ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହୋଇଛି ୨୮ କୋଟି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା(ଏଏସ୍‌ଆଇ), ଭୁବନେଶ୍ବର ମଣ୍ଡଳର ଗଠନ ୧୯୮୫ ମସିହାରୁ ହୋଇଛି। ଗଠନ ପରଠାରୁ ଏହି ସଂସ୍ଥା ଶ୍ରୀମନ୍ଦିର ମରାମତି ଓ ରକ୍ଷଣା ବେକ୍ଷଣ ଦାୟିତ୍ବ ନେଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ ୧୯୮୫ ମସିହାରୁ ୨୦୨୧-୨୨ ମସିହା ମଧ୍ୟରେ ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ ବାବଦରେ ୨୮କୋଟି ୮୫ଲକ୍ଷ ୮ହଜାର ୭୦୮ ଟଙ୍କା ଖର୍ଚ୍ଚ ହୋଇଛି। ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ ମରାମତି ପ୍ରକ୍ରିୟାରେ କୌଣସି ମୂର୍ତ୍ତି କିମ୍ବା କାରୁକାର୍ଯ୍ୟ ପରିବର୍ତ୍ତନ କରାଯାଇନାହିଁ।

ସେହିପରି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ ଏଏସ୍‌ଆଇ କର୍ତୃପକ୍ଷଙ୍କ ଦ୍ବାରା ସଂପାଦିତ ତଥ୍ୟ ମୁତାବକ ଶ୍ରୀମନ୍ଦିରର ସମସ୍ତ ସ୍ମାରକୀ ସୁରକ୍ଷିତ ଅଟେ। ଏହି ମନ୍ଦିର ୧ହଜାର ବର୍ଷର ପୁରାତନ ମନ୍ଦିର। ଖସୁଥିବା ପଥରଗୁଡ଼ିକର ଯତ୍ନ ଏଏସଆଇ ଭୁ‌ବନେଶ୍ବର ମଣ୍ଡଳ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଉଛି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ଦ୍ବାରା ‘ଅବଢ଼ା’ ଯୋଜନା ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏଥିରେ ଭକ୍ତମାନଙ୍କ ସୁବିଧା ପାଇଁ ‌‌ଶୌଚାଳୟ, ପରିସ୍ରାଗାର, ଦର୍ଶନ ପାଇଁ ଯିବା ବେଳେ ଜୋତା ଓ ମୋବାଇଲ ରଖିବା ପାଇଁ ସାମାନଘର ଓ ସମସ୍ତ ଦ୍ବାର ନିକଟରେ ସୂଚନା ଓ ଦାନ କେନ୍ଦ୍ରମାନଙ୍କର ବ୍ୟବସ୍ଥା ପାଇଁ କାର୍ଯ୍ୟ ଚାଲୁଛି। ଏହାସହ ବିଶ୍ବର ଅନ୍ୟ ଜାଗାମାନଙ୍କରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ତଥ୍ୟ ବିବରଣୀ ସଂଗ୍ରହ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର