ନିଯୁକ୍ତି ନାଁରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃଥଇଥାନ: ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରେ ୨୯୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟରେ ୨୫୦ ଜଣ କ୍ଷେତ୍ରୀୟ ପରିସଂଖ୍ୟାନ ସର୍ଭେୟର (ଏସ୍‌ଏଫ୍‌ଏସ୍‌), କ୍ଷେତ୍ରୀୟ ପରିସଂଖ୍ୟାନ ନିରୀକ୍ଷକ (ଏସ୍‌ଏଫ୍‌ଆଇ) ଓ ପରିସଂଖ୍ୟାନ ଅଧିକାରୀ, ସହ-ପରିସଂଖ୍ୟାନ ଅଧିକାରୀ ଓ ସହନିର୍ଦ୍ଦେଶକ ପଦରେ ୪୫ ଜଣ ଅବସରପ୍ରାପ୍ତ ଅଧିକାରୀ ପୁନଃନିଯୁକ୍ତି ଦିଆଯିବ। ଏ ନେଇ ରାଜ୍ୟ ଅର୍ଥ ବିଭାଗ ମଞ୍ଜୁରୀ ଦେଇଥିବା ନେଇ ଆଜି ଯୋଜନା ଓ ସଂଯୋଜନ ବିଭାଗ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନର୍ଦ୍ଦେଶାଳୟକୁ ଚିଠି ଲେଖି ଜଣାଇଛି।

ରାଜ୍ୟରେ ବେକାରି ସମସ୍ୟା ଉତ୍କଟ। ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଚାଲିଛନ୍ତି। କର୍ମଚାରୀ ଅଭାବ ଯୋଗୁ ବିଭାଗୀୟ କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏ ନେଇ ଅନେକ ଥର କର୍ମଚାରୀ ମହଲ ବି ଅସନ୍ତୋଷ ପ୍ରକାଶ କରିଛି। କିନ୍ତୁ ସରକାର ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ିପାରୁନାହାନ୍ତି। ନିଯୁକ୍ତି ନାଁରେ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଥଇଥାନ କରି ସରକାର ପଦବି ପୂରଣ କରିଚାଲିଛନ୍ତି। ଖୋଦ ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ନିର୍ଦ୍ଦେଶାଳୟରେ ଶତାଧିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଅଭିଯୋଗ ହେଉଛି, ଅବସରପ୍ରାପ୍ତ ଥରେ ପୁନଃନିଯୁକ୍ତି ପାଇଲେ ସେମାନଙ୍କ କାର୍ଯ୍ୟକାଳ ଅବଧି ଖାଲି ସଂପ୍ରସାରିତ ହୋଇଚାଲିଛି ସିନା ଆଉ ସରୁନି। ଏପରିସ୍ଥଳେ ସରକାରଙ୍କର ଏହି ନୂଆ ନିଷ୍ପତ୍ତି ଅସନ୍ତୋଷକୁ ବହୁଗୁଣିତ କରିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଖୋଦ କର୍ମଚାରୀମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯୋଜନା ଓ ସଂଯୋଜନ ବିଭାଗ ଉପସଚିବ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଇୟାରାସ୍‌ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏହି ୨୯୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏସବୁ ଅଧିକାରୀମାନେ ରାଜ୍ୟ ଅର୍ଥ ବିଭାଗ ୨୦୧୮ ମସିହା ମାର୍ଚ୍ଚ ୧୭ ତାରିଖରେ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ମାସିକ ନିର୍ଦ୍ଦିଷ୍ଟ ଦରମା ପାଇବେ। ଏମାନଙ୍କୁ ଏକ ବର୍ଷ ପାଇଁ ଅସ୍ଥାୟୀ ନିଯୁକ୍ତି ମିଳିବ। ଇୟାରାସ୍‌ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୫୨୯ଟି ପଦବି ପୂରଣ ପାଇଁ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି। ନୂତନ ନିୟମିତ ନିଯୁକ୍ତି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏସବୁ ଅବସରପ୍ରାପ୍ତ ଅଧିକାରୀମାନେ କାର୍ଯ୍ୟ କରିବେ। ଲୋକସେବା ଭବନର ଜନୈକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦପ୍ତର, ଗୃହ ବିଭାଗ, ଯୋାଗଣ ବିଭାଗ, ଅର୍ଥ ବିଭାଗରେ ମାଳ ମାଳ ଅବସରପ୍ରାପ୍ତ କର୍ମଚାରୀ ପୁନଃନିଯୁକ୍ତି ପାଇଛନ୍ତି। ପୁନଃନିଯୁକ୍ତି ପାଇଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ହୋଇଚାଲିଛି ସିନା ସେମାନଙ୍କୁ ଆଉ କାର୍ଯ୍ୟରୁ ଅନ୍ତର କରାଯାଉନି। ଫଳରେ ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉନାହିଁ। ଏପରି ବ୍ୟବସ୍ଥା ବର୍ଷ ବର୍ଷ ଧରି ସରକାରୀ ବିଭାଗରେ ଚାଲିଆସୁଛି।

ଉଲ୍ଲେଖଥାଉକି, ଗତବର୍ଷ ଫେବ୍ରୁଆରି ମାସରେ ଅନୁଷ୍ଠିତ ହୋଇଥିବା ବଜେଟ୍‌ ଅଧିବେଶନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ଏକ ପରିସଂଖ୍ୟା ନେଇ ସରକାରଙ୍କ ବେକାରି ସମସ୍ୟା ଦୂର କରିବା ନେଇ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଥିଲେ। ଏହାର ଜବାବ ଦେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସଂକୁଚିତ ହେଉଛି। ଘରୋଇ ଓ ଦକ୍ଷତା ବିକାଶ କରି ସରକାର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ପର୍ଯ୍ୟାପ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିନ୍ତୁ ସରକାରୀ ଦଳର ଏହି କଥାଟି କାହିଁକି ଖୋଦ ସରକାରୀ ବିଭାଗରେ ଲାଗୁ ହେଉନାହିଁ? ଯାହାକୁ ନେଇ କର୍ମଚାରୀ ମହଲ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର