ଏଆଇସିସି ତାଲିକାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ବଢୁଛି

ଭୁବନେଶ୍ୱର: ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ରୁ ୯ ଓଡ଼ିଶା ବିଧାୟକ ବାଦ ପଡିବା ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ବଢିବାରେ ଲାଗିଛି । ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନେ ବାଦ ପଡିବା ଦୁର୍ଭାଗ୍ୟଜନକ ବୋଲି ଏହି ବିଧାୟକମାନେ ପ୍ରକାଶ କରିଛନ୍ତି ।

ଏହା ଆଦୌ ଗ୍ରହଣୀୟ ନୁହେଁ, ଏହା ଏକ ଭୁଲ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ତଳସରା ବିଧାୟକ ପ୍ରଫୁଲ୍ଲ ମାଝି । ସେ କହିଛନ୍ତି ଯେ ଯେଉଁମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ଏଆଇସିସିରୁ ବାଦ ଦେବା ଠିକ ହୋଇନାହିଁ । ଅନ୍ୟପକ୍ଷରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କହିଛନ୍ତି ଯେ ଏଆଇସିସିରେ କାହାକୁ ରଖିବେ କାହାକୁ ନ ରଖିବେ ଏହା ହାଇକମାଣ୍ଡ ନିଷ୍ପତ୍ତି , କିନ୍ତୁ ମୁଁ ମୋ ଅଂଚଳର ବିକାଶ ଲାଗି କାର୍ଯ୍ୟ କରିଚାଲିବି ।

ସୂଚନାଯୋଗ୍ୟ ଯେ ଆଜି ଓଡ଼ିଶା ପାଇଁ ଏଆଇସିସିର ୭୮ ଜଣିଆ ସଭ୍ୟ ତାଲିକା ପ୍ରକାଶ ପାଇଛି । ଏଥିରେ ବର୍ତ୍ତମାନର ପିସିସି ସଭାପତି ଓ ସବୁ ପୂର୍ବତନ ପିସିସି ସଭାପତି ରହିଥିବାବେଳେ ତାରା ବାହିନୀପତି, ଯୋଗେଶ ସିଂ, ପ୍ରଫୁଲ୍ଲ ମାଝି ଓ ଅନନ୍ତ ସେଠୀଙ୍କ ସମେତ ୯ ବିଧାୟକ ବାଦ ପଡିଛନ୍ତି । ପିସିସି ସଭାପତିଙ୍କୁ ବିରୋଧ କରୁଥିବାରୁ ଏମାନେ ବାଦ ପଡିଥିବା କୁହାଯାଉଛି । ତେବେ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଏହି ତାଲିକାରେ ରହିଛନ୍ତି । ଅନ୍ୟପକ୍ଷରେ ବିରୋଧୀଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ, ଭୁଜବଳ ମାଝି,ନବ ଦାସ,କୈଳାଶ କୁଲେସିକା, କୃଷ୍ଣ ସଗରିଆ ସ୍ଥାନ ପାଇଛନ୍ତି ।

ସମ୍ବନ୍ଧିତ ଖବର