ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରକୁ ଦିଆଯାଇଛି ୧୮ କୋଟି

ଭୁବନେଶ୍ବର : ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ‘ଷ୍ଟାର୍ଟଅପ୍ ଓଡ଼ିଶା’ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଆଜି ପର୍ଯ୍ୟନ୍ତ ୨୨୪ ଷ୍ଟାର୍ଟଅପ୍ ମାସିକ ଭତ୍ତା ଅନୁଦାନ, ୮୬ ଷ୍ଟାର୍ଟଅପ୍ ପାଇଁ ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ଅନୁଦାନ, ୧୭ ଷ୍ଟାର୍ଟଅପ ପାଇଁ ଆବଶ୍ୟକ ଭିତ୍ତିକ ସହାୟତା ଓ ୮୬ ଷ୍ଟାର୍ଟଅପ୍ ପାଇଁ ରିଆତିଯୁକ୍ତ ଇନକ୍ୟୁବେସନ ପ୍ରଦାନ କରାଯାଇଛି। ଗତ ୨ବର୍ଷ ଭିତରେ ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରଙ୍କୁ ୧୮.୬୩ କୋଟି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ଦେବ କହିଥିଲେ ଯେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିକାଶ ନୀତି ୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ ଓ ଓଡ଼ିଶା ରପ୍ତାନୀ ନୀତି ୨୦୨୨ କାର୍ଯ୍ୟକାରୀ ହେଉଛି। ନୂଆ ଶିଳ୍ପ ନୀତି ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରୁ ୨୮୦ କୋଟି ୨୫୦୭ଟି ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌କୁ ବଣ୍ଟନ କରାଯାଇଛି। ଗତବର୍ଷ ପ୍ରାୟ ୫୦ କୋଟି ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ୧୯୯୯-୨୦୦୦ ଆର୍ଥିକ ବର୍ଷରେ ୧୭୦.୩୮ କୋଟି ଟଙ୍କା ଋଣ ଏମ୍‌ଏସ୍ଏମ୍‌ଇଙ୍କୁ ପ୍ରଦାନ କରାଯାଉଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୨୨୨୮.୮୧ କୋଟିକୁ ବୃଦ୍ଧି ପାଇଛି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କହିଥିଲେ, ରାଜ୍ୟ ପାଣ୍ଠିରୁ ପ୍ରତ୍ୟେକ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ବିକଶିତ କରାଯାଇଛି। ଯୁବକଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮-୧୯ ଓ ୨୦୨୨-୨୩ ମଧ୍ୟରେ ଡିଆଇସି ମାଧ୍ୟମରେ ୧୬ଶହ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଷ୍ଟାର୍ଟଅପ୍ ରୢାଙ୍କିଂ ଟପ୍ ପରଫର୍ମର ମାନ୍ୟତା ପାଇଛି। ଏହାସହ ଜାତୀୟ ଏମ୍‌ଏସ୍‌ଏମ୍‌ଇ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର