ନ୍ୟୁ ରାଜଧାନୀ ବସକୁ ୫ଲକ୍ଷ ୬୭ ହଜାର ଜରିମାନା, ବିନା ପରିମିଟରେ ଚାଲୁଥିଲା ବସ

ରୋଡ ଟ୍ୟାକ୍ସ ଦେଉ ନଥିଲା, ଫିଟନେସ ନଥିଲା

ଜୟପୁର: କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ ଚଳାଚଳ କରୁଥିବା ନ୍ୟୁ ରାଜଧାନୀ ବସ(ଓଡି-୧୦-ଏଫ-୦୪୦୯)କୁ ଭୁବନେଶ୍ବର-୨ ଆରଟିଓ ୫ ଲକ୍ଷ ୬୭ ହଜାର ଟଙ୍କା ଜରିମାନା କରିଛି। ବିନା ପରିମିଟ୍, ବିନା କର ଓ ବିନା ଫିଟନେସରେ ଏହି ବସ ପ୍ରତିଦିନ କୋରାପୁଟରୁ ଭୁବନେଶ୍ବରକୁ ଶହ ଶହ ଯାତ୍ରୀଙ୍କୁ ନେବା ଆଣିବା  କରୁଥିଲା ତାହା ସାଧାରଣରେ ଜଣାପଡୁନାହିଁ। ଏହି ବସଟି କୋରାପୁଟର ସ୍ନେହରେଖା ପାଢୀଙ୍କ ନାମରେ ରହିଥିବାବେଳେ ବସର ଫିଟନେସ ୨୦୧୯ ନଭେମ୍ବର ମାସରୁ ଶେଷ ହୋଇଛି। ଏପରିକି ଏହି ବସର ଟ୍ୟାକ୍ସ ୨୦୧୮ ମସିହା ୩୦ ତାରିଖରୁ ପ୍ରଦାନ କରାଯାଇନାହିଁ। ଯଦିଓ କୋରାପୁଟ ଜିଲ୍ଲାରୁ ବସ ସେବା କୋଭିଡ୍‌ କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ହୋଇଛି ଏହା ସତ୍ତ୍ବ‌େ ବି କିପରି ଏହା ପୂର୍ବରୁ ଏହି ଗାଡିଟି ପ୍ରତିଦିନ କୋରାପୁଟରୁ ଭୁବେନେଶ୍ବରକୁ ଚାଲୁଥିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହା ସହ କୋରାପୁଟ ଜିଲ୍ଲାର ପରିବହନ ବିଭାଗ ଜାଣି ଅଜଣା ଥିଲା କି ବୋଲି ପ୍ରଶ୍ନ ଉଠିଛି। ନୂଆ ଟ୍ରାଫିକ ନିୟମ ଜାରି ହେବା ପରେ ମଧ୍ୟ କିପରି ଶହ ଶହ ଯାତ୍ରୀକୁ ନେଇ ଏହି ବସ ଚଳାଚଳ କରୁଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ମୁତାବକ ଆଜି ଭୁବନେଶ୍ବର-୨୨ ଆରଟିଓ ରଜତ ଶତପଥୀ ବିଶେଷସୁତ୍ରର ଖବର ପାଇ ଏହି ଗାଡି ଉପରେ ଚଢାଉ କରିଥିଲେ। ସେହି ସମୟରେ ଗାଡିର ଡ୍ରାଇଭର ସନ୍ତୋଷ କୁମାର ହନ୍ତାଳ ଗାଡିରେ ରହିଥିଲା। ଟ୍ରାଫିକ ଇନିସପ୍ଟେର ଶ୍ରୀ ଶତପଥୀ ତାଙ୍କୁ ଗାଡିର କାଗଜପତ୍ର ମାଗିଥିଲେ। କିନ୍ତୁ ଡ୍ରାଇଭର ଉପସ୍ଥାପନ କରିଥିବା କାଗଜପତ୍ର ସବୁ ଠିକ ନ ଥିବା ଦେଖିବାକୁ ପାଇଥି‌ଲେ। ପରେ ଗାଡିର କର ଦେଇ ନ ଥିବା ଦେଖିବାକୁ ପାଇଥିଲେ।ଏଥିପାଇଁ ଶ୍ରୀ ଶତପଥୀ ୨୦୧୯ ମେ ମାସ ୧ ତାରିଖରୁ ୨୦୨୦ ମସିହା ଅକ୍ଟୋବର ୩୦ ଯାଏ କର(ଏପ୍ରିଲ ୧ରୁ ଜୁନ ୩୦ କୁ ଛାଡି) ବାବଦକୁ ୫୮୧୯୮୧ ଟଙ୍କା, ବିନା ଅନୁମତିରେ ଗାଡି ପରିବହନ ପାଇଁ ୧୦୦୦୦ ଟଙ୍କା ଓ ବିନା ପଞ୍ଜୀକରଣରେ ଗାଡି ଚାଳନା ପାଇଁ ୫୦୦୦ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ପରେ ଗାଡିକୁ ଚନ୍ଦ୍ରଶେଖରପୁର ଟେଷ୍ଟି ଫିଲ୍ଡକୁ ନିଆଯାଇ ଜବତ କରାଯାଇଥିବା ଜଣାପଡିଛି।

ତେବେ କୋଭିଡ ପୂର୍ବରୁ ଦୀର୍ଘ ଦିନଧରି ଏହି ବସଟି କିପରି ଚଳାଚଳ କରୁଥିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କିପରି କୋରାପୁଟ ପରିବହନ ବିଭାଗ ଏହା ଜାଣି ପାରିଲାନି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କୋଭିଡ ପୂର୍ବରୁ ପ୍ରାୟ ଦେଢ ବର୍ଷ ଧରି ଏହି ବସଟି କୋରାପୁଟରୁ ଭୁବେନେଶ୍ବରକୁ ଚଳାଚଳ କରୁଥିବାବେଳେ କିପରି ଏହା ବସ ମାଲିକ ଓ ପରିବହନ ବିଭାଗ ଜାଣି ପାରିଲାନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଭୁବନେଶ୍ବର ଆରଟିଓ-୨ ଏହାକୁ ଧରିବା ପରେ କୋରାପୁଟ ପରିବହନ ବିଭାଗର ପାରିବାପଣିଆ ପଦାରେ ପଡିଛି।

ସମ୍ବନ୍ଧିତ ଖବର