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବାବଦରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବେଦନ ହୋଇଥିବା ମୋଡିଫିକେସନ୍ ପିଟିସନ୍ ମଧ୍ୟରୁ ଗୋଟିଏ  ପିଟିସନ ପାଇଁ  ଲଢ଼ିବେ ବରିଷ୍ଠ ଆଇନଜୀବୀ ସୁଭିଦତ୍ତ ସୁନ୍ଦରମ୍ | ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ପିଟିସନକୁ ସୁଭିଦତ୍ତ ଲଢ଼ିବେ | ତେବେ ସୁଭିଦତ୍ତଙ୍କ ବାବଦରେ କହିବାକୁ ଗଲେ ସେ ପୂର୍ବରୁ ସାଵରୀମାଳା ମନ୍ଦିରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା କେରଳ ରାଜପରିବାର ପକ୍ଷରୁ ଲଢ଼ିଥିଲେ |

କେରଳ ରାଜପରିବାରର ଓକିଲ ଥିବା ସୁଭିଦତ୍ତ କିଭଳି ସାଵରୀମାଳାର ନୀତି ଅକ୍ଷୁର୍ଣ୍ଣ ରହିବ ସେ ବାବଦରେ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ | ଯେହେତୁ କେରଳ ରାଜପରିବାର ସାଵରୀମାଳା ମନ୍ଦିରକୁ ପ୍ରତିଷ୍ଠା କରିଥିଲେ, ତେଣୁ ବର୍ଷ ବର୍ଷର ପରମ୍ପରା କିଭଳି ବଜାୟ ରହିବ ସେ ନେଇ ସେ ନେଇ ପକ୍ଷ ରଖାଯାଇଥିଲା |

ଆଉ ନୀତି ପରମ୍ପରାକୁ ବଜାୟ ରଖିବା ସପକ୍ଷରେ ସବୁବେଳେ ଲଢ଼ୁଥିବା ଏହି ଓକିଲ ରଥଯାତ୍ରାକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ ନ କରାଯାଇ ଓ ନୀତିକୁ ନ ଭାଙ୍ଗି ରଥଯାତ୍ରା କରାଯିବ ସେ ନେଇ ଯୁକ୍ତି ରଖିବେ | ଏହି ପ୍ରସଙ୍ଗ ବାବଦରେ ସମ୍ବାଦ ଡଟ ଇନକୁ ସୁଭିଦତ୍ତ କହିଛନ୍ତି ଯେ ଏହି ମାମଲା କେବେ ଶୁଣାଣି ହେବ ସେ ନେଇ ସ୍ପଷ୍ଟ ହୋଇନଥିଲେ ବି ମାମଲାର ଗୁରୁତ୍ୱ ବାବଦରେ ସୁପ୍ରିମକୋର୍ଟର ରେଜିଷ୍ଟ୍ରାରଙ୍କୁ ଅବଗତ କରାଯାଇଛି | ଆଉ ସମୟ ନଥିବାରୁ ସୋମବାର ଦିନ ଶୁଣାଣି କରିବାକୁ ତାଙ୍କୁ ଅନୁରୋଧ କରାଯାଇଛି |

ଦୁଇଦିନ ତଳେ ରଥଯାତ୍ରା ବନ୍ଦ ହେବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ | ଏହାର ପୁନର୍ବିଚାର କରିବା ପାଇଁ ଏକାଧିକ ପିଟିସନ ଦାୟର କରାଯାଇଛି  ଆଉ ଛତିଶା ନିଯୋଗ ନାୟକଙ୍କ ଓକିଲ ଭାବେ ପିଟିସନକୁ ସୁଭିଦତ୍ତ ସୁନ୍ଦରମ ଲଢ଼ିବେ |

ସମ୍ବନ୍ଧିତ ଖବର