କରୋନା ସତର୍କତା: ୩୧ ପର୍ଯ୍ୟନ୍ତ ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ବନ୍ଦ, କୋଣାର୍କ ପରିଦର୍ଶନ ଉପରେ ୭ଦିନ କଟକଣା

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଜୋରଦାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୂଜ ଭାବେ ଜଣାଶୁଣା ଭୁବନେଶ୍ବର-ପୁରୀ-କୋଣାର୍କର ପ୍ରମୁଖ ଦର୍ଶନୀୟସ୍ଥଳୀ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଜି ଭୁବନେଶ୍ବରର ପ୍ରସିଦ୍ଧ ଦର୍ଶନୀୟସ୍ଥଳୀ ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରିକୁ ବନ୍ଦ ରଖିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ କୋଣାର୍କ ମନ୍ଦିର  ପରିଦର୍ଶନ ଉପରେ କଟକଣା ଜାରି କରିଛି।  ୭ ଦିନ ଯାଏଁ କୋଣାର୍କ ପରିଦର୍ଶନ ଉପରେ କଟକଣା ଲାଗୁ ନେଇ ପୁରୀ ଜିଲ୍ଲାପାଳ ରବିବାର ସୂଚନା ଦେଇଛନ୍ତି।

ଧଉଳିଗିରି ( ଫଟୋ; ବିଭୂତି)

ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ଜନସମାଗମକୁ ହୋଉଥିବାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତିସ୍ତୁପକୁ ବନ୍ଦ ଘୋଷଣା କରାଯାଇଛି । ସେହିପରି ଖଣ୍ଡଗିରି, ଉଦୟଗିରି ଭଳି ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଖଣ୍ଡଗିରି ( ଫଟୋ : ବିଭୂତି)

ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଆରାଧନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେଣୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସମ୍ବନ୍ଧିତ ଖବର