ବିରୋଧୀଙ୍କ ମିଛ ପ୍ରଚାରର ଜବାବ୍ ଦିଅ, ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଅ: ନବୀନ

ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ତାଙ୍କର ପ୍ରଚାର ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସର ପ୍ରଚାର ରଣନୀତି ହେଉଛି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତିକୁ ପହଞ୍ଚାଯିବ। ଏପଟେ ଆଜି ବିଜେଡି ରଣନୀତି ପ୍ରସ୍ତୁତ କରିଛି ଯେ ଲୋକଙ୍କ ନିକଟରେ ସରକାରଙ୍କ ସଫଳତାକୁ ପହଞ୍ଚାଯିବ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ବିରୋଧୀ ଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ। ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ। ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ବିରୋଧୀଙ୍କ ମିଛ ପ୍ରଚାର ଉଚିତ୍‌ ଜବାବ୍ ଦିଅନ୍ତୁ। ମୋର ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଲୋକଙ୍କ ଆଶୀର୍ବାଦ ଆଣିବେ। ଏଥିରେ ମୋର ପୂରା ବିଶ୍ବାସ ରହିଛି।
ବିଜେଡି ସଂଗଠନ ସମ୍ପା‌ଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୁରି ସାମିଲ୍‌ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି। ଏବେ କୋଭିଡ ମହାମାରୀର ତୃତୀୟ ଲହର ଚାଲିଥିବାରୁ ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ ପାଳନ କରିବେ। ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ। ଆପଣମାନେ ଜାଣି ଖୁସି ହେବେ ଯେ, ଓଡ଼ିଶା ଆଜି ସାରା ଦେଶରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ବିଶ୍ବାସ ସୃଷ୍ଟି କରିଛି। ବିଜେଡି ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ। ଏହି ‌କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିସନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ଆପଣଙ୍କ ବିଜେଡି ସରକାର ଦେଇଛି। ଲକ୍ଷଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦ହଜାର ଟଙ୍କା କାଳିଆ ଯୋଜନାରେ ସହାୟତା ଦିଆଯାଇଛି। ରାସନ୍ କାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କ ପାଇଁ ବାଟ ଦେଖାଇଛି। ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି। ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି। ଆମେ ସମସ୍ତେ ଜାଣିଛୁ ଓଡ଼ିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆଶୀର୍ବାଦ କରିଆସିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ପରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର