ରମ୍‌ ଫି’ ଦାଖଲ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜକୁ ନିର୍ଦେଶ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ରିଟର୍ଣ୍ଣ ଅଫ୍‌ ମାଟ୍ରିକୁଲେଟ୍ସ(ରମ୍‌) ଫି’ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ରମ୍‌ ଫି’ ଦାଖଲ କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ହେବା ସହ ସେମାନେ ଦ୍ବିତୀୟ ବର୍ଷର ଚୂଡ଼ାନ୍ତ ପରୀକ୍ଷା ଦେଇପାରିବେ। ଯଦି କଲେଜ କର୍ତୃପକ୍ଷ ଏବେଠାରୁ ଫି’ ଦାଖଲ ନ କରନ୍ତି ତେବେ ଛାତ୍ରଛାତ୍ରୀ ଭବିଷ୍ୟତରେ ଅସୁବିଧାରେ ପଡ଼ିବେ। ଯୁକ୍ତ୨ ପରୀକ୍ଷାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ସମସ୍ତ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ଚିଠିରେ କୁହାଯାଇଛି ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରି‌ଷଦ ସହବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୧୨ରୁ ୨୫ ତାରିଖ ମଧ୍ୟରେ ବିନା ଜରିମାନାରେ ଏସ୍‌ବି(ଷ୍ଟେଟ୍‌ବ୍ୟାଙ୍କ) କଲେକ୍ଟରେ ରମ୍‌ ଫି’ ଦାଖଲ କରିପାରିବେ। ସେପ୍ଟେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ଫି’ ଦାଖଲ କଲେ ୫୦ ଟଙ୍କା ଓ ଅକ୍ଟୋବର ୧ ରୁ ୪ ତାରିଖ ମଧ୍ୟରେ ଫି’ ଦାଖଲ କଲେ ୨୫୦ ଟଙ୍କା ଜରିମାନା ଦେବାକୁ ହେବ। ନିର୍ଦ୍ଧାରିତ ସମୟ ‌ପରେ ଅର୍ଥାତ୍‌ ଅକ୍ଟୋବର ୫ରୁ ରମ୍‌ ଫି’ ଦାଖଲ କରିବା ଉପରେ ପରିଷଦ ଅଧ୍ୟକ୍ଷଙ୍କ ବିଶେଷ ଅନୁମତି ଆବଶ୍ୟକ। ଏଥିପାଇଁ ଜରିମାନା ଫି’ ୫୦୦ ଟଙ୍କା ରଖାଯାଇଛି। ଅନୁମତି ନ ମିଳିଲେ କଲେଜ କର୍ତୃପକ୍ଷ ଫି’ ଦାଖଲ କରିପା‌ରିବେ ନାହିଁ। ରମ୍‌ ଫି’ ଦାଖଲ କରୁ ନ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ପଞ୍ଜୀକରଣ ନମ୍ବର ପାଇବାରୁ ବଞ୍ଚିତ ହେବେ। ତେଣୁ ବିଦ୍ୟାଳୟଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏହାର ସବିଶେଷ ବିବରଣୀ ସିଏଚ୍‌ଏସ୍‌ଇ ଇ-ଡେସ୍‌ପାଚ୍‌, ପରିଷଦ ୱେବସାଇଟ୍‌, ସାମ୍‌ସ ସେଣ୍ଟର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର