ବିକିଦେଲେ ଭୋକିଲାଙ୍କ ରିଲିଫ୍ ଚାଉଳ : ଧରାପଡ଼ିବାରୁ କେଜି ପିଛା ୧୮ଟଙ୍କା ବାଣ୍ଟିଲେ, କିଛି ଲୋକଙ୍କୁ ଧରାଇ ଦେଲେ ଟୋକନ୍

ଯାଜପୁର/ବୈତରଣୀରୋଡ୍ : ଯାଜପୁର ଜିଲ୍ଲାର ରାସନ ଓ ରିଲିଫ କେଳେଙ୍କାରୀ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ଆଜି ଆଉ ଏକ ଅଭାବନୀୟ ଫର୍ଦ୍ଦ ଯୋଡ଼ି ହୋଇଛି। ଭୋକିଲାଙ୍କ ରିଲିଫ ଚାଉଳ ବିକ୍ରି କରିଦେଇଥିବା ଡିଲର ଧରାପଡ଼ିବା ପରେ କେଜି ପ୍ରତି ୧୮ଟଙ୍କା ଦରରେ ‌‌କେତେକ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଛନ୍ତି। କୋରେଇ ବ୍ଲକ୍ ରଣପୁର ସାଆଁଳା ଗ୍ରାମର କେତେକ ହିତାଧିକାରୀଙ୍କୁ ଟଙ୍କା ବଣ୍ଟା ଯାଇଥିବାବେଳେ କେତେକଙ୍କୁ ଟୋକନ ଧରାଇ ଦିଆଯାଇଛି। ଯୋଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ବେଆଇନ୍ କାମ କରାଯାଇଥିବା ଜଣାପଡ଼ିଛି।

କୋରେଇ ବ୍ଲକ୍ ରଣପୁର ପଞ୍ଚାୟତର ସାଆଁଳା ଗ୍ରାମର ଶତାଧିକ ପରିବାର ସେମାନଙ୍କର ‌ସେପ୍ଟେମ୍ବର ମାସରୁ ରାସନ ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୩ ମାସର ରିଲିଫ ଓ ହରଡ଼ ଡାଲି ପାଇ ନଥିବା ଗତ ୨ସପ୍ତାହ ହେଲା ଅଭିଯୋଗ କରିଆସୁଛନ୍ତି। ସେମାନେ ସମସ୍ତେ ଗରିବ ପଡ଼ିକାର୍ଡଧାରୀ। ରାସନ ସାମଗ୍ରୀ ପାଇଁ ସେମ‌ାନେ କୋରେଇ ଯୋଗାଣ ବିଭାଗର ଏମ୍‌ଆଇ ଓ ବିଡିଓଙ୍କୁ ଗୁହାରି କରିଆସୁଥିଲେ। ମାତ୍ର, କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ‘ସମ୍ବାଦ’ରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ଆଜି ଏମ୍‌ଆଇଙ୍କ ଉପସ୍ଥିତିରେ କିଛି ଲୋକଙ୍କୁ ରିଲିଫ ଚାଉଳ ଦିଆଯାଇଥିଲା। ମାତ୍ର ଚାଉଳ ନିଅଣ୍ଟ ହେବାକୁ ସେମାନଙ୍କୁ ଚାଉଳ ବଦଳରେ କେଜି ପିଛା ୧୮ଟଙ୍କା ହିସାବରେ ଟଙ୍କା ବଣ୍ଟନ କରାଯାଇଛି। ତାହା ପୁଣି ସମସ୍ତଙ୍କୁ ଦିଆଯାଇ ନାହିଁ। କେତେକଙ୍କୁ ଟୋକନ ଦିଆଯାଇ ଫେରାଇ ଦିଆଯାଇଛି। ଆସନ୍ତାକାଲି ସେମାନଙ୍କୁ ଟଙ୍କା ଓ ରିଲିଫ ଚାଉଳ ବଣ୍ଟନ କରାଯିବ ବୋଲି କୁହାଯାଇଛି।

.jagran.com

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ୧୨୦ କୁଇଣ୍ଟାଲରୁ ଅଧିକ ଚାଉଳ ଆବଶ୍ୟକତା ଥିବାବେଳେ ମାତ୍ର ୨୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ସେହ୍ନଲତା ସାହାଙ୍କ ପରିବାରକୁ ୭୫୦ଟଙ୍କା, କନକଲତା ସାହଙ୍କ ପରିବାରକୁ ୧୨୫୦ଟଙ୍କା, କନକଲତା ମହାପାତ୍ରଙ୍କ ପରିବାରକୁ ୧୫୦୦ଟଙ୍କା, ଉର୍ମିଳା ମାଝିଙ୍କୁ ୮୫୦ଟଙ୍କା, ସନ୍ତାଣି ଯେନାଙ୍କୁ ୨୫୦ଟଙ୍କା, ନିରଞ୍ଜନ ମହାପାତ୍ରଙ୍କୁ ୧ହଜାର ଟଙ୍କା ଏହିପରି ୧୬ଜଣଙ୍କୁ ରିଲିଫ ଚାଉଳ ଦେବା ବଦଳରେ ଟଙ୍କା ବଣ୍ଟନ କରାଯାଇଛି। ଅନ୍ୟପଟେ ଟଙ୍କା ଓ ଚାଉଳ ନଥିବାରୁ ପାକ ଯେନା, ଉମା ଯେନା, ରେବତୀ ଯେନା, ବାସନ୍ତୀ ଯେନା, ଝୁମୁକି ଯେନା, କଣ୍ଡେଇ ଯେନା, ନିର୍ମଳା ଯେନା, ମୀନା ଯେନା, ରବିନା ଯେନା ପ୍ରମୁଖ ୧୭ଜଣଙ୍କୁ କିଛି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଏମଆଇ ପ୍ରସନ୍ନ ନାୟକଙ୍କୁ ପଚାରିବାରେ ସେ ଚାଉଳ ଓ ଟଙ୍କା ବଣ୍ଟନ କଥାରେ ସ୍ବୀକାର କରିଛନ୍ତି। ପରେ କେବଳ ଚାଉଳ ବଣ୍ଟନ କରାଯାଇଛି ବୋଲି କହିଛନ୍ତି। କେତେ ଚାଉଳ ବଣ୍ଟନ ହୋଇଛି ସେ ଜାଣିନାହାନ୍ତି ବୋଲି ସେ କହିଥିବାବେଳେ ଅବଶିଷ୍ଟ ଚାଉଳ ଆସନ୍ତାକାଲି ବଣ୍ଟନ ହେବ ବୋଲି କହିଛନ୍ତି।

ଆଜିର ସାଆଁଳା ଗ୍ରାମରେ ରିଲିଫ ଚାଉଳ ବାବଦରେ ଟଙ୍କା ବଣ୍ଟନ ଘଟଣା ଜିଲ୍ଲାର କ‌ିପରି ରାସନ ଓ ରିଲିଫ ଚାଉଳ ହଡ଼ପ ହୋଇଛି, ତାହା ସ୍ପଷ୍ଟ ହୋଇଯାଇଛି। ଯାଜପୁର ଜିଲ୍ଲା ଯୋଗାଣ ବିଭାଗ ଦୁର୍ନୀତି ଗନ୍ତାଘରରେ ପରିଣତ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଜିଲ୍ଲା ଯୋଗଣ ବିଭାଗ ଉଚ୍ଚ ପଦାଧିକାରୀ ଅବା ଜିଲ୍ଲା ପ୍ରଶାସନ ଆଖି, କାନ ଓ ପାଟି ବନ୍ଦ କରି କିଛି ନଜାଣିବା ଭଳି ଛଳନା କରୁଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀ ଓ ସଚେତନ ନାଗରିକଙ୍କ ନିକଟରେ ଜିଲ୍ଲା ପ୍ରଶାସନର ଭୂମିକା ସନ୍ଦେହଘେରକୁ ଠେଲି ହୋଇଯାଇଛି। ଏହାଉପରେ ରାଜ୍ୟ ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ରିଲିଫ ଚାଉଳ ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର