ଡାକ୍ତରଙ୍କ ଆକାଉଣ୍ଟରୁ ୭୮ ଲକ୍ଷ ଲୁଟ୍ ଘଟଣା : ପଶ୍ଚିମବଙ୍ଗର ସିମ୍, ଝାଡ଼ଖଣ୍ଡରୁ କଲ୍

ସାଇବର୍ ଗ୍ୟାଙ୍ଗରେ ୨୨ରୁ ୨୮ ବର୍ଷର ଅଧାପାଠୁଆ ଅପରାଧୀ

କଟକ : ଝାଡ଼ଖଣ୍ଡର ଜାମତାରା ସହିତ ଧାନବାଦ, ଦେଓଗଡ଼୍ ଓ ଗିରିଧି ଜିଲ୍ଲାରୁ ନିୟନ୍ତ୍ରଣ ହେଉଛି ସାଇବର‌୍‌ ଅପରାଧ। କଟକର ଡାକ୍ତର ସନାତନ ମହାନ୍ତିଙ୍କ ମୋବାଇଲ୍‌ ଫୋନକୁ ଝାଡ଼ଖଣ୍ତ ଧାନବାଦ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରୁ ଫୋନ୍‌ କଲ୍‌ ଆସିଥିବା କୁହାଯାଉଛି। କିନ୍ତୁ ଡାକ୍ତର ବାବୁଙ୍କୁ ଯେଉଁ ନମ୍ବରରୁ ଫୋନ୍‌ ଆସିଛି ଏହି ନମ୍ବର ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ଝାଡ଼ଖଣ୍ତର ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ ମୁଖ୍ୟତଃ ପଶ୍ଚିମବଙ୍ଗରୁ ସିମ୍‌ କାର୍ଡ ଜାଲ୍‌ ପରିଚୟପତ୍ରରେ କିଣୁଛନ୍ତି। ପଶ୍ଚିମବଙ୍ଗରେ ଥିବା ନିର୍ଦ୍ଦିଷ୍ଟ ବିପିଓରୁ ବ୍ୟାଙ୍କ୍‌ ଗ୍ରାହକଙ୍କ ମୋବାଇଲ୍‌ ନମ୍ବର ସାଇବର‌୍‌ ଅପରାଧୀଙ୍କୁ ବିକ୍ରି କରୁଥିବା ସୂଚନା ମିଳିଛି। ତେଣୁ ପ୍ରକୃତ ଅପରାଧୀଙ୍କୁ ଠାବ କରିବା ଏବେ କଷ୍ଟକର ହୋଇପଡ଼ିଛି। ଏହି ଗ୍ୟାଙ୍ଗ୍‌ ଉଭୟ ପଶ୍ଚିମବଙ୍ଗ-ଝାଡ଼ଖଣ୍ତ ସୀମାରେ ଆଡ଼ା ଜମାଇଛନ୍ତି। ଝାଡ଼ଖଣ୍ତର ପାକୁର‌୍‌, ଦେଓଗଡ଼, ଗୋଡ୍ଡା, ସାହେବଗଞ୍ଜ, ଡୁମକା, ଗିରଧି, ଜାମତାରା, ଜାମତାରା ଜିଲ୍ଲା ନାରରାୟଣପୁର ଓ କରମାତଣ୍ତ ଏବ˚ ପଶ୍ଚିମବଙ୍ଗର ଆସାନସୋଲ ଓ କଲିକତା ସହରକୁ ବି ବ୍ୟାପିଗଲେଣି ସାଇବର‌୍‌ ଅପରାଧୀ। ଏମାନଙ୍କ ବୟସ ପ୍ରାୟ ୨୨ରୁ ୨୮ ବର୍ଷ। ସ୍କୁଲ ଓ କଲେଜରେ ଅଧାରୁ ପାଠ ଛାଡ଼ିଥିବା ଏହି ଯୁବକ ଏଭଳି ଅନଲାଇନ୍‌ ଅପରାଧ ଦୁନିଆରେ ପାଦ ଦେଇଛନ୍ତି।

ଡ୍ୟୁପ୍ଲିକେଟ୍‌ ସିମ୍‌ ପ୍ରସ୍ତୁତ କରି ଲୁଟ୍
ବ୍ୟାଙ୍କ୍‌ ଗ୍ରାହକଙ୍କ ଯେଉଁ ମୋବାଇଲ୍‌ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସ˚ଯୋଗ ହୋଇଛି ଉକ୍ତ ନମ୍ବରରେ ଜାଲି ଫଟୋ ଓ ପରିଚୟପତ୍ର ବ୍ୟବହାର କରି ଆଉ ଏକ ସିମ୍‌ ହାସଲ କରୁଛନ୍ତି। ଅପରାଧୀମାନେ ଛୁଟି ଦିନରେ ହିଁ ଏଭଳି କାରବାର କରୁଥିବା କୁହାଯାଉଛି। ଯଦ୍ବାରା ଅପରାଧୀଙ୍କ ଡ୍ୟୁପ୍ଲିକେଟ୍‌ ସିମ୍‌ ଆକ୍ଟିଭେସନ୍‌ ସମୟରେ ଗ୍ରାହକଙ୍କ ଉକ୍ତ ନମ୍ବର ବ୍ଲକ ହୋଇଯିବା ସ˚କ୍ରାନ୍ତରେ ମୋବାଇଲ ସେବା ପ୍ରଦାନକାରୀ ସ˚ସ୍ଥା ସହିତ ଯୋଗାଯୋଗ କରିପାରିବେ ନାହିଁ। ଛୁଟି ଦିନରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଜମା ଖାତାର ବାଲାନ୍ସ ସ˚କ୍ରାନ୍ତରେ ଜାଣିବାକୁ ମଧ୍ୟ ସୁଯୋଗ ପାଇପାରିବେ ନାହିଁ। ଅଧଘଣ୍ଟା ସିମ୍‌ ବ୍ଲକ୍‌ ହୋଇ ପରେ ଆକ୍ଟିଭ୍‌ ହେଲେ ସ୍ବଳ୍ପ ସମୟ ମଧ୍ୟରେ ଅପରାଧୀ ଡ୍ୟୁପ୍ଲିକେଟ୍‌ ସିମ୍‌କୁ ଆସୁଥିବା ଓଟିପି ସହାୟତାରେ ଟଙ୍କା ଲୁଟି ନେଉଛନ୍ତି।

ବିପିଓ ବିକୁଛି ଗ୍ରାହକଙ୍କ ମୋବାଇଲ୍‌ ନମ୍ବର?
ବ୍ୟାଙ୍କ୍‌ ଗ୍ରାହକଙ୍କ ନାଁ ଓ ମୋବାଇଲ୍‌ ନମ୍ବର ସାଇବର‌୍‌ ଅପରାଧୀ ସ˚ଗ୍ରହ କରୁଛନ୍ତି କେଉଁଠୁ? ଏସବୁ ତଥ୍ୟ କେବଳ ବ୍ୟାଙ୍କ ନିକଟରେ ଥିବା ବେଳେ ସାଇବର‌୍‌ ଅପରାଧୀ ପାଉଛନ୍ତି କେମିତି? ଏଭଳି ରହସ୍ୟର ଅନୁସନ୍ଧାନ କରିବାରୁ କଲିକତାରେ ଥିବା ନିର୍ଦ୍ଦିଷ୍ଟ ଏକ ବିପିଓ(ବିଜନେସ୍‌ ପ୍ରୋସେସ୍‌ ଆଉଟସୋର୍ସି˚)ର ଲିଙ୍କ୍‌ ସାମନାକୁ ଆସିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ମାଧ୍ୟମରେ ଅଭିଯୋଗ ଶୁଣାଣି ଦାୟିତ୍ବ ବିପିଓକୁ ଦିଆଯାଇଛି। ଏହି ନମ୍ବରକୁ ବ୍ୟାଙ୍କ୍‌ ଗ୍ରାହକ ଫୋନ୍‌ କରି ଆକାଉଣ୍ଟ ସମ୍ପର୍କରେ ବିଭିନ୍ନ ଅଭିଯୋଗ କରିଥାନ୍ତି। ବିପିଓରେ କାର୍ଯ୍ୟ କରୁଥିବା କର୍ମଚାରୀ ହିଁ ବ୍ୟାଙ୍କ୍‌ ଗ୍ରାହକଙ୍କ ନାଁ ଓ ମୋବାଇଲ୍‌ ନମ୍ବର ସାଇବର‌୍‌ ଅପରାଧୀଙ୍କୁ ବିକ୍ରି କରୁଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ବିପିଓରେ ଏଭଳି କେଳେଙ୍କାରୀ ଚାଲିଥିବାରୁ କଲିକତା ସମେତ ଗୁରୁଗ୍ରାମ, ନୋଏଡା, ହାଇଦ୍ରାବାଦ୍‌, ବେଙ୍ଗାଲୁର, ଅନନ୍ତପୁରରେ ଥିବା କଲ୍‌ ସେଣ୍ଟର ବିରୋଧରେ ତଥ୍ୟ ଚୋରି ଭଳି ମାମଲା ରହିଛି।

ଗିରିଧି, ଜାମତାରାରେ ଘରେ ଘରେ ଅପରାଧୀ
ଝାଡଖଣ୍ତର ଗିରିଧି ଜିଲ୍ଲା ଏବେ ସାଇବର‌୍‌ ଅପରାଧୀଙ୍କ ନୂଆ ଆଡ୍ଡା ପାଲଟିଛି। ଗିରିଧି ଜିଲ୍ଲାର ବିନ୍‌ସମି ଗାଁରେ ପ୍ରାୟ ୧ ହଜାର ଘର ଥିବା ବେଳେ ୯୦୦ ଘରେ ସାଇବର‌୍‌ ଅପରାଧୀଙ୍କ କୁଟିର ଶିଳ୍ପ ଖୋଲାଯାଇଛି। ଜାମତାରା ଏକ ଛୋଟ ସହର ହୋଇଥିବା ବେଳେ ଦେଶର ୫୦ ପ୍ରତିଶତ ସାଇବର‌୍‌ ଅପରାଧ ଏଠି ହିଁ ଘଟାଯାଉଛି। ଏମାନେ ଅଧିକା˚ଶ ସମୟରେ ଟଙ୍କା ଲୁଟ୍‌ ପରେ ଗାଁ ଲୋକଙ୍କ ଡିଟିଏଚ୍‌ ଓ ମୋବାଇଲ୍‌ ଅନଲାଇନ୍‌ରେ ରିଚାର୍ଜ କରୁଛନ୍ତି। ଏହା ବଦଳରେ ଗାଁ ଲୋକଙ୍କ ନିକଟରୁ ନଗଦ ଟଙ୍କା ଆଣୁଛନ୍ତି।

ସମ୍ବନ୍ଧିତ ଖବର