ଜୈବ ବିବିଧତା ଐତିହ୍ୟସ୍ଥଳୀ ମଣ୍ଡାସରୁ ରେକର୍ଡ଼ ପରିମାଣର ରାଜସ୍ବ ଆଦାୟ

ଫୁଲବାଣୀ : ରାଜ୍ୟର ପ୍ରଥମ ତଥା ଏକମାତ୍ର ଜୈବବିବିଧତା ଐତିହ୍ୟସ୍ଥଳୀ ମଣ୍ଡାସରୁ ରେକର୍ଡ ପରିମାଣର ରାଜସ୍ବ ଆଦାୟ କରିଛି। କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ମଣ୍ଡାସରୁ ସର୍ବାଧିକ ୨୬,୨୯,୯୬୬ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକ, ଗବେଷକ ଏବଂ ଯାତ୍ରୀଙ୍କଠାରୁ ଏହି ଅର୍ଥ ବିଭିନ୍ନ ଉପାୟରେ ଆଦାୟ ହୋଇଛି। ଖଣି ଓ ଶିଳ୍ପବିହୀନ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ହିଁ ରାଜସ୍ବ ଆଦାୟର ଏକ ପ୍ରମୁଖ ଉତ୍ସ ‌ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି. ସୂଚନା ଦେଇଛନ୍ତି। ଏଣୁ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରଶାସନ ପଦକ୍ଷେପ ନେଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ୨୦୧୫ରେ ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ପ୍ରଥମ ଏବଂ ଏକମାତ୍ର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଥିଲେ। ରାଜସ୍ବ ଆଦାୟ କ୍ଷେତ୍ରରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ ପରେ ପରେ କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦ୍ବିତୀୟ ସ୍ଥାନରେ ରହିଛି। ଲକ୍‌ଡାଉନ ପରେପରେ ସବୁଠୁ ବେଶି ସଂଖ୍ୟାରେ ପର୍ଯ୍ୟଟକ ମଣ୍ଡାସରୁ ବୁଲି ଆସିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମଣ୍ଡାସରୁ ରହିଛି। ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଟି ରାଇକିଆ ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର ଏବଂ ଫୁଲବାଣୀ ସହରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ। ରାଶିରାଶି ପାହାଡ଼ ଉପତ୍ୟକା ମଧ୍ୟରେ ଏକ ବିଶାଳ ଗଣ୍ଡ (ଗର୍ତ୍ତ) ରହିଛି। ଏହି ଗାତ (ଖୋଲ)କୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଦାରିଙ୍ଗବାଡି ପରେପରେ ମଣ୍ଡାସରୁକୁ କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର କରାଯିବ ବୋଲି ଜିଲ୍ଲାପାଳ ବୃନ୍ଦା ଡି. କହିଛନ୍ତି।

ସମ୍ବନ୍ଧିତ ଖବର