ଗାଁ ଗାଁରେ ଚାଉଳ କେଳେଙ୍କାରୀ: ମହାବାତ୍ୟାରେ ଇନ୍ଦିରା ଆବାସ, କରୋନାରେ ଚାଉଳ ମହାଦୁର୍ନୀତି

ଭୁବନେଶ୍ବର: ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ପ୍ରତିନିଧିଙ୍କୁ ଆହ୍ବାନ ଦେଇ କହିଥିଲେ, ‘ମୁଁ ସଚିବାଳୟ ଜଗିଛି; ତୁମେ ପଞ୍ଚାୟତ ଜଗ।’ ନବୀନ ପଞ୍ଚମଥର କ୍ଷମତାକୁ ଆସିବା ପରେ କରୋନା ମୁକାବିଲା ପରିପ୍ରେକ୍ଷୀରେ ଏକ ବଡ଼ ନିଷ୍ପତ୍ତି ନେଇ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ହେଲେ ପ୍ରଶାସନ ସରପଞ୍ଚଙ୍କୁ କେତେ ଗୁରୁତ୍ବ ଦେଉଛି, ତାହା ଭାତହାଣ୍ଡିରୁ ଗୋଟିଏ ଉଦାହରଣ ନେଲେ ସ୍ପଷ୍ଟ ହୋଇଯିବ।ବଲାଙ୍ଗୀର ଜିଲ୍ଲାରେ ଚାଉଳ ଖାଉଛି ଭୂତ। ଜିଲ୍ଲା‌ରେ କେଉଁଠି ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଦିଆଯାଇଛି ତ ଆଉ କେଉଁଠି ଅନ୍ୟ ରାଜ୍ୟକୁ ଯାଇଥିବା ଦାଦନ ନାଁରେ ଚାଉଳ ଉଠିଲାଣି। ଚାଉଳ କେଳେଙ୍କାରୀ ନେଇ ବଲାଙ୍ଗୀର ଜିଲ୍ଲାର ମହୀମୁଣ୍ଡା ପଞ୍ଚାୟତ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ପ୍ରଶାସନକୁ ଫେରାଦ ହୋଇଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ଏହା ଉପରେ କ’ଣ ପଦକ୍ଷେପ ନେଇଛନ୍ତି, ସେକଥା ଜଣାପଡୁନାହିଁ। ଏଇଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇଥିଲେ, ବିଜ୍ଞପ୍ତି ପ୍ରକାଶ ପାଇଥାନ୍ତା।

କେବଳ ବଲାଙ୍ଗୀର ଜିଲ୍ଲାରେ ଏମିତି ଚାଉଳ ହଡ଼ପ ଚାଲିଛି ତା ନୁହେଁ ଯାଜପୁର ଏବଂ କଟକ ଜିଲ୍ଲାର ଗାଁ ଗଣ୍ଡାରୁ ଆହୁରି ସାଂଘାତିକ ଚିତ୍ର ସାମ୍ନାକୁ ଆସିଲାଣି। ଯେଭଳି ମହାବାତ୍ୟା ପରବର୍ତୀ ବିପର୍ଯ୍ୟୟ ସମୟରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକରେ ଇନ୍ଦିରା ଆବାସ କେଳେଙ୍କାରୀ ସମଗ୍ର ରାଜ୍ୟରେ କମ୍ପନ ସୃଷ୍ଟି କରିଥିଲା, ଉପକୂଳବର୍ତୀ ଜିଲ୍ଲାରେ ଏହି ମହାଦୁର୍ନୀତି ପାଇଁ ସରକାର ବହୁମୂଲ୍ୟ ଦେଇଥିଲେ, ଠିକ୍ ସେମିତି କରୋନା ବିପର୍ଯ୍ୟୟ ସମୟରେ ପ୍ରତି ମାସରେ ଗାଁ ଗଣ୍ଡାରେ କିଭଳି କୋଟି କୋଟି ଟଙ୍କାର ଚାଉଳ ହଡ଼ପ ଚାଲିଛି, ସେ ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। ଖୋଦ୍ ରାଜ୍ୟ ସରକାର ହିଁ ନିଜେ ଏହି କେଳେଙ୍କାରୀ ଉପରୁ ପରଦା ହଟାଇଛନ୍ତି। କରୋନା ସହିତ ଚାଉଳ କ୍ଷେତ୍ରରେ ମହାଦୁର୍ନୀତି ଚାଲିଛି, ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟ ସରକାରଙ୍କ ଘୋଷଣା ଆଧାରରେ ରାସନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କାର ସହାୟତା ବଣ୍ଟନ ବେଳେ ଦେଖାଯାଇଛି ଯେ କିଛି ହିତାଧିକାରୀ ଟଙ୍କା ନେବା ପାଇଁ ଆସୁନାହାନ୍ତି। ଏ ନେଇ ତନାଘନା କରିବା ବେଳେ ବଲାଙ୍ଗୀରରେ ଦେଖାଗଲା ଯେ ଦାଦନ ଯାଇଥିବା ଓ ମୃତ ବ୍ୟକ୍ତିଙ୍କ ନାମରେ ବି ଚାଉଳ ଉଠୁଛି। ଯାଜପୁର ଜିଲ୍ଲାରେ ଦେଖାଯାଇଛି ଯେ ଗତ ୪ ତାରିଖ ସୁଦ୍ଧା ଏହିଭଳି ୩୭୬୩ ଜଣ ହିତାଧିକାରୀ ଥିଲେ, ଯେଉଁମାନେ ଟଙ୍କା ନେଇନାହାନ୍ତି। କଟକ ଜିଲ୍ଲାରେ ଏହି ସଂଖ୍ୟା ଆଜି ସୁଦ୍ଧା ପାଖାପାଖି ୧୫ ହଜାର ରହିଛି। ସରକାର ଚାଉଳ ବାଣ୍ଟିସାରିଲେଣି, ହେଲେ ଟଙ୍କା ନେଉନାହାନ୍ତି କାହିଁକି? ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଜିଲ୍ଲାର ଏହି ତଥ୍ୟ ବିଚଳିତ କରିଦେବା ଭଳି। ପ୍ରଶାସନର ତୃଣମୂଳସ୍ତରରେ ଦୁର୍ନୀତି ସାଂଘାତିକ ଭାବେ ଚରିଗଲାଣି, ଗାଁ ଗଣ୍ଡାରେ ଚାଉଳ କେଳେଙ୍କାରୀ ଏକ ଉଦାହରଣ ମାତ୍ର।

ଯେହେତୁ ଶିକ୍ଷକଙ୍କୁ ରାଜ୍ୟ ସରକାର ଟଙ୍କା ବଣ୍ଟାରେ କାମରେ ଲଗାଇଲେ, ଏହି ସତ୍ୟ ପଦାକୁ ଆସିଛି। ଅନ୍ୟଥା ଯୋଗାଣ ବିଭାଗ ପ୍ରକ୍ରିୟା ଭିତରେ ଏହି ଦୁର୍ନୀତି ଲୁଚିଛପି ରହିଥାନ୍ତା ଠିକ୍ କରୋନା ଭଳି। ଶିକ୍ଷକମାନେ ହିତାଧିକାରୀଙ୍କୁ ଖୋଜିବା ବେଳେ ଦେଖାଯାଇଛି ଏମାନେ ନାହାନ୍ତି, ଅଥଚ ବର୍ଷବର୍ଷ ଧରି ଚାଉଳ ଉଠୁଛି। ଏକଥା ଯୋଗାଣ ଅଧିକାରୀ, ବ୍ଲକ ପ୍ରଶାସନ ବା ଜିଲ୍ଲାପାଳ ଜାଣିନାହାନ୍ତି, ଏକଥା କିଭଳି କୁହାଯିବ? ବଲାଙ୍ଗୀର ଜିଲ୍ଲାରେ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତି ନାମରେ ପ୍ରଶାସନ କିଭଳି ଚାଉଳ ଉଠାଇବାକୁ ଅନୁମତି ଦେଇଛି? ରାଜ୍ୟରେ ଯେଉଁ ଲୋକ ପ୍ରାଣ ହରାଉଛନ୍ତି, ଏହା ଆପେ ସଂଶୋଧନ ହେବା କଥା। ଏକଥା ହେଉନି କେମିତି? କରୋନା ବିପର୍ଯ୍ୟୟ ପରବର୍ତୀ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ବଞ୍ଚିବା ଲାଗି ଏକ ବଡ଼ ରାହା ଦେଖାଇଥିଲେ। କହିଥିଲେ, ପ୍ରତି ପରିବାରକୁ ଆଗୁଆ ତିନିମାସର ଚାଉଳ ଦିଆଯିବ ଓ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। କେନ୍ଦ୍ର ସରକାର ଆହୁରି ପାଦେ ଆଗକୁ ଯାଇ ତିନିମାସର ମାଗଣା ଚାଉଳ ଓ ତିନିମାସ ଯାଏ କାର୍ଡ ପିଛା କେଜିଏ ହିସାବରେ ତିନି କେଜି ଡାଲି ଦେବାକୁ ଘୋଷଣା କରିଛନ୍ତି।

ଭୂତ ଟଙ୍କା ନେଲାନି, କିନ୍ତୁ ମାସ ମାସ ଧରି ଚାଉଳ ଖାଉଛି କେମିତି?
୧ଲକ୍ଷ ୩୬ ହଜାର ହିତାଧିକାରୀଙ୍କୁ ଯୋଗାଣ ବିଭାଗ ଯୋଡ଼ିଦେଲା
ଲକ୍‌ଡାଉନ୍ ସୟମରେ ରାଜ୍ୟ ଖାଦ୍ୟ ସୁରକ୍ଷାରେ ୭୫ହଜାର ସାମିଲ

ମୁଖ୍ୟମନ୍ତ୍ରୀ ସେଦିନ ଏକଥା ବି ଘୋଷଣା କରିଥିଲେ, ସହାୟତା ରାଶି ବାବଦରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଉଦ୍ଦେଶ୍ୟ ଥିଲା, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ହଜାର ୫୮୯, ଭିନ୍ନକ୍ଷମଙ୍କ ବାବଦରେ ୮୦ ହଜାର ୨୫୩, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୯୨ଲକ୍ଷ ୮୪ ହଜାର ୨୯୧ ହିତାଧିକାରୀ, ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ୧ଲକ୍ଷ ୩୦ ହଜାର ୭୯୨ ହିତାଧିକାରୀ ଏହିଭଳି ମୋଟ ୯୪ଲକ୍ଷ ୧୫ ହଜାର ୮୩ ହିତାଧିକାରୀ ଏହି ଅର୍ଥ ପାଇବେ। ହେଲେ ମାର୍ଚ୍ଚ ୩୧ ତାରିଖ ଦିନ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ଯେଉଁ ତାଲିକା ଧରାଇଛନ୍ତି, ସେଥିରେ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ହିତାଧିକାରୀଙ୍କ ସଂଖ୍ୟା ଲକ୍ଷାଧିକ ବୃଦ୍ଧି ପାଇ ୯୫ଲକ୍ଷ ୫୧ ହଜାର ୬୯୫ ଜଣଙ୍କ କଥା କୁହାଯାଇଛି। ଏଥିରେ ବିଭାଗ ଦର୍ଶାଇଛି ଯେ ଏତେ ସବୁ ଦେବା ପରେ ବି ଆଉ ୧ଲକ୍ଷ ୩୬ ହଜାର ୬୧୨ ଜଣ ଖାଦ୍ୟ ସୁରକ୍ଷା ଯୋଜନାରୁ ରହିଯାଇଛନ୍ତି, ଯାହାକୁ ଏ ଟଙ୍କା ଦିଆଯିବ। ଆହୁରି ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଲକ୍‌ଡାଉନ୍ ନେଇ ଯେତେବେଳେ ସବୁକିଛି ଅକାମୀ ହୋଇ ରହିଛି, ସେତିକିବେଳେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୬ ହଜାର ୮୯୪ ଜଣ ଅର୍ଥାତ୍ ୭୪ ହଜାର ୯୪୮ ପରିବାରକୁ ସାମିଲ କରିଦେଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଏ ତାଲିକା କିଏ କଲା? କେଉଁମାନଙ୍କୁ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାତି ଅଧିଆ ଯୋଡ଼ିଦେଲେ? ଯଦି ଏହି ତାଲିକା ସରକାରଙ୍କ ପାଖରେ ଥିଲା, ତେବେ ମୁଖ୍ୟମନ୍ତ୍ରୀ ଟଙ୍କା ଘୋଷଣା କରିବା ବେଳେ ଏହାକୁ କାହିଁକି ବିଚାରକୁ ନିଆଗଲା ନାହିଁ? ୯୫୫ କୋଟି ବଦଳରେ ୯୪୦ କୋଟି କାହିଁକି ନବୀନ ଘୋଷଣା କଲେ? ୯୪ଲକ୍ଷ ହିତାଧିକାରୀଙ୍କ ଭିତର ଭୂତଙ୍କୁ ନ ଖୋଜି, ହଠାତ୍ ପୁଣି ଏକ ଲମ୍ବା ତାଲିକା କାହା ସ୍ବାର୍ଥରେ ଯୋଡ଼ାଯାଇଛି? ଏଭଳି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି। ଖାଦ୍ୟ ଯୋଗାଣ ବିଭାଗର ତଥ୍ୟକୁ ବିଶ୍ବାସ କରାଗଲେ, ଏଯାଏ ୯୫ ଲକ୍ଷ ୫୧ ହଜାର ୬୯୫ ଜଣଙ୍କ ମଧ୍ୟରୁ ୯୨ଲକ୍ଷ ୧୨ ହଜାର ୭୮୫ଙ୍କୁ ୯୨୧ କୋଟି ୨୭ଲକ୍ଷ ଟଙ୍କା ବଣ୍ଟା ସରିଲାଣି। ଅର୍ଥାତ୍ ରାଜ୍ୟସ୍ତରରେ ପାଖାପାଖି ସାଢେ ତିନିଲକ୍ଷ ଲୋକ ଟଙ୍କା ନେଇନାହାନ୍ତି, ଯାହା ଅନେକ ସନ୍ଦେହକୁ ଜନ୍ମ ଦେଉଛି।

ସମ୍ବନ୍ଧିତ ଖବର